ଭୁବନେଶ୍ୱର, ୧୦/୯: ପୁଣି ସକ୍ରିୟ ହେଲା ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରଅନେକ ସ୍ଥାନରେ ବର୍ଷା ଲାଗିରହିଛି | ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବେସରକାରୀ ସ୍କୁଲ ସକାଳ ୧୦ଟା ପରେ ବନ୍ଦ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ‘ରେଡ୍ ୱାର୍ଣ୍ଣିଂ’ ଙ୍କୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।”
ନିର୍ଦ୍ଦେଶ ଅନୁଯାୟୀ, ଆଜି ଜିଲ୍ଲାର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସେହିପରି ସମସ୍ତ ବେସରକାରୀ ସ୍କୁଲଗୁଡ଼ିକ ଆଜି ସକାଳ ୧୦:୦୦ଟା ପରେ ସେମାନଙ୍କର କ୍ଲାସ୍ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପିଲା ଯେପରି ସ୍କୁଲକୁ ନଆସନ୍ତି, ସେନେଇ ସମସ୍ତ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ ଏବଂ ଶିକ୍ଷକମାନେ ହ୍ୱାଟ୍ସଆପ୍, ଫୋନ୍ କଲ୍ ବା ଏସ୍.ଏମ୍.ଏସ୍. ଜରିଆରେ ଅଭିଭାବକମାନଙ୍କୁ ତୁରନ୍ତ ଅବଗତ କରାଇବାକୁ କୁହାଯାଇଛି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ 5ଟା 30 ସମୟରେ ଉତ୍ତରବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 9.4କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ଥିବାବେଳେ, ଏହା ଦକ୍ଷିଣପଶ୍ଚିମ ଦିଗରେ ଢଳିଛି। ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।”
ଆଜି ସାରା ଓଡ଼ିଶାରେ ବର୍ଷା ସହ ମୟୂରଭଞ୍ଜରେ ଅତି ପ୍ରବଳ ଵର୍ଷାକୁ ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ- ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ସହ ଅବଶିଷ୍ଟ ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୫୦ କିମି ବେଗରେ ଝଟକା ପବନକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ବିଭାଗ ।
ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଲଘୁଚାପର ଗତିପଥ ଓ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି। ଆଗାମୀ ସମୟରେ ଲଘୁଚାପର ତୀବ୍ରତା ଓ ଗତିପଥ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ସତର୍କତାରେ ପରିବର୍ତ୍ତନ ଆସିପାରେ।













Leave a Reply