ଭୁବନେଶ୍ବର,୧୩/୧୦ : ଓଲିଉଡ଼ରେ ଏଥର ଦଶହରାରେ ଦେଖିବାକୁ ମିଳିବ ଭିନ୍ନ ଚିତ୍ର । ପ୍ରତି ବର୍ଷ ପାର୍ବଣ ଋତୁରେ ଅନୁଭବ ମହାନ୍ତି ଓ ବାବୁସାନଙ୍କ ଭଳି ଲୋକପ୍ରିୟ ସୁପରଷ୍ଟାରଙ୍କ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । କିନ୍ତୁ ଏଥର ଦଶହରାରେ ଏହି ଦୁଇ ଅଭିନେତାଙ୍କ ସିନେମା ପରଦାକୁ ଆସିବ ନାହିଁ । ଏଥର ମୁକ୍ତିଲାଭ କରିବାକୁ ଯାଉଛି ୬ ନୂଆ ଓଡ଼ିଆ ସିନେମା।
ମନୋଜ ମିଶ୍ରଙ୍କ ସିନେମା AWMକୁ ନେଇ ଏବେ ଠୁ ଚର୍ଚ୍ଚା ଜାରି ରହିଥିବାବେଳେ ଡେଞ୍ଜର ଦେବଦାସରେ ଜ୍ୟୋତି ଓ ଅମ୍ଳାନଙ୍କ ଯୋଡ଼ିକୁ ନେଇ ବେଶ୍ ଉତ୍ସାହ ରହିଛି । ବିଶେଷ କରି ଜ୍ୟୋତିଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳୁଛି । ସବୁଥର ଭଳି ଅର୍ଦ୍ଧେନ୍ଦୁ କିନ୍ତୁ ତାଙ୍କର ରେକର୍ଡ଼ ବଜାୟ ରଖିଛନ୍ତି । ସେ ଆସୁଛନ୍ତି ଗେମ୍ ଓଭର ନେଇ । ସେହିଭଳି ଏହାକୁ ଟକ୍କର ଦେବାକୁ ଆସୁଛି ଆଦିତ୍ୟଙ୍କ ମନଷ୍ଟର । ଯେଉଁଥିରେ ତାଙ୍କୁ କିଲର୍ ଲୁକରେ ଦେଖିବାକୁ ମିଳୁଛି । ସବୁ ପରେ ଓଡ଼ିଶାର ଦର୍ଶକ ଏଥର ଦଶହରାରେ ‘ମଧୁମାଳତୀ’ ମାଧ୍ୟମରେ ୮୦ ଦଶକର ପ୍ରେମ ଦେଖିବେ । ମୋହନ ଗିରି ବି ଏହି ରେଶରୁ ବାଦ୍ ପଡ଼ିନି । ଆସନ୍ତୁ ନଜର ପକାଇବା ଚଳିତ ଦଶହରାରେ ରିଲିଜ ହେଉଥିବା ସିନେମା ଉପରେ …

AWM : ‘ଏଡବ୍ଲ୍ୟୁଏମ୍ : ଆଗ୍ନେୟ ୱେଡସ ମାନଲ୍’ । ଯାହାକୁ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିରେ ସମ୍ପୂର୍ଣ୍ଣ ନୂତନ ଚରିତ୍ରରେ ନଜର ଆସୁଛନ୍ତି ମନୋଜ ମିଶ୍ର। ତାଙ୍କର ଫ୍ୟାନ୍ସମାନେ ତାଙ୍କର ଏଭଳି ନୂଆ ଚରିତ୍ରକୁ ବହୁ ପସନ୍ଦ କରିଛନ୍ତି । ଶାରୀରିକ ଅକ୍ଷମତାକୁ ଦେଖିବାର ଏକ ଭିନ୍ନ ଦୃଷ୍ଟିକୋଣ ଏବଂ ସମାଜରେ ଏହାର ଭାବପ୍ରବଣ ଯାତ୍ରାକୁ ଏଥିରେ ଅତି ସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଅଭିନୟରେ ମନୋଜ ମିଶ୍ର ଥିବାବେଳେ ତାଙ୍କ ସହ ନାୟିକା ଅଛନ୍ତି ଅର୍ଲିନ୍ ଅଙ୍କିତା । ଅନ୍ୟ ଭୂମିକାରେ ଉଷସୀ ମିଶ୍ର, ଶକ୍ତି ବରାଳ, ସଞ୍ଜୟ ମହାପାତ୍ର, ଆକାଶ ଓ ପି. ସୀମାଙ୍କ ଭଳି ଅଭିଜ୍ଞ କଳାକାର ଅଛନ୍ତି । ନିର୍ଦ୍ଦେଶନାରେ ରିଷଭ ଅଗ୍ରୱାଲ ଥିବାବେଳେ କାହାଣୀ ରଚନା କରିଛନ୍ତି ନାରାୟଣ ରାଉତ, ମନୋଜ ମିଶ୍ର ଓ ରିଷଭ ଅଗ୍ରୱାଲ । ସଙ୍ଗୀତ ଦେଇଛନ୍ତି ଅକ୍ଷୟ ବୈରାଗୀ । ପ୍ରଯୋଜନାରେ ଅଛନ୍ତି ମନୋଜ ମିଶ୍ର, ମମତା ନନ୍ଦ, ଜଗନ ମହାନ୍ତ, ରିଷଭ ଅଗ୍ରୱାଲ ଓ ପ୍ରଶାନ୍ତ ବେହେରା। ଏହି ଚଳଚ୍ଚିତ୍ରଟି ଚଳିତ ଦଶହରାରେ ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଗେମ୍ ଓଭର : ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଆଦିକନ୍ଦ ସାହୁଙ୍କ ପ୍ରଯୋଜନାରେ ଯୁବ ନିର୍ଦ୍ଦେଶକ ରାଜା ଡି. ଙ୍କ ନିର୍ଦ୍ଦେଶନାରେ ଏଇ ଦଶହରାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଗେମ୍ ଓଭର” l କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ କୁନା ତ୍ରିପାଠୀ ରଚନା କରିଛନ୍ତି l ଦର୍ଶକଙ୍କୁ ପ୍ରତ୍ୟେକ ବର୍ଷ ଦଶହରାରେ ଅର୍ଦ୍ଧେନ୍ଦୁ କିଛି ନୂଆ ଅନୁଭୂତି ଦେବାକୁ ପ୍ରୟାସ କରନ୍ତି l ଯେପରି ଚ୍ୟାଲେଞ୍ଜରେ ପ୍ରଖ୍ୟାତ ବଲିଉଡ଼ ଅଭିନେତା ପୁଣିତ ଇଶାରଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ ଠିକ୍ ସେହିପରି ଏଥର ଦଶହରା ନାୟିକା ଉର୍ବଶୀଙ୍କୁ ଦେଖିବାକୁ ପାଇବେ l ଉର୍ବଶୀ ଚୌହାନ ଦକ୍ଷିଣ ଭାରତର ଜଣେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା, ଯିଏ ପୁଷ୍ପାରେ ଆଲୁ ଅର୍ଜୁନଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ l ତାସହିତ ଅର୍ଦ୍ଧେନ୍ଦୁଙ୍କ ନାୟିକା ଭାବେ ଚୁଲବୁଲି ସୁପ୍ରିୟା ନଜର ଆସିବେ l ଅର୍ଦ୍ଧେନ୍ଦୁ ଏବଂ ସୁପ୍ରିୟା ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକଙ୍କର ଆବେଗ ରହିଛି l ଫିଲ୍ମ ରିଲିଜ୍ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଯନ୍ତାଳ’ ଗୀତକୁ ଦର୍ଶକ ଢେର ଭଲ ପାଇବା ଦେଉଛନ୍ତି l

ଡେଞ୍ଜର ଦେବଦାସ : ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ‘ଡେଞ୍ଜର ଦେବଦାସ’ । ଶିକାରର ଅପୂର୍ବ ସଫଳତା ପରେ ଏବେ ଅମ୍ଳାନ ପୁଣି ଥରେ ଡେଞ୍ଜର ଦେବଦାସ ନେଇ ଆସୁଛନ୍ତି । ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଅମ୍ଳାନଙ୍କ ‘ଡେଞ୍ଜର ଦେବଦାସ’ରେ ପୂରା ଡେଞ୍ଜର ଲୁକ୍ ସହ ଦମଦାର୍ ଭୂମିକାରେ ଆସୁଛନ୍ତି ଅଭିନେତା ଜ୍ୟୋତି । ଜ୍ୟୋତି ବେଙ୍ଗଲୀ ଷ୍ଟାଇଲରେ ଧୋତିପିନ୍ଧା, କଥାବାର୍ତ୍ତାଠୁ ନେଇ ଘୋଷଦାଦା ଚରିତ୍ରକୁ ଫୁଟାଇବାକୁ ସେ ପୂରା କସରତ କରିଛନ୍ତି । ସଂଳାପ ସାଙ୍ଗକୁ ଚିତ୍ତାକର୍ଷକ ଅଭିନୟ । ତାଙ୍କ କଥା ଶୁଣି ଲାଗୁଛି ସତକୁ ସତ ଏଥିର ଦଶହରାରେ ଘୋଷ ଦାଦା ଖେଳ କରିବେ । ସିନେମାର ନିର୍ଦ୍ଦେଶନାରେ ଅଛନ୍ତି ଓଲିଉଡ଼ର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ଅଶ୍ବନୀ ତ୍ରିପାଠୀ ।

ମନଷ୍ଟର : ଆସନ୍ତା ପୂଜା ବଜାରରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ସିନେମା ‘ମନଷ୍ଟର’ । କିଲର୍ ଲୁକରେ ନଜର ଆସିବେ ଓଲିଉଡ଼ର ଲଭର ବୟ । ‘ଆଇଲଭୟୁ ୨’ ପରେ ଆଦିତ୍ୟ ମହାପାତ୍ରଙ୍କ ଏହା ଦ୍ବିତୀୟ ସିନେମା। ଦେବରାଜ ବିଧାର ପ୍ରଯୋଜନାର ଭାର ସମ୍ଭାଳିଥିବାବେଳେ ଓଲିଉଡ଼ର ଷ୍ଟାଇଲିଶ୍ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି । ଆଦିତ୍ୟଙ୍କ ଫ୍ୟାନ୍ସ ତାଙ୍କୁ ଏହି କିଲର୍ ଲୁକରେ ଦେଖି ବହୁ ପସନ୍ଦ କରିଛନ୍ତି । ଆସନ୍ତା ଅକ୍ଟୋବର ୧୬ତାରିଖ ଏହା ରିଲିଜ ହେବାକୁ ପ୍ରସ୍ତୁତ ହେଉଛି । ଅଭିନୟରେ ଆଦିତ୍ୟଙ୍କ ସମେତ ଦିବ୍ୟଜ୍ୟୋତି ତ୍ରିପାଠୀ, ମହାଶ୍ୱେତା ରାୟ, କ୍ରିଷ୍ଣା କର, ସ୍ବପ୍ନା ପ୍ରିୟଦର୍ଶନୀ, ରାଜ୍ ରାଜେଶ, ଚୌଧୁରୀ ଜୟପ୍ରକାଶ ଦାସ, ମିଠି, ଆକାଶ ରାଉତ ପ୍ରମୁଖ ରହିଛନ୍ତି । ମନଷ୍ଟରର ଫାଷ୍ଟ୍ ଲୁକରେ ଆଦିତ୍ୟଙ୍କୁ ଫାଇଟ୍ କରୁଥିବା ଦେଖାଯାଉଛି । ଯେଉଁଥିରୁ ଅନୁମାନ କରାଯାଉଛି କି ଏହା ଏକ ଆକ୍ସନ ଫିଲ୍ମ ବୋଲି ।

ମଧୁମାଳତୀ : ଦୁର୍ଗାପୂଜାରେ ୮୦ ଦଶକର ପ୍ରେମ ଓ ରୋମାଞ୍ଚ ନେଇ ଆସୁଛି ‘ମଧୁମାଳତୀ’। ଏହି ଚଳଚ୍ଚିତ୍ରର ଦୁଇଟି ନୂଆ ଗୀତ ଏବେ ସୋସିଆଲ ମିଡ଼ିଆରେ ଜବରଦସ୍ତ ଟ୍ରେଣ୍ଟ କରୁଛି। ଏହି ଗୀତଗୁଡ଼ିକ ଉପରେ ହଜାର ହଜାର ଇନଷ୍ଟାଗ୍ରାମ୍ ରିଲ୍ସ ତିଆରି ହୋଇସାରିଥିବାବେଳେ, ଚଳିତ ଦୁର୍ଗାପୂଜାରେ ପ୍ରେକ୍ଷାଳୟକୁ ଆସୁଛି ‘ମଧୁମାଳତୀ’। ନିର୍ଦ୍ଦେଶନାରେ ମୃତ୍ୟୁଞ୍ଜୟ ସାହୁ ଥିବାବେଳେ କାହାଣୀ, ସ୍କ୍ରିନ୍ ପ୍ଲେ ଏବଂ ସଂଳାପରେ ପ୍ରିୟବ୍ରତ ପଣ୍ଡା ଅଛନ୍ତି । ଉଭୟ ଯୋଡ଼ି ଶିକାର ସିନେମା ମାଧ୍ୟମରେ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନର ଖୋରାକ୍ ଯୋଗାଇଥିବାବେଳେ ଏବେ ‘ମଧୁମାଳତୀ’ରେ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି । ଏଥିରେ ମହାଶ୍ଵେତା, ସଞ୍ଜୟ ମିଶ୍ରା, ଭୂମିକା ପ୍ରମୁଖ ଅଭିନୟ କରୁଛନ୍ତି ।

ମୋହନଗିରି : ୟୁକେ କ୍ରିଏସନ୍ସର ପ୍ରଥମ ଅବଦାନରେ ନିର୍ମିତ ସିନେମା ‘ମୋହନଗିରି’ ଦଶହରାରେ ଆସୁଛି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ରିୟାଜ ଖାନ୍ । ପ୍ରେମ, ଆଶା ଓ ଅନୁଭୂତିର କାହାଣୀ ‘ମୋହନଗିରି’ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ଅନୁଭୂତି ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନାୟକ ଭୂମିକାରେ ସାର୍ଥକ ଥିବାବେଳେ ଦୁଇ ନାୟିକା ଅର୍ଲିନ ଅଙ୍କିତା ଓ ହିରଣ୍ମୟୀ ରହିଛନ୍ତି । ଆଇଟମ୍ ଗୀତରେ ତଡକା ଲଗାଇଛନ୍ତି ରୌମ୍ୟାଞ୍ଜଳି ନାୟକ ।
ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ବିକାଶ ଦାସ, ଉଷସୀ ମିଶ୍ର, ପୁଷ୍ପା ପଣ୍ଡା, ଅଲିଭା ଦାସ, ଦେବ ସାହୁ ଓ ପ୍ରଶାନ୍ତ ପାତ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । କାହାଣୀ ରଚନା କରିଛନ୍ତି ମୀନାରାଣୀ ନାଏକ । ଅଧିକାଂଶ ସୁଟିଂ ଓଡ଼ିଶାରେ ହୋଇଥିବାବେଳେ ଦୁଇଟି ଗୀତ ମୋନାଲିରେ ହୋଇଛି । ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତଗୁଡ଼ିକ ଗାଇଛନ୍ତି ଅସୀମା ପଣ୍ଡା, ହ୍ୟୁମାନ୍ ସାଗର ଏଚ୍ଏସ୍, ଅନନ୍ୟା, ମଣ୍ଟୁ ଛୁରିଆ, ପ୍ରଜ୍ଞା ଓ ଚିରାଗ । ଅନେକ ନବାଗତ ଥିବାରୁ ସମସ୍ତେ ସିନେମାର ସଫଳତା ନେଇ ଆଶାବାନ୍ଧିଛନ୍ତି ।













Leave a Reply