ଆଜି ପବିତ୍ର ବିଶ୍ବକର୍ମା ପୂଜା

ଭୁବନେଶ୍ୱର: ୧୭/୯ : ଆଜି ପବିତ୍ର ବିଶ୍ବକର୍ମା ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ବକର୍ମା | ଖାସ କରି କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବେଶ ଧୂମଧାମରେ ଉତ୍ସବ ପାଳନ ହେଉଛି । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି ପୂଜା କରନ୍ତି । ଭଗବାନ ବିଶ୍ବକର୍ମାଙ୍କ ସୁନ୍ଦର ମୂର୍ତ୍ତି ସ୍ଥାପନ କରି ଆଳତି ଓ ଯଜ୍ଞ କରାଯାଏ ।

ଏହି ଦିନ ସମସ୍ତ ପ୍ରକାରର କାରିଗରୀ କାମ ବନ୍ଦ ରହେ, ଯାହା ମେସିନ୍ ଏବଂ ଶ୍ରମିକମାନଙ୍କୁ ଦିନଟିଏ ବିଶ୍ରାମ ଦେବାର ଏକ ସୁନ୍ଦର ପରମ୍ପରା ।ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ରାଜ୍ୟର ଶିଳ୍ପ ପ୍ରାଣକେନ୍ଦ୍ର ଭାବେ ପରିଚିତ ପାରାଦ୍ୱୀପ, ଅନୁଗୋଳର ନାଲ୍ କୋ ଏବଂ ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଆକର୍ଷଣୀୟ ମଣ୍ଡପ, ଆଲୋକମାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯାଇଛି।ସେହିପରି ବନ୍ଦର ନଗରୀ ପାରାଦ୍ୱୀପରେ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ଧୂମଧାମରେ ଆୟୋଜିତ ହେଉଛି। ବହୁ ସୁସଜ୍ଜିତ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଆଜି ଗାଡ଼ି ଏବଂ ଯନ୍ତ୍ରପାତିଗୁଡ଼ିକୁ ସଫାସୁତୁରା କରି ବିଶେଷ ପୂଜାର୍ଚ୍ଚନା କରାଯାଉଛି।

ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।

Leave a Reply

Your email address will not be published. Required fields are marked *