ପୁରୀର ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି କାରଖାନା ଉପରେ ଚଢ଼ାଉ

ଭୁବନେଶ୍ୱର: ୧୭/୯ : ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ | ଖଜାରେ ବ୍ୟାପକ ଅପମିଶ୍ରଣ ନେଇ ସୂଚନା ମିଳିବ ପରେ ଚଢ଼ାଉ ହୋଇଛି | ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ଏହି ଚଢାଉ କରିଛନ୍ତି । ଚଢାଉ ସମୟରେ ଖଜା ନିମ୍ନମାନର ପାମୋଲିନ ତେଲରେ ପ୍ରସ୍ତୁତ ହେଉଥିବା ସହ ଏଥିରେ ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଥିବା ନେଇ ସୂଚନା ମିଳିଛି | ଖାଦ୍ୟ ଯୋଗାଣ ବିଭାଗ ଟିମ ସହିତ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି । ପୁରୀ ବାଇପାସ ମଙ୍ଗଳାହାଟ ନିକଟରେ ସିଟି ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ ଅଭିଯାନ ଚଳାଇଛନ୍ତି ।

୫/ ୭ ଦିନର ବାସୀ ଚିନି ଶିରାରେ ମଧ୍ୟ ଖଜା ପ୍ରସ୍ତୁତ ହେଉଛି ବୋଲି ଜଣାପଡ଼ିଛି। ପୁରୀ ଖଜା ନାମରେ ପର୍ଯ୍ୟଟକଙ୍କୁ ଠକୁଛନ୍ତି ବହୁ ଖଜା ବ୍ୟବସାୟୀ। ଏବେ ଘଟଣାର ତଦନ୍ତ ଜାରି ରହିଛି। ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି।

ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ନିୟମ ଉଲ୍ଲଂଘନ ମିଳିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *