ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା, ୫ ମୃତ, ୩୦ ଆହତ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ପାକିସ୍ତାନ ପଞ୍ଜାବ ପ୍ରଦେଶରେ ବଡ ରେଳ ଦୁର୍ଘଟଣା। ଆଜି ଭୋର ୫ଟା ୧୫ ରେ କରାଚୀରୁ ପେଶାୱର ଯାଉଥିବା ରେହମାନ ବାବା ଏକ୍ସପ୍ରେସ୍ ମୁଲତାନ ନିକଟ ଶେର ଶାହ ବ୍ରିଜ୍ ପାଖରେ ଲାଇନଚ୍ୟୁତ ହୋଇଛି। ଏଥିରେ ୫ ଜଣ ମୃତ ଓ ୩୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରେନ୍‌ର ୧୩ଟି ବଗିରୁ ଯାତ୍ରୀଙ୍କୁ ବାହାର କରାଯାଇଥିବାବେଳେ ଅନ୍ୟ ଏକ ବଗିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ଏହି ଦୁର୍ଘଟଣାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି । ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପୂର୍ବରୁ ରୋହରି ନିକଟରେ ରେଳ କର୍ମଚାରୀମାନେ ଟ୍ରେନ୍‌ର ୯ ନମ୍ବର ବଗିର ନଟ୍‌-ବୋଲ୍ଟ ମରାମତି କରିଥିଲେ । ତେବେ ଏହି ଦାବିର ସ୍ୱତନ୍ତ୍ର ଯାଞ୍ଚ ହୋଇନାହିଁ । ମରାମତି ଓ ଦୁର୍ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ, ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଚିନ୍ତା ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆହତଙ୍କୁ ତୁରନ୍ତ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *