Special Story : ବଦଳୁଛି ଗଣେଶ ପୂଜାର ଢାଞ୍ଚା, ପୂଜା ଆଗ ନା ଇଭେଣ୍ଟ ?

ଭୁବନେଶ୍ବର,୧୩/୯ : ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ । ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା॥ ରାତି ପାହିଲେ ଗଣେଶ ପୂଜା । ଗାଁଠୁ ସହର ସବୁଠି ଚଳଚଞ୍ଚଳ । ପୂଜା ପାଇଁ ଯେତିକି ତତ୍ପର ତା’ଠାରୁ ଅଧିକ ଇଭେଣ୍ଟ ଆୟୋଜନ ପାଇଁ ହେଉଛି । ଆମ ଟିମ୍ ଏହାକୁ ଅନୁଶୀଳନ କରିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛି । ଆସନ୍ତୁ ନଜର ପକାଇବା ଏହା ଉପରେ …

ବଦଳୁଛି ପୂଜାର ଢାଞ୍ଚା। ବଢ଼ୁଛି ମୂର୍ତ୍ତିର ଉଚ୍ଚତା। ଚମକୁଛି ମଣ୍ଡପ, ଗର୍ଜୁଛି ସାଉଣ୍ଡ ବକ୍ସ। ପୂଜା ପୂର୍ବରୁ ଟେଣ୍ଟ ଓ ମେଲୋଡ଼ି ପାଇଁ ଯୁବପିଢ଼ିଙ୍କ ଉତ୍ସାହ ଦେଖିବାକୁ ମିଳୁଛି । ହେଲେ ଏ ସବୁ ଭିତରେ ଠାକୁରଙ୍କ ପୂଜା କେତେ ଗୁରୁତ୍ୱ ପାଉଛି ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ଠିଆ କରିଛି ।

ଦିନ ଥିଲା, ଗଣେଶ ପୂଜାମାନେ ଥିଲା ଭକ୍ତି ଓ ଶ୍ରଦ୍ଧା । ସାହି ପଡ଼ିଶାର ଯୁବକମାନେ ଏକାଠି ହୋଇ ଚାନ୍ଦା ସଂଗ୍ରହ କରୁଥିଲେ, ଛୋଟ ମଣ୍ଡପ ତିଆରି କରୁଥିଲେ ଏବଂ ବିଧିବିଧାନ ଅନୁସାରେ ବିଘ୍ନରାଜଙ୍କୁ ପୂଜା କରୁଥିଲେ। ପୂଜା ଶେଷରେ ପ୍ରସାଦ ବଣ୍ଟନ ଓ ସାମୂହିକ ମିଳନ ହିଁ ଥିଲା ମୁଖ୍ୟ ଆକର୍ଷଣ। କିନ୍ତୁ ଏବେ ସମୟ ବଦଳିଛି। ବଦଳିଛି ଗଣେଶ ପୂଜାର ଚିତ୍ର ମଧ୍ୟ ।

ବଡ଼ ମୂର୍ତ୍ତି, ବଡ଼ ମଣ୍ଡପ

ପୂଜା ଆସିବା ପୂର୍ବରୁ ଆରମ୍ଭ ହୋଇଯାଉଛି ପ୍ରସ୍ତୁତି । କେଉଁଠି ବିଶାଳ ମୂର୍ତ୍ତି, ତ ଆଉ କେଉଁଠି ଆଖି ଝଲସାଇଦେବା ଭଳି ଆଲୋକସଜ୍ଜା । ଥିମ୍‌କୁ ନେଇ ମଧ୍ୟ ଚାଲୁଛି ପ୍ରତିଯୋଗିତା । କେଉଁ ପୂଜା ମଣ୍ଡପ ସବୁଠୁ ଆକର୍ଷଣୀୟ ହେବ, କେଉଁଠି ଅଧିକ ଭିଡ଼ ହେବ ତାକୁ ନେଇ ଚାଲିଛି ଯୋଜନା ।

ମୂର୍ତ୍ତିର ଉଚ୍ଚତା ବଢ଼ୁଛି, ମଣ୍ଡପର ଆକାର ବଢ଼ୁଛି, ଖର୍ଚ୍ଚ ମଧ୍ୟ ବଢ଼ୁଛି । ଏହାସହ ପୂଜା ଏକ ସାମାଜିକ ଉତ୍ସବର ରୂପ ନେବା ନିଶ୍ଚିତ ଭାବେ ଏକ ସକାରାତ୍ମକ ଦିଗ । ହେଲେ ଏହି ଚମକ ଭିତରେ ଭକ୍ତିର ଆଲୋକ ମଳିନ ହେଉନାହିଁ ତ ?

ଟେଣ୍ଟ ଓ ମେଲୋଡ଼ିରେ ଅଧିକ ଉତ୍ସାହ

ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ପୂଜା ପୂର୍ବରୁ ଟେଣ୍ଟ ଓ ମେଲୋଡ଼ିକୁ ନେଇ ଅଧିକ ଉତ୍ସାହ ଦେଖାଯାଉଛି । କେଉଁ କଳାକାର ଆସିବେ, କେମିତି ଷ୍ଟେଜ୍ ହେବ, କେତେ ବଡ଼ ସାଉଣ୍ଡ ସିଷ୍ଟମ୍ ଲାଗିବ ଏ ସବୁ ନେଇ ଚାଲୁଛି ପ୍ରସ୍ତୁତି ।

ପୂଜା ମଣ୍ଡପରେ ମେଲୋଡ଼ି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଖରାପ କଥା ନୁହେଁ। ବରଂ ଏହା ଯୁବପିଢ଼ିକୁ ଏକାଠି କରିବା ସହ ସାଂସ୍କୃତିକ ପରିବେଶ ତିଆରି କରିପାରେ। ସମସ୍ୟା ସେତେବେଳେ ଆସେ, ଯେତେବେଳେ ପୂଜା ଅପେକ୍ଷା ମନୋରଞ୍ଜନ ହିଁ ମୁଖ୍ୟ ଆକର୍ଷଣ ପାଲଟିଯାଏ ।

ପୂଜା ଅଛି, ହେଲେ ପୂଜା ଭାବ କାହିଁକି କମୁଛି ?

ଆମେ କ’ଣ ଗଣେଶ ପୂଜାକୁ କେବଳ ଏକ ଇଭେଣ୍ଟରେ ପରିଣତ କରୁନାହୁଁ ? ମଣ୍ଡପରେ ହଜାର ହଜାର ଲୋକ ଆସୁଛନ୍ତି, ଆଲୋକରେ ପୂଜାସ୍ଥଳ ଝଲସୁଛି, ମେଲୋଡ଼ିରେ ଲୋକ ମାତୁଛନ୍ତି । କିନ୍ତୁ ଏହି ଭିଡ଼ ଭିତରେ କେତେ ଜଣ ପ୍ରକୃତରେ ଗଣେଶଙ୍କୁ ଦର୍ଶନ କରିବା ଓ ପ୍ରାର୍ଥନା କରିବା ପାଇଁ ଆସୁଛନ୍ତି ? ପୂଜା କମିଟି ଗୁଡ଼ିକ ମଧ୍ୟ ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି ।

ପରମ୍ପରା ରହୁ, ଆଧୁନିକତା ବି ରହୁ

ପରିବର୍ତ୍ତନକୁ ରୋକି ହେବ ନାହିଁ । ଆଜିର ଯୁବପିଢ଼ି ନିଜ ଢଙ୍ଗରେ ପର୍ବ ପାଳନ କରିବାକୁ ଚାହିଁବ । ବଡ଼ ମୂର୍ତ୍ତି, ସୁନ୍ଦର ମଣ୍ଡପ, ସାଂସ୍କୃତିକ କାର୍ଯ୍ୟକ୍ରମ ଏ ସବୁ ମଧ୍ୟ ଉତ୍ସବର ଅଂଶ ହୋଇପାରେ । କିନ୍ତୁ ଆଧୁନିକତା ସହ ପରମ୍ପରାକୁ ଭୁଲିଗଲେ ଚଳିବ ନାହିଁ । ଗଣେଶ ପୂଜାର ମୂଳରେ ରହିଛି ଭକ୍ତି, ଶ୍ରଦ୍ଧା, ଏକତା ଓ ଶୁଭର ଆହ୍ୱାନ । ତେଣୁ ମଣ୍ଡପ ଯେତେ ବଡ଼ ହେଉ, ମୂର୍ତ୍ତି ଯେତେ ଆକର୍ଷଣୀୟ ହେଉ, ପୂଜାର ମୂଳ ଭାବନା ଯେପରି ହଜି ନ ଯାଏ, ସେଥିପ୍ରତି ସମସ୍ତଙ୍କ ସଚେତନ ରହିବା ଆବଶ୍ୟକ ।

ଶେଷରେ ପ୍ରଶ୍ନ ଏତିକି ଆମେ ଗଣେଶ ପୂଜା ପାଳନ କରୁଛୁ, ନା ଗଣେଶ ପୂଜାକୁ ନେଇ ଏକ ବଡ଼ ଆୟୋଜନ କରୁଛୁ ? ଉତ୍ସବର ଚମକ ରହୁ, ଯୁବପିଢ଼ିର ଉତ୍ସାହ ରହୁ, ମେଲୋଡ଼ି ବି ହେଉ । କିନ୍ତୁ ସେହି ଚମକ ଭିତରେ ଗଣପତିଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ଦୀପଟି ଯେପରି ଲିଭି ନ ଯାଏ। ଏ ଲେଖା କାହାକୁ ଆକ୍ଷେପ କରି ନୁହେଁ । ବରଂ ଆଜିର ସମାଜରେ ଘଟୁଥିବା ଚିତ୍ରକୁ ନେଇ ଏକ ଝଲକ ମାତ୍ର ।

Leave a Reply

Your email address will not be published. Required fields are marked *