ବଢ଼ିଲା ଅଙ୍ଗନବାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା

ଭୁବନେଶ୍ୱର ୨୬/୯ : ରାଜ୍ୟର ୧.୪୮ ଲକ୍ଷ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଖୁସି ଖବର। ଶାଢୀ ଭତ୍ତା ୧୩୯୦ରୁ ବଢି ୧୫୦୦ ଟଙ୍କା ହେଲା | ବାର୍ଷିକ ୨ଟି ଶାଢୀ ପାଇଁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ଭାରତ ସରକାର ୬୦୦ ଟଙ୍କା ଏବଂ ଓଡ଼ିଶା ସରକାର ୯୦୦ ଟଙ୍କା ପ୍ରଦାନ କରିବେ । ସମୁଦାୟ ୨୨.୩୦ କୋଟି ଟଙ୍କାର ବ୍ୟୟବରାଦରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡି କର୍ମୀ ଓ ସହାୟିକା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଙ୍ଗନବାଡ଼ି ଦିଦିଙ୍କ ଉଦେଶ୍ୟରେ ଏହି ଘୋଷଣା କରିଛନ୍ତି |

ସୂଚନାଯୋଗ୍ୟ, ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ’DIPTI’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ‘ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’ ଥିମ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଓ ଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା ଓ ପ୍ରକଳ୍ପ ସ୍ତରର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବା ସହ ମହିଳା ଓ ଶିଶୁଙ୍କ ପାଇଁ ଉପଲବ୍ଧ ସେବାକୁ ଆହୁରି ପ୍ରଭାବଶାଳୀ କରିବା ନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟଯେ ସମଗ୍ର ରାଜ୍ୟରେ ୯ ସେପ୍ଟେମ୍ବର ରୁ ୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ‘ପୋଷଣ ମାସ’ ଏବଂ ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ଚାଲୁରହିଥିବା ବେଳେ, ଏହି ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ୭୪,୨୨୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୭ ରୁ ୨୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩-ଦିନିଆ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ପ୍ରାୟ ୩୭,୧୧,୨୦୦ ଜଣ ହିତାଧିକାରୀ ଓ ଅଙ୍ଗନୱାଡ଼ି ମ୍ୟାନେଜମେଣ୍ଟ କମିଟି (AMC) ସଦସ୍ୟ ଏବଂ ୧୩,୦୩,୪୧୫ ଜଣ (୩ ରୁ ୬ ବର୍ଷର) ଶିଶୁ ଭାଗନେବେ ।

ଏହି ତିନି ଦିନିଆ କାର୍ଯ୍ୟସୂଚୀର ପ୍ରଥମ ଦିନ -୨୭ ସେପ୍ଟେମ୍ବର, ‘ପୋଷଣ ଓ ଖାଦ୍ୟ ପ୍ରତିଯୋଗିତା’ ଭାବେ ପାଳିତ ହେବ, ଯେଉଁଥିରେ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ‘ପୋଷଣ ପିଠା’ ପ୍ରଦର୍ଶିତ ହେବ ଏବଂ ସ୍ଥାନୀୟ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ପିତାମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନ-୨୮ ସେପ୍ଟେମ୍ବର, ଶିଶୁ ଭିତ୍ତିକ ମନୋରଞ୍ଜନ, ଖେଳ, କାହାଣୀ କହିବା ସହ “ଆମ କୁନିପିଲା” ଓ “ମୋ ବିକାଶ ପତ୍ର” ଅନ୍ୟାନ ପଠନ ସାମଗ୍ରୀ ପ୍ରଦର୍ଶନ ସହ ଶିଶୁଙ୍କ ପାଇଁ ଲସି, ସ୍ଥାନୀୟ ଫଳ ଓ ମିଲେଟ୍ କୁକି ଦିଆଯିବ। ତୃତୀୟ ଦିନ -୨୯ ସେପ୍ଟେମ୍ବର, ମୁଖ୍ୟ ସମାରୋହରେ POSHAN, SUBHADRA, MAMATA, PM-AWAS, ଓ ADVIKA ଯୋଜନା ଉପରେ ଆଲୋଚନା, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ସ୍ୱାସ୍ଥ୍ୟକର ‘ତ୍ରିରଙ୍ଗା ଥାଳି’ ଭୋଜନର ବ୍ୟବସ୍ଥା କରାଯାଇଛି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ. ନିର୍ଦ୍ଦେଶକା, ଶ୍ରୀମତୀ ମୋନିଷା ବାନାର୍ଜୀ,ଟି.ପି. ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟି.ପି.ସି.ଓ.ଡି.ଏଲ୍.)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗଜାନନ ଏସ. କାଳେ , ଏବଂ ବିଭାଗୀୟ ଆଧିକାରିକ ବୃନ୍ଦ ଉପସ୍ଥିତ ରହିଥିଲେ|

Leave a Reply

Your email address will not be published. Required fields are marked *