ଭୁବନେଶ୍ବର,୨୮/୭ : ସହରର ସୁନ୍ଦରପଦା ନିକଟସ୍ଥ ଲବଣଗିରିରେ ଶ୍ରୀଜିଉଙ୍କ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଥିବାବେଳେ, ସ୍ନାନ ଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ହଜାରହଜାର ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଲବଣଗିରିରେ ତିନି ଠାକୁରଙ୍କ ରଥଯାତ୍ରା ପ୍ରତିବର୍ଷ ଆୟୋଜନ କରାଯାଇଥାଏ। ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପୃଷ୍ଠପୋଷକତାରେ ଲବଣଗିରି ପାହାଡ଼ ଉପରେ ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ପାଳନ କରାଯାଇଛି ।

ଚଳିତବର୍ଷ ସ୍ନାନଯାତ୍ରା,ରଥଯାତ୍ରା,ବାହୁଡା ଯାତ୍ରା,ତିନି ଠାକୁରଙ୍କ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ସଂପୂର୍ଣ୍ଣ ନୀତିକାନ୍ତିରେ ସଂପନ୍ନ ହୋଇଛି । ରଥଯାତ୍ରା ଓ ପାଞ୍ଚଗାଁ ବାହୁଡାଯାତ୍ରାରେ ଡକ୍ଟର ତିରୁପତି ପାଣିଗ୍ରାହୀ ତିନି ରଥରେ ଛେରାପହଁରା କରିଥିବାବେଳେ ସ୍ଥାନୀୟ ଲୋକ ସମସ୍ତ ସହଯୋଗ କରିଥିଲେ । ତିନିଠାକୁରଙ୍କୁ ସୁନାର କିରଟୀ, କୁଣ୍ଡଳ, ହସ୍ତ, ପାଦ, ହଳଶୂଳ, ଶଙ୍ଖ, ଚକ୍ର, ଗଦାପଦ୍ମରେ ସଜ୍ଜିତ୍ କରାଯାଇଥିଲା । ଏହି ଦୁର୍ଲଭ ବେଶ ଦେଖିବାକୁ ଭୁବନେଶ୍ବର ସମେତ ଜଟଣୀ, ଖୋର୍ଦ୍ଧାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପ୍ରତ୍ୟେକ ଦିନ ଯାତ୍ରା ଦେଖିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିବାବେଳେ, ନୀଳାଦ୍ରୀ ବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ମହଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଲାଗି କରାଯାଇଥିଲା । ଏହାସହ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ରସଗୋଲା ଭୋଗ ବଣ୍ଟାଯାଇଥିଲା। ତିନି ଠାକୁରଙ୍କ ନୀଳେଦ୍ରି ବିଜେ ପରେ ଚଳତବର୍ଷର ରଥଯାତ୍ରା ଶେଷ ହୋଇଛି । ଏବେ ଅପେକ୍ଷା ଆର ବର୍ଷକୁ। ଲବଣଗିରି ପାହଡ଼ ଉପରେ ଥିବା ଶ୍ରୀଜଗନ୍ନାଥ, ମାଆ ମହାଲକ୍ଷ୍ମୀ, ମହାଦେବ ମନ୍ଦିର ସହ ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା ହୋଇପାରିଛି। ହାଇଟେକ୍ ଗ୍ରୁପ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ଉଦ୍ୟମ ଓ ପ୍ରତ୍ୟେକ୍ଷ ପୁଷ୍ଠପୋଷକତା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି।













Leave a Reply