ଧନ ଜୀବନ ସୁରକ୍ଷା ଓ ଜଳସେଚନ ପାଇଁ ବରଦାନ ସାବ୍ୟସ୍ତ ହେବ ଡପ୍‌ଲର ରାଡାର୍ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର/ସମ୍ବଲପୁର,୧୬/୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଆଜି ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଗଠନ ସଂକଳ୍ପରେ ସମ୍ବଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣର ଆରମ୍ଭରେ ମା’ ସମଲେଶ୍ଵରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ । ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି। ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ଗତ ଜାନୁଆରୀ ୨୦୨୬ରେ ସେ ୯୪୮କୋଟି ଟଙ୍କାର ପ୍ରକଳ୍ପ ସହ ୫୦ଟି ବୈଦ୍ୟୁତିକ ବସ୍‌ର ଶୁଭାରମ୍ଭ କରିଥିଲେ । ଅଇଁଠାପାଲି ବସ୍ ଟର୍ମିନାଲ୍ ଓ ଏହାର ୧୦ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରରେ ଜଳସଙ୍କଟ ଓ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ AMRUT ୨.୦ ଅଧୀନରେ ୪୫୦ କୋଟି ଟଙ୍କାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଜରିଆରେ ୪୧ଟି ୱାର୍ଡକୁ ୧୦୦ ନିୟୁତ ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ଏତଦ୍‌ବ୍ୟତୀତ, ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦିର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି ଗୋଟିଏ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ସମ୍ବଲପୁର ପାଇଁ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଇଛି । ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଭୁବନେଶ୍ୱର ବାହାରେ ସମ୍ବଲପୁରରେ ପ୍ରଥମ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ମଧ୍ୟ କରାଯାଇଥିଲା।

ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶ ଓ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲପଙ୍ଗାଠାରେ ହିଣ୍ଡାଲ୍‌କୋର ସମ୍ପ୍ରସାରଣ ପାଇଁ ୪୦,୦୦୦ କୋଟି ଏବଂ ରେଙ୍ଗାଲିଠାରେ JSW-JFE ଷ୍ଟିଲ୍ ଦ୍ୱାରା ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ସହିତ କୃଷି ଭବନ, ଛାତ୍ରୀ ନିବାସ, ସମ୍ବଲପୁର ଫୁଟବଲ୍ ଏକାଡେମୀର ଆଧୁନିକୀକରଣ ଏବଂ ‘ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ’ ନିର୍ମାଣ କରାଯାଉଛି । ରାଜ୍ୟ ସରକାର ୨୦୩୬ଶତାବ୍ଦୀ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ‘ସୁଭଦ୍ରା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆଗକୁ ନିଆଯାଉଛି ଏବଂ ରାଜ୍ୟ ବଜେଟର ୪୦ ପ୍ରତିଶତ ମହିଳାଙ୍କ ପାଇଁ ବ୍ୟୟ ହେଉଛି । କେନ୍ଦ୍ର ଓ ରାଜ୍ୟର ‘ଡବଲ ଇଞ୍ଜିନ’ ସରକାରର ସଫଳତା ଗଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ୯୦ହଜାର କୋଟିର ରେଳ, ୪୦ହଜାର କୋଟିର ସଡ଼କ, ୨୫ ହଜାର କୋଟିର ବନ୍ଦର ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ ମିଳିଛି।

ସମ୍ବଲପୁରରେ ୧,୫୨୧କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟିର ସମ୍ପ୍ରସାରଣ, ୧୦୦ କୋଟିର Aqua Park, ଏବଂ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ରଙ୍ଗବତୀ’ ଗୀତର ତିନିଜଣ ସ୍ରଷ୍ଟା ଓ ଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯିବା ପ୍ରସଙ୍ଗ ଉଲ୍ଲେଖ କରି ସେ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଓ ବିଶ୍ୱକର୍ମା ପୂଜା ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ, ‘ଆଶୀର୍ବାଦର ଦୀପ’ ଏବଂ ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀପ ଲଗାଇ ଟଙ୍କାର ଦୀର୍ଘ ନିରାମୟ ଜୀବନ କାମନା କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଗଣମାଧ୍ୟମକୁ ସ୍ୱତନ୍ତ୍ର ବିବୃତ୍ତି ପ୍ରଦାନ କରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ବଲପୁରଠାରେ ସ୍ଥାପିତ ଡପ୍‌ଲର ପାଣିପାଗ ରାଡାର୍ (DWR) ର ସ୍ୱତନ୍ତ୍ର ଆଞ୍ଚଳିକ ଗୁରୁତ୍ୱ ରହିଥିବାବେଳେ ଏହାଦ୍ୱାରା ଓଡ଼ିଶାର ଏକ ବ୍ୟାପକ ଅଞ୍ଚଳ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ସହିତ ସାମିଲ ହୋଇ ପାରିଛି। ସେ କହିଥିଲେ ଯେ ପାରାଦୀପ ଓ ଗୋପାଳପୁର ପରେ ଏହା ରାଜ୍ୟର ତୃତୀୟ ଡପଲର ରାଡାର। ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏହି ରାଡାର ୨୫୦ କିଲୋମିଟର ପରିଧି ମଧ୍ୟରେ ସଠିକ୍ ତଥ୍ୟ ଏବଂ ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ପୂର୍ବାନୁମାନ କରିପାରିବ। ଏହାଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର ଓ ଢେଙ୍କାନାଳ ଆଦି ୧୩ଟି ଜିଲ୍ଲା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳ ଉପକୃତ ହେବେ। ପ୍ରାକ୍-ମୌସୁମୀ ବଜ୍ରଝଡ଼, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ମିଳିବା ଫଳରେ ଓଡ଼ିଶାର ‘ଭାତ ହାଣ୍ଡି’ ବରଗଡ଼ ସମେତ ସମଗ୍ର ମହାନଦୀ ଅବବାହିକାର ଚାଷୀମାନେ ବିଶେଷ ଉପକୃତ ହେବେ। ଏହି ରାଡାର ପ୍ରତି ୧୦ ମିନିଟ୍‌ରେ ୧୫୦ ମିଟର ରିଜୋଲୁସନରେ ବୃଷ୍ଟିପାତର ଆକଳନ କରି ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ (Inflow) ପରିଚାଳନାକୁ ଅଧିକ ସୁଦୃଢ଼ କରିବ। ଏହା ସହିତ ବିଦ୍ୟୁତ, ଶିଳ୍ପ, ପରିବହନ ଓ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ମଧ୍ୟ ଏହା ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ସରକାର ‘ଟେକ୍ନୋଲୋଜି ଡ୍ରିଭିନ୍ ପ୍ରୋ-ଆକ୍ଟିଭ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ’ ଗଠନ କରୁଛନ୍ତି ଏବଂ ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପ୍‌ଲର ରାଡାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ସମାରୋହ ଅବସରରେ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଭାସୀ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁରଠାରେ ଉଦ୍‌ଘାଟିତ ଡପ୍‌ଲର ରାଡାର ଆମ ପୂର୍ବାନୁମାନ ପ୍ରଣାଳୀ (Forecast System) କ୍ଷେତ୍ରରେ ଏକ ବିରାଟ ସଫଳତା ଓ ମାଇଲଖୁଣ୍ଟ। ୨୦୧୪ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ମହାକାଶ ବିଜ୍ଞାନକୁ ସର୍ବୋଚ୍ଚ ପ୍ରାଥମିକତା ଓ ମାନ୍ୟତା ଦିଆଯାଇଛି । ଆଜି ଭାରତ କେବଳ ନିଜ ଦେଶ ନୁହେଁ, ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ପାଣିପାଗ ପୂର୍ବାନୁମାନ ଓ ତଥ୍ୟ ଯୋଗାଇ ସହାୟତାର ହାତ ବଢ଼ାଉଛି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଆହୁରି ୪୦ଟି ଡପ୍‌ଲର ରାଡାର ଯୋଡ଼ାଯିବ, ଯାହାଦ୍ୱାରା ସମଗ୍ର ଓଡ଼ିଶା ରାଜ୍ୟର କୋଣ-ଅନୁକୋଣ ପାଇଁ ସଠିକ୍ ପାଣିପାଗ ପୂର୍ବାନୁମାନ ମିଳିପାରିବ । ଜଳବାୟୁ ସହନଶୀଳ ରାଜ୍ୟ (Climate Resilient State) ଭାବେ ଓଡ଼ିଶାର ଏହି ନୂତନ ଅଭ୍ୟୁଦୟ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ଡପ୍‌ଲର ପାଣିପାଗ ରାଡାରର ସ୍ଥାପନା ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଓ ଆବଶ୍ୟକତାକୁ ପୂରଣ କରିଛି। ସେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ବିପର୍ଯ୍ୟୟ ପୂର୍ବପ୍ରସ୍ତୁତି ଓ ଆଗୁଆ ସୂଚନା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଶୂନ୍ୟ ସହନଶୀଳତା (Zero Casualty) ନୀତି ଆପଣେଇଛନ୍ତି। ସମ୍ବଲପୁରଠାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ରାଡାର ଦ୍ୱାରା କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର କୃଷକ, ଆଞ୍ଚଳିକ ଜନସାଧାରଣ ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ବିପଦର ବହୁ ଆଗରୁ ବଜ୍ରପାତ, ପ୍ରବଳ ବର୍ଷା ଓ ଝଡ଼ତୋଫାନର ସଠିକ୍ ତଥ୍ୟ ପାଇପାରିବେ। ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀଠାରେ ମଧ୍ୟ ନୂତନ ଡପ୍‌ଲର ରାଡାର ସ୍ଥାପନ କରାଯାଇ ସମଗ୍ର ଓଡ଼ିଶାକୁ ଏକ ସୁରକ୍ଷିତ ଏବଂ ପ୍ରଯୁକ୍ତିବିଦ୍ଧି-ଭିତ୍ତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଅଧୀନକୁ ଅଣାଯିବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, SRC ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *