ପ୍ରେକ୍ଷାଳୟରେ ୫୦ଦିନରେ ପହଞ୍ଚିଲା “ଶିକାର”, ଅମ୍ଲାନ ଏବଂ ଏଲିନାଙ୍କ ଯୋଡ଼ି ପାଇଁ ଦର୍ଶକ ମତୁଆଲା

ଭୁବନେଶ୍ବର,୨୮/୭ : ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର “ଶିକାର” ପ୍ରେକ୍ଷାଳୟରେ ୫୦ଦିନରେ ପହଞ୍ଚିଛି l ଅନୁଭବ, ଅର୍ଦ୍ଧେନ୍ଦୁଙ୍କୁ ପଛରେ ପକାଇ ଅଭିନେତା ଅମ୍ଲାନ ଦୀର୍ଘ ୫୦ଦିନ ହେଲା ପ୍ରେକ୍ଷାଳୟରେ ରାଜ୍ କରୁଛନ୍ତି l କିଛି ବର୍ଷର ବ୍ୟବଧାନରେ ଅମ୍ଲାନ ବଡ ପରଦାରେ ନଜର ଆସୁଥିବାରୁ ଅଧିକ ଦର୍ଶକଙ୍କ ଠାରୁ ଅହେତୁକ ଭଲ ପାଇବା ପାଇଛନ୍ତି l ତା’ସହିତ ଅମ୍ଲାନ ଏବଂ ଏଲିନାଙ୍କ ଯୋଡିରେ ମଧ୍ୟ ଦର୍ଶକ ମତୁଆଲା ହୋଇଛନ୍ତି l କ୍ରାଇମ, ଥ୍ରୀଲର ସହିତ ଦମଦାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍ ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବା ସହିତ ରଥଯାତ୍ରାରେ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିପାରିଛି l ଏପରିକି ପବିତ୍ର ବାହୁଡା଼ ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ପ୍ରଦର୍ଶିତ ହୋଇ ଢେର ପ୍ରଶଂସା ସାଉଁଟିଛି l

ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଆକ୍ସନ ଷ୍ଟାର ଅମ୍ଲାନ, ଚୁଲବୁଲି ଏଲିନାଙ୍କ ସମେତ ନାୟିକା ସୁପ୍ରିୟା ନାୟକ ଏବଂ ଅଙ୍କିତ ଭଳି କଳାକାର ଅଭିନୟ କରିଛନ୍ତି l ପ୍ରିୟବ୍ରତ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ଟାଇଟିଲ ଗୀତ ରଚନା କରିଛନ୍ତି l ବହୁ ଅଭିଜ୍ଞ ସିନେମାଟୋଗ୍ରାଫର ପ୍ରତାପ ରାଉତ ଚିତ୍ରତ୍ତୋଳନ ଦାୟିତ୍ୱ ନେଇଥିବା ବେଳେ ରାଜେଶ ଦାଶ ଫିଲ୍ମ ସମ୍ପାଦନା କରିଛନ୍ତି l ଟ୍ରେଣ୍ଡିଂ ମ୍ୟୁଜିକ ଡାଇରେକ୍ଟର ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଥିବା ଏବଂ ଅମିତ ନାୟକ ନୃତ୍ୟର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଚାର ଓ ପ୍ରସାର ସହିତ କ୍ରିଏଟିଭ ହେଡ଼ ଦାୟିତ୍ୱରେ ପ୍ରଣୟ ଜେଠୀ ରହିଛନ୍ତି l ଅମ୍ଲାନଙ୍କ ଦମଦାର ଆକ୍ସନ ସାଙ୍ଗକୁ ଏବଂ ଏଲିନାଙ୍କ ଓକିଲ ଭୂମିକା ଦର୍ଶକଙ୍କୁ ମତୁଆଲା କରି ଚାଲିଛି l ଓଡ଼ିଶାର ପ୍ରଖ୍ୟାତ ବ୍ୟଙ୍ଗ କବି ଜ୍ଞାନ ହୋତା ଓକିଲ ଭୂମିକାରେ କିଛି ମୁହୂର୍ତ୍ତ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଛନ୍ତି l

ଓଡ଼ିଆ ସିନେପ୍ରେମୀ ଶିକାର ଚଳଚ୍ଚିତ୍ରକୁ ଅହେତୁକ ଭଲ ପାଇବା ଦେଇଥିବାରୁ ପ୍ରଯୋଜନା ସଂସ୍ଥା ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଭଲ କଣ୍ଟେଣ୍ଟ ସହିତ ମନୋରଞ୍ଜନଧର୍ମୀ ପାରିବାରିକ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *