ସୁନା ଖଣି ଭୁଶୁଡ଼ି ଚାଲିଗଲା ୬୦ ଜଣଙ୍କ ଜୀବନ, ଅନେକ ନିଖୋଜ 

ଭୁବନେଶ୍ୱର, ୧୬/୯: ଆଫ୍ରିକୀୟ ଦେଶ ସୁଡାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା । ମାଟି ତଳେ ଚାପି ହୋଇ ୬୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ସୁନା ଖୋଜିବା କାଳ ସାଜିଛି । ଏବେ ବି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଅଲ୍-ନୁହୁଦ୍ ସହରର ଉତ୍ତରରେ ଥିବା ଏକ ୱେଷ୍ଟ କର୍ଡୋଫାନ୍‌ର ଅନେକ ସୁନା ଖଣି ଅର୍ଦ୍ଧସାମରିକ ବଳ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ (RSF)ର ନିୟନ୍ତ୍ରଣରେ ଥିବା ରିପୋର୍ଟ ରହିଛି।

ସୁଡାନରେ ସୁନା ଖଣି ଦୁର୍ଘଟଣା ପ୍ରଥମ ନଥିବା ବେଳେ ୨୦୨୬ ଜୁଲାଇରେ ଉତ୍ତର ସୁଡାନର ୱାଡି ହାଲଫା ଅଞ୍ଚଳରେ ଏକ ସୁନା ଖଣିରେ ଦୁର୍ଘଟଣା ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୬ ଏପ୍ରିଲରେ ମଧ୍ୟ ଖଣି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା। ଆଉ ୬ ଜଣ ଆହତ ହୋଇଥିଲେ। ଏବେ ପୁଣି ୬୦ ଜଣଙ୍କ ମୃତ୍ୟୁ ଏବଂ ଅନେକଙ୍କ ନିଖୋଜ ଖବର ସୁଡାନର ଖଣି ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି ।

ଖଣି ଭିତରେ ସେତେବେଳେ ଅନେକ ଶ୍ରମିକ କାମ କରୁଥିଲେ। ତେଣୁ ମାଟି ଓ ପଥର ତଳେ ଅନେକ ଜୀବନ୍ତ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ‘ରଏଟର୍ସ’ ରିପୋର୍ଟ ଅନୁସାରେ, ବୁଧବାର (୧୬ ସେପ୍ଟେମ୍ବର) ତିନିଜଣ ସ୍ଥାନୀୟ ସୂତ୍ର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ରବିବାର ଅଲ୍-ନୁହୁଦ୍ ସହର ନିକଟରେ ଥିବା ଏହି ସୁନା ଖଣି ଭୁଶୁଡ଼ି ପଡ଼ିଥିଲ ।

ଏପର୍ଯ୍ୟନ୍ତ ୬୦ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତେବେ ଖଣି ଭିତରେ ଆଉ କେତେ ଲୋକ ଫସିଛନ୍ତି, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।

ସୁଡାନ ଆଫ୍ରିକାର ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶଗୁଡ଼ିକ ମଧ୍ୟରେ ରହିଛି। ଦେଶରେ ବହୁ ପରିମାଣରେ ସୁନା ପାରମ୍ପରିକ ଉପାୟରେ ଖଣିରୁ ବାହାର କରାଯାଏ।କିନ୍ତୁ ଏହି ପାରମ୍ପରିକ ଖନନ ପ୍ରକ୍ରିୟା ଅତ୍ୟନ୍ତ ବିପଜ୍ଜନକ। ଅନେକ ସ୍ଥାନରେ ସୁରକ୍ଷା ନିୟମ ପାଳନ ହୁଏ ନାହିଁ ଏବଂ ଶ୍ରମିକଙ୍କ ପାଖରେ ଆବଶ୍ୟକ ସୁରକ୍ଷା ଓ ଉଦ୍ଧାର ଉପକରଣ ମଧ୍ୟ ରହେ ନାହିଁ।

Leave a Reply

Your email address will not be published. Required fields are marked *