ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପା ବିବାଦ: ପାଣିରେ ପଡିଲା ୯ ଲକ୍ଷ !

ଭୁବନେଶ୍ୱର, ୧୮/୯: ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପାକୁ ନେଇ ବିବାଦ ଏବେ ମୁଣ୍ଡ ଟେକିଛି | ଛପାରେ ପ୍ରାୟ ୧୧ଲକ୍ଷ ଖର୍ଚ ହୋଇଥିବା ବେଳେ, ଅଳ୍ପ ମାତ୍ର ବିକ୍ରି ହୋଇଛି | ଫଳରେ ଅଧିକ ସଂଖ୍ୟକ ପଡ଼ି ରହିଥିବା ଅଭିଯୋଗ ହୋଇଛି। ସୂଚନା ଆଇନ ଅଧିକାର ବଳରେ ଏହି ତଥ୍ୟ ମିଳିବା ପରେ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୬ବର୍ଷ ପାଇଁ ୪ହଜାର ୱାଲ କ୍ୟାଲେଣ୍ଡର ଏବଂ ୨୫ଶହ ଡେସ୍କ କ୍ୟାଲେଣ୍ଡର ଅର୍ଥାତ ସର୍ବମୋଟ ୬ହଜାର ୫୦୦ଟି କ୍ୟାଲେଣ୍ଡର ଛପାଯାଇଥିଲା। ଏଥିପାଇଁ ୧୧ଲକ୍ଷ ୧୧ହଜାର ୬୫୦ଟଙ୍କା ଖର୍ଚ୍ଚ ହୋଇଛି। ଏହା ରାଜ୍ୟ ସରକାରଙ୍କ ପିଏସୟୁ ପକ୍ଷରୁ ପ୍ରାୟୋଜିତ ହୋଇଥିବା ବେଳେ ଭୁବନେଶ୍ୱର କେତକୀ ଏଣ୍ଟରପ୍ରାଇଜର୍ସକୁ ମୁଦ୍ରଣ ଦାୟିତ୍ବ ଦିଆଯାଇଥିଲା। ଏହି ଅର୍ଥକୁ ଆରଟିଜିଏସ ମାଧ୍ୟମରେ ପଠାଯାଇଥିବା ଜଣାପଡ଼ିଛି। କ୍ୟାଲେଣ୍ଡର ଛପା ହେବା ପରେ ଅଦ୍ୟାବଧି ମାତ୍ର ୧୭୧୬ଟି କ୍ୟାଲେଣ୍ଡର ବିକ୍ରି ହୋଇଛି। ବିକ୍ରି ବାବଦରେ ମାତ୍ର ୧ଲକ୍ଷ ୭୧ହଜାର ୬୦୦ଟଙ୍କା ମିଳିଛି। ବର୍ଷ ଶେଷ ହେବାକୁ ତିନିମାସରୁ କିଛି ଅଧିକ ସମୟ ରହିଥିବା ବେଳେ ପ୍ରାୟ ୯ଲକ୍ଷ ୯୪ ହଜାର ୪୦୦ ଟଙ୍କା ପାଣିରେ ପଡ଼ିବାକୁ ବସିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପକ୍ଷରୁ ଇଂରାଜୀ ନୂଆବର୍ଷକୁ ଆଧାର କରି କ୍ୟାଲେଣ୍ଡର ପ୍ରକାଶ କରାଯିବାକୁ ନେଇ ମଧ୍ୟ ଆପତ୍ତି ଉଠିଛି। ଉତ୍କଳୀୟ ପରମ୍ପରାରେ ପାଞ୍ଜି ଓ ଓଡ଼ିଆ ପରମ୍ପରାଗତ କାଳ ଗଣନାର ଗୁରୁତ୍ବ ଥିବା ବେଳେ ଶ୍ରୀମନ୍ଦିର ଭଳି ଏକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଇଂରାଜୀ ନୂଆବର୍ଷ କ୍ୟାଲେଣ୍ଡର ପ୍ରକାଶନର ଆବଶ୍ୟକତା କ’ଣ ଥିଲା ବୋଲି ପ୍ରଶ୍ନ କରାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ଦାନ ଅର୍ଥ ଓ ବିଭିନ୍ନ ଉତ୍ସରୁ ଆସୁଥିବା ଅର୍ଥର ସର୍ବାଧିକ ସୁବିନିଯୋଗ ସହ ଭକ୍ତ ଓ ଶ୍ରୀମନ୍ଦିରର ଆବଶ୍ୟକତା ପୂରଣରେ ବ୍ୟବହାର ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।ଏନେଇ ଜ୍ୟୋର୍ତିବିଦ ହରିଶଙ୍କର ମିଶ୍ର କହନ୍ତି, ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତି ଅନୁଯାୟୀ ୩ଟି ପାଞ୍ଜି ପ୍ରକାଶିତ ହୋଇଥାଏ। ଏଭଳି ସ୍ଥିତିରେ ଇଂରାଜୀ କ୍ୟାଲେଣ୍ଡର ପ୍ରକାଶନ କରିବାର ଆବଶ୍ୟକତା କ’ଣ ପାଇଁ ପଡ଼ିଲା। ତାହାର ଉତ୍ତର ଶ୍ରୀମନ୍ଦିର ପ୍ରଶାସନ ଦେବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *