ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୨/୧୦: ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ ।
ଆଦିଶକ୍ତି ଦେବୀ ଦୁର୍ଗାଙ୍କ ନବରାତ୍ର ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୌରାଣିକ କଥା ଅନୁଯାୟୀ ମାଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଉଲ୍ଲେଖ ରହିଛି ନବରାତ୍ରୀରେ ମା ନଅ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠକୁ ଆସି ଭକ୍ତମାନଙ୍କ ସହ ରହିଥାନ୍ତି। ଏହିକାରଣରୁ ମାଙ୍କୁ ଖୁସି କରାଇବା ପାଇଁ ଭକ୍ତ ବିଧି ପୂର୍ବକ ପୂଜା, ଆଳତୀ କରିଥାନ୍ତି।
କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମା ଦୁର୍ଗା କେଉଁ ଦିନ କେଉଁ ରୂପରେ ପୂଜା ପାଆନ୍ତି, ତାଙ୍କୁ ପୂଜା କରିବାର ବିଧି, କେଉଁ ନାମରେ ମା ଙ୍କ ପୂଜା କରାଯାଏ ….
୧ – ପ୍ରତିପଦା (ଅକ୍ଟୋ ୧୨): ମା ଶୈଳପୁତ୍ରୀ – ହିମାଳୟ କନ୍ୟା, ସ୍ଥିରତା ଓ ଶକ୍ତିଦିନ
୨ – ଦ୍ୱିତୀୟା (ଅକ୍ଟୋ ୧୩): ମା ବ୍ରହ୍ମଚାରିଣୀ – ତପସ୍ୟା, ଧୈର୍ଯ୍ୟର ଦେବୀଦିନ
୩ – ତୃତୀୟା (ଅକ୍ଟୋ ୧୪): ମା ଚନ୍ଦ୍ରଘଣ୍ଟା – ଶାନ୍ତି ଓ ସାହସ, ମୁଣ୍ଡରେ ଅର୍ଦ୍ଧଚନ୍ଦ୍ର
୪ – ଚତୁର୍ଥୀ (ଅକ୍ଟୋ ୧୫): ମା କୁଷ୍ମାଣ୍ଡା – ସୃଷ୍ଟିର ଆଦି ଶକ୍ତି
୫ – ପଞ୍ଚମୀ (ଅକ୍ଟୋ ୧୬): ମା ସ୍କନ୍ଦମାତା – କାର୍ତ୍ତିକେୟଙ୍କ ମାତା, ବାତ୍ସଲ୍ୟର ରୂପ – ଏହି ଦିନ ଷଷ୍ଠୀ ପୂଜା
୬ – ଷଷ୍ଠୀ (ଅକ୍ଟୋ ୧୭): ମା କାତ୍ୟାୟନୀ – ଯୁଦ୍ଧ ଦେବୀ, ଅସୁର ବିନାଶିନୀ – ସପ୍ତମୀ
୭ – ସପ୍ତମୀ (ଅକ୍ଟୋ ୧୯): ମା କାଳରାତ୍ରୀ – ଅନ୍ଧକାର ନାଶିନୀ, ଭୟଙ୍କର ରୂପ – ଅଷ୍ଟମୀ, କୁମାରୀ ପୂଜା
୮ – ଅଷ୍ଟମୀ (ଅକ୍ଟୋ ୨୦ ସକାଳ): ମା ମହାଗୌରୀ – ପବିତ୍ରତା, ଶାନ୍ତି – ନବମୀ ହୋମ
୯ – ନବମୀ (ଅକ୍ଟୋ ୨୦ ଅପରାହ୍ନ): ମା ସିଦ୍ଧିଦାତ୍ରୀ – ସବୁ ସିଦ୍ଧି ଦେଉଥିବା, ଶେଷ ରୂପ
୧୦ମ ଦିନ ଦଶମୀ (ଅକ୍ଟୋ ୨୧): ବିଜୟା ଦୁର୍ଗା – ଅସୁର ଉପରେ ବିଜୟ ଉତ୍ସବ।
ନବରାତ୍ରର ନବସ୍ୱରୂପର ଦ୍ଵିତୀୟ ରୂପ ‘ମା ବ୍ରହ୍ମଚାରିଣୀ ’
ମା’ ବ୍ରହ୍ମଚାରିଣୀ ହେଉଛନ୍ତି ଦେବୀ ପାର୍ବତୀଙ୍କର ଏକ ସ୍ୱରୂପ ଏବଂ ନବଦୁର୍ଗାଙ୍କ ଦ୍ୱିତୀୟ ରୂପ। ନବରାତ୍ରୀର ଦ୍ୱିତୀୟ ଦିନରେ ବିଧିବିଧାନ ଅନୁସାରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଏ। ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମା’ ବ୍ରହ୍ମଚାରୀଣି ନିଜ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି। ଏହି ବେଶରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।

ମା’ ବ୍ରହ୍ମଚାରିଣୀଙ୍କ ସ୍ୱରୂପ ଓ ମହିମା:
* ସ୍ୱରୂପ: ମା’ଙ୍କ ରୂପ ଅତି ସୁନ୍ଦର, ଶାନ୍ତ ଏବଂ ତେଜୋମୟୀ। ସେ ଶୁକ୍ଳ ବସ୍ତ୍ର ଧାରଣ କରିଛନ୍ତି, ତାଙ୍କ ମୁହଁରେ ସ୍ମିତହାସ୍ୟ ଅଛି ଏବଂ ମସ୍ତକରେ ମୁକୁଟ ଶୋଭାପାଉଛି।
* ହସ୍ତ ମୁଦ୍ରା: ତାଙ୍କର ଡାହାଣ ହାତରେ ଜପାମାଳା ଏବଂ ବାମ ହାତରେ କମଣ୍ଡଳୁ ରହିଛି।
* ପୂଜା ଫଳ: ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ମନରେ ତପସ୍ୟା, ତ୍ୟାଗ, ସଦାଚାର ଓ ସହନଶୀଳତା ବୃଦ୍ଧି ପାଇଥାଏ।
* ଗ୍ରହ: ଏହି ରୂପ ମଙ୍ଗଳ ଗ୍ରହ ଦ୍ୱାରା ନିୟନ୍ତ୍ରିତ ବୋଲି ବିଶ୍ୱାସ କରାଯାଏ।
* ମନ୍ତ୍ର: «ଓଁ ଦେବୀ ବ୍ରହ୍ମଚାରିଣ୍ୟେ ନମଃ»

ମା’ ବ୍ରହ୍ମଚାରିଣୀଙ୍କ ଅର୍ଥ
ବ୍ରହ୍ମ ଅର୍ଥ ତପସ୍ୟା ଓ ଚାରିଣୀ ଅର୍ଥ ଆଚରଣ। ଅର୍ଥାତ ଦେବୀ ତପ ଆଚରଣ କରିଥାନ୍ତି। ମା’ଙ୍କ ଡାହାଣ ହାତରେ ଜପ ମାଳା ଓ ବାମ ହାତରେ କମଣ୍ଡଳ ଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ବ୍ରହ୍ମଚାରୀଣିଙ୍କୁ ପୂଜା କଲେ ତପ ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ପାଇଥାଏ। ଦେବୀଙ୍କ ଆରାଧନା କଲେ ବ୍ୟକ୍ତିର ଆତ୍ମବଳ ବୃଦ୍ଧି ପାଇଥାଏ ଯାହାଦ୍ୱାରା ଜୀବନରେ ଆସୁଥିବା ସଙ୍କଟକୁ ଧର୍ଯ୍ୟର ସହ ସାମ୍ନା କରିଥାଏ।

ମୁଖ୍ୟ ଧ୍ୟାନ ଶ୍ଲୋକ
ଦଧାନା କରପଦ୍ମାଭ୍ୟାମକ୍ଷମାଳାକମଣ୍ଡଳୂ ।
ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା ॥
ଅର୍ଥ: ଯିଏ ନିଜ ପଦ୍ମ ସଦୃଶ ହାତରେ ଜପମାଳା ଏବଂ କମଣ୍ଡଳୁ ଧାରଣ କରିଛନ୍ତି, ସେହି ସର୍ବଶ୍ରେଷ୍ଠ ବ୍ରହ୍ମଚାରିଣୀ ଦେବୀ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ।
![]()
ପ୍ରାର୍ଥନା ମନ୍ତ୍ର
ଯା ଦେବୀ ସର୍ବଭୂତେଷୁ ମାଁ ବ୍ରହ୍ମଚାରିଣୀ ରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥
ଅର୍ଥ: ସମସ୍ତ ଜୀବଙ୍କ ମଧ୍ୟରେ ବ୍ରହ୍ମଚାରିଣୀ ରୂପରେ ବିରାଜମାନ ଥିବା ଦେବୀଙ୍କୁ ମୋର ବାରମ୍ବାର ପ୍ରଣାମ।
ପୂଜା ବିଧି:
ସକାଳେ ସ୍ନାନ କରି ଶ୍ୱେତ ବସ୍ତ୍ର ପିନ୍ଧନ୍ତୁମା’ଙ୍କୁ ଶ୍ୱେତ ଫୁଲ, ଅକ୍ଷତ, ଚନ୍ଦନ ଅର୍ପଣ କରନ୍ତୁ
ଘିଅ ଦୀପ ଜାଳି ଏହି ମନ୍ତ୍ର ଜପ କରନ୍ତୁ

ମନ୍ତ୍ର:
ଦଧାନା କରପଦ୍ମାଭ୍ୟାମକ୍ଷମାଳା କମଣ୍ଡଲୁ।
ଦେବୀ ପ୍ରସୀଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା॥
ବୀଜ ମନ୍ତ୍ର: ଓଁ ଦେବୀ ବ୍ରହ୍ମଚାରିଣ୍ୟୈ ନମଃ
ଭୋଗ ଓ ଫଳ:
ଆଜି ମା’ଙ୍କୁ ଚିନି ଓ ପଞ୍ଚାମୃତ ଭୋଗ କଲେ ଦୀର୍ଘାୟୁ ଓ ଆରୋଗ୍ୟ ପ୍ରାପ୍ତି ହୁଏ। ଶାସ୍ତ୍ର ମତରେ ବ୍ରହ୍ମଚାରିଣୀ ପୂଜାରେ ମନରେ ତପ, ତ୍ୟାଗ, ସଂଯମ ଓ ଆତ୍ମବଳ ବୃଦ୍ଧି ପାଏ, ଜୀବନର ସବୁ ବାଧା ଦୂର ହୁଏ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ,
ପୂର୍ବଜନ୍ମରେ ମା’ ବ୍ରହ୍ମଚାରିଣୀ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେଇଥିଲେ। ଭଗବାନ ଶଙ୍କରଙ୍କୁ ସ୍ୱାମୀ ରୂପେ ପାଇବାକୁ ସେ ବହୁତ କଠିନ ତପସ୍ୟା କରିଥିଲେ। ମା’ ହଜାରେ ବର୍ଷ ଯାଏଁ କେବଳ ଫଳମୂଳ ଖାଇ ଜୀବନ ବିତାଇଥିଲେ। ଏହାପରେ ମା’ କଠିନ ବ୍ରତ ପାଳନ କରି ଖୋଲା ଆକାଶ ତଳେ ଖରା ବର୍ଷା ସବୁ ସହ୍ୟ କରିଥିଲେ। ଖଣ୍ଡିଆ ବେଲପତ୍ର ଖାଇ ଭଗବାନ ଶିବଙ୍କୁ ଆରାଧନା କରୁଥିଲେ। ମା’ ହଜାରେ ବର୍ଷ ଯାଏଁ କେବଳ ଫଳମୂଳ ଖାଇ ଜୀବନ ବିତାଇଥିଲେ। ଏତେ ସବୁ କଲାପରେ ବି ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ମା’ ଶୁଖିଲା ବେଲପତ୍ର ମଧ୍ୟ ଖାଇବା ଛାଡି ଦେଇଥିଲେ ଓ କେତେ ହଜାର ବର୍ଷ ଯାଏଁ ନିର୍ଜଳା ଓ ନିରାହାର ତପସ୍ୟା କରିଥିଲେ। କଠିନ ତପସ୍ୟା ଯୋଗୁଁ ମା’ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ସମସ୍ତ ଦେବାଦେବୀ, ଋଷି,ମୁନି ମା’ଙ୍କ ମନୋସ୍କାମନା ପୂରଣ ହେବାକୁ ଆଶୀର୍ବାଦ ଦେଇଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଯାଏ।
ଆନନ୍ଦମୟୀ ଦେବି ଶୁକ୍ଳ ବସ୍ତ୍ର ପରିହିତା । ସହାସ୍ୟ ବଦନୀ, ମସ୍ତକରେ ମୁକୁଟ । ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ । ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାବ । ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ । ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ । ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ । ଦେବତା ଗଣ ଏକତ୍ରିତ ହୋଇଥାନ୍ତି । ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ । ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ । ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ ? ତାଙ୍କୁ ଜ୍ୟୋତି
କହିଲେ ଆପଣ କିଏ କୁହନ୍ତୁ ତ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ପାଖରେ ଅଛି । ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଚ୍ଛ ଦେଇ ଦଗ୍ଧ କରିବା ପାଇଁ କହିଲେ ହେଲେ ଅଗ୍ନି ଦେବତା ତାହା କରିପାରି ନଥିଲେ । ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣା କଲେ । ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ । ବାୟୁ ତାହା କରି ନପାରି ଲଜ୍ଜିତ ହେଲେ । ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ । ମାତ୍ର ଜ୍ୟୋତି କେଉଁ ଆଡେ ଅର୍ନ୍ତଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରିଣୀ ରୂପରେ ଆବିର୍ଭୁତା ହେଲେ । ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ।













Leave a Reply