ରଜରେ ଧମାକା କରିବେ ଅନୁଭବ : ଟ୍ରେଣ୍ଡରେ ‘ଆମେ ବାଳୁଙ୍ଗା ଟୋକା’

ଭୁବନେଶ୍ୱର, ୩୧/ ୫ : ଚଳିତ ରଜରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ୍ ଡୋଜ୍ ଦେବାକୁ ପ୍ରସ୍ତୁତ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛକି ଶୂନ’ ଆସନ୍ତା ଜୁନ୍ ୧୨ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଷ୍ଟୁଡିଓ ଭର୍ସନ ଗୀତ ‘ଆମେ ବାଳୁଙ୍ଗା ଟୋକା’ ମୁକ୍ତିଲାଭ କରିଥିବା ବେଳେ ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।

ଗୀତଟିକୁ ନିଜେ ଅନୁଭବ ମହାନ୍ତି ଗାଇଥିବା ବେଳେ ତାଙ୍କ ସହ ଅଭିନେତା ପପୁ ପମ୍ ପମ୍ ମଧ୍ୟ କଣ୍ଠଦାନ କରିଛନ୍ତି । ରଜ ମାହୋଲକୁ ଆହୁରି ରଙ୍ଗିନ କରିବ ବୋଲି ଏହି ଗୀତକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଗୀତଟି ରିଲିଜ୍ ହେବାର ମାତ୍ର ୧୮ ଘଣ୍ଟା ମଧ୍ୟରେ ୭୦ ହଜାରରୁ ଅଧିକ ଭ୍ୟୁ ପାଇଥିବା ବେଳେ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ବଢ଼ିଚାଲିଛି । ଗୀତଟି ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, “ବର୍ଷର ସବୁଠାରୁ ପ୍ରତୀକ୍ଷିତ ଗୀତ ‘ଆମେ ବାଳୁଙ୍ଗା ଟୋକା’ ଏବେ ଆପଣଙ୍କ ସମ୍ମୁଖରେ । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଶକ୍ତିଶାଳୀ କଣ୍ଠସ୍ୱରରେ ଏହି ଗୀତ ପ୍ରତ୍ୟେକ ପ୍ଲେଲିଷ୍ଟ ଓ ହୃଦୟରେ ରାଜ୍ କରିବାକୁ ପ୍ରସ୍ତୁତ ।” ପ୍ରମୋଦ ପରିଡା ଏହି ଗୀତ ରଚନା ଲେଖିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ‘ବାଳୁଙ୍ଗା ଟୋକା’ ଫିଲ୍ମର ଟାଇଟଲ୍ ଟ୍ରାକ୍ ଦର୍ଶକଙ୍କ ମନ ଜିତିଥିଲା । ଏବେ ସେହି ଗୀତକୁ ନୂଆ ଆଙ୍ଗିକରେ ପୁଣିଥରେ ନେଇଆସିଛନ୍ତି ଅନୁଭବ । ପୂର୍ବ ଗୀତଟିକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସ୍ୱର୍ଗତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ସଙ୍ଗୀତ ଦେଇଥିଲେ ଓ ବଲିଉଡ୍ ପ୍ରଛଦପଟ୍ଟ ଗାୟକ ବିନୋଦ ରାଠୋର ଏହାକୁ କଣ୍ଠଦାନ କରିଥିଲେ । ସେହି ଗୀତ ଆଜି ବି ଦର୍ଶକଙ୍କ ପସନ୍ଦର ତାଲିକାରେ ରହିଛି ।

ଅନ୍ୟପଟେ ‘ଛକି ଶୂନ’ ଫିଲ୍ମକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆମର ଷ୍ଟୁଡିଓ ଓ ଏସଏମ୍ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ 29 ଟୁ ନାଇନ୍ ଫିଲ୍ମସ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ । ସେ ହିଁ ଏହାର କାହାଣୀ ଲେଖିଥିବା ବେଳେ ଜାଗୃତି, ଅନୁଭବ ମହାନ୍ତି, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ଫିଲ୍ମର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ

ଜେଠୀ। ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *