ଭୁବନେଶ୍ୱର, ୧୨/୯: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିରୋଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ବ୍ୟାଙ୍କ ଲକରରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୁରୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖା ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଜପତି ନଗରର ଦମ୍ପତି ।
ଏ ନେଇ ଶାଖା ପରିଚାଳକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ପୁରୀ ଟାଉନ୍ ଥାନାରେ ସେମାନେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ଦେଇ ୨୦୨୫ ଜୁନ୍ ୧୬ରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ପୁରୀ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ଲକରରେ ରଖିଥିଲେ । ତେବେ ଚଳିତ ମାସ ୧୦ ତାରିଖରେ ବ୍ୟାଙ୍କ୍ ଲକରରୁ ଏକ ଚେନ୍ ଆଣିବା ପାଇଁ ଯାଇଥିଲେ । ତାଙ୍କ ପାଖରେ ଥିବା ବ୍ୟାଙ୍କ୍ ଲକର୍ ଚାବି ଓ ଲକର୍ ଇନଚାର୍ଜଙ୍କ ପାଖରେ ଥିବା ଚାବି ଦ୍ବାରା ଲକର୍ ଖୋଲାଯାଇଥିଲା । ତେବେ ଲକରରେ କୌଣସି କଣ୍ଟେନର ନଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟାଙ୍କ୍ ଛୁଟି ଥିବାରୁ ପୁଲିସ ବ୍ୟାଙ୍କଶାଖାକୁ ଯାଇ ତଦନ୍ତ କରିପାରିନାହିଁ ।













Leave a Reply