ନେପାଳରେ ଆକସ୍ମିକ ବନ୍ୟା ଯୋଗୁଁ ୧୦ ନିଖୋଜ, ଫସିରହିଛନ୍ତି ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ନେପାଳରେ ପୁଣି ପ୍ରକୃତି ଖେଳିଛି ତାଣ୍ଡବ । ମନାସ୍ଲୁ ଟ୍ରେକିଂ ଅଞ୍ଚଳରେ ଆକସ୍ମିକ ବନ୍ୟା ଆସିଛି | ଫଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ପ୍ରାୟ ୪୦ଟି ଘର, ୬ଟି ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ଭାସିଯାଇଥିବା ନେଇ ସୂଚନା ମିଳିଛି । ପ୍ରାୟ ୧୦ ଜଣ ନିଖୋଜ ଥିବାବେଳେ ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ତେବେ ନେପାଳ ସେନା ୪୯ ଜଣଙ୍କୁ ଉଦ୍ଧାର କରିଛି ।

ରବିବାର ଭୋର ପ୍ରାୟ ୪ଟା ସମୟରେ କାଠମାଣ୍ଡୁଠାରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମରେ ଥିବା ଚୁମନୁବ୍ରି ଅଞ୍ଚଳରେ ବୁଢ଼ୀ ଗଣ୍ଡକୀ ନଦୀ ନିକଟରେ ଏହି ଆକସ୍ମିକ ବନ୍ୟା ଆସିଥିଲା । ଭୂସ୍ଖଳନ ଯୋଗୁଁ ନଦୀର ଜଳପ୍ରବାହ ଅଟକି ରହିବା ଏବଂ ପରେ ହଠାତ୍ ପ୍ରତିବନ୍ଧକ ହଟିଯିବାରୁ ବନ୍ୟା ଆସିଥାଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି । ତେବେ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ବନ୍ୟାରେ ୩୫ରୁ ୪୦ଟି ଘର ଏବଂ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ନଷ୍ଟ ହୋଇଯାଇଛି । ଏହାସହ ଆଉ ୨୦ରୁ ୨୨ଟି ଘର ପ୍ରତି ବିପଦ ସୃଷ୍ଟି ହୋଇଛି । ୬ଟି ପୋଲ ଭାସିଯିବା କିମ୍ବା କ୍ଷତିଗ୍ରସ୍ତ ହେବାରୁ ଦୁର୍ଗମ ଅଞ୍ଚଳର ଅନେକ ବସତି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ସେହିପରି ନିର୍ମାଣାଧୀନ ୩୪୧ ମେଗାୱାଟ୍ କ୍ଷମତା ବିଶିଷ୍ଟ ବୁଢ଼ୀ ଗଣ୍ଡକୀ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ଶିବିର ଓ ଯନ୍ତ୍ରପାତି ମଧ୍ୟ ନଷ୍ଟ ହୋଇଛି ।

ଅନ୍ୟପଟେ, ଅରୁଘାଟ ଅଞ୍ଚଳରେ ନଦୀର ଜଳସ୍ତର ୮.୪ ମିଟରକୁ ବୃଦ୍ଧି ପାଇଥିଲା, ଯେତେବେଳେ ବିପଦ ସଙ୍କେତ ୫ ମିଟର ରହିଛି । ପରେ ବନ୍ୟାଜଳ ଜଳସ୍ତର ମାପ କରୁଥିବା ନିରୀକ୍ଷଣ କେନ୍ଦ୍ରକୁ ଭାସାଇ ନେଇଥିଲା । ଫଳରେ ଜଳସ୍ତର ସମ୍ପର୍କିତ ତଥ୍ୟ ରେକର୍ଡ କରିବାରେ ବାଧା ସୃଷ୍ଟି ହୋଇଛି । ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଧାଡିଂ, ତନହୁନ, ଚିତୱନ ଏବଂ ପୂର୍ବ ଓ ପଶ୍ଚିମ ନୱଲପରାସୀ ଜିଲ୍ଲାକୁ ସତର୍କ କରାଯାଇଛି । ତ୍ରିଶୂଳୀ ଓ ନାରାୟଣୀ ନଦୀକୂଳରେ ରହୁଥିବା ଲୋକଙ୍କୁ ନଦୀଠାରୁ ଦୂରରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଏପରିକି ନଦୀର ଉପରମୁଣ୍ଡରେ ପୁଣି ଜଳପ୍ରବାହ ଅଟକି ରହିଥିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ ।

ସେପଟେ, ନେପାଳର ଲୋକପ୍ରିୟ ମନାସ୍ଲୁ ଟ୍ରେକିଂ ସର୍କିଟ୍ ମଧ୍ୟ ଏହି ବନ୍ୟା ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି । ଜଗତରେ ୧୦୦ରୁ ଅଧିକ, ଲୋକପାରେ ୧୭ ଜଣ ଏବଂ ଚୁମ୍ ଉପତ୍ୟକାର ଛେକମ୍ପାରରେ ପ୍ରାୟ ୪୦ ଜଣ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି ।

Leave a Reply

Your email address will not be published. Required fields are marked *