ନୂଆଦିଲ୍ଲୀ,୧୨/୯: ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫ୍ଗାନିସ୍ତାନ। ଉଭୟଙ୍କ ମଧ୍ୟରେ ଆଜି ପ୍ରଥମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳାଯିବ । ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ଏହି ଶୃଙ୍ଖଳା ଦିଲ୍ଲୀେର ଖେଳା ଯାଉଥିଲେ ହେଁ ଆଫ୍ଗାନିସ୍ତାନ ଏହାର ଆୟୋଜକ। ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ୨୦୨୪ରେ ଏକମାତ୍ର ଟି୨୦ ଶୃଙ୍ଖଳା ଖେଳା ଯାଇଥିଲା ଏବଂ ଭାରତ ଏହାକୁ ୩-୦ରେ ଜିତିଥିଲା।
ଭାରତ ହେଉଛି ଆଇସିସିର ଏକମାତ୍ର ପୂର୍ଣ୍ଣକାଳୀନ ସଦସ୍ୟ; ଯାହାକୁ ଟି୨୦ରେ ଆଫ୍ଗାନିସ୍ତାନ ପରାସ୍ତ କରିନାହିଁ। ମୋଟ ୯ଟି ମ୍ୟାଚ୍ରୁ ଭାରତ ୮ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି। ଦୁଇ ବର୍ଷ ପରେ ଭାରତ-ଆଫ୍ଗାନିସ୍ତାନ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳାଯିବ। ଏହି ଶୃଙ୍ଖଳା ପାଇଁ ଭାରତ ତା’ର ପ୍ରଥମ ପସନ୍ଦର ଦଳ ମନୋନୟନ କରିଛି।
ଅନ୍ୟପଟେ , ଶ୍ରେୟସ ଆୟର ନେତୃତ୍ବାଧୀନ ଭାରତୀୟ ଦଳ ବେଶ୍ ଶକ୍ତିଶାଳୀ ଅଛି। ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତ ୭ଟିରୁ ଗୋଟିଏ ମଧ୍ୟ ଟ୍ବେଣ୍ଟି୨୦ ଜିତି ପାରିନଥିଲା। ତେବେ ଜିମ୍ବାୱେକୁ ୩-୦େର ହରାଇ ଭାରତ ବିଜୟଧାରାକୁ ଫେରିପାରିଛି। ଆଫ୍ଗାନିସ୍ତାନ ଦଳ ବିପକ୍ଷରେ ଏହି ଧାରା ବଜାୟ ରଖିବାକୁ କ୍ରମାଗତ ୨ଟି ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିଥିବା ଭାରତ ଚାହିଁବ।ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆ ପରେ ଆହତ ହୋଇ ଖେଳୁନଥିବା ଯଶପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀ ଦଳକୁ ଫେରିବା ଭାରତ ପାଇଁ ଖୁସିର ବିଷୟ। ତେବେ ଆହତ ଥିବାରୁ ଏବେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ଓ ହର୍ଷିତ ରାଣା ଦଳକୁ ଫେରି ପାରିନାହାନ୍ତି। ଆହତ ହୋଇ ବିଶ୍ବକପ୍ ଖେଳିନଥିବା ନବୀନ-ଉଲ୍-ହକ୍ ଦଳକୁ ଫେରିବା ଆଫ୍ଗାନିସ୍ତାନର ପେସ୍ ଆକ୍ରମଣକୁ ମଜ୍ଭୁତ କରିଛି। ଚଳିତବର୍ଷ ଭାରତ ଗସ୍ତରେ ଏକମାତ୍ର ଟେଷ୍ଟ ଓ ୩ ମ୍ୟାଚ୍ର ଟି୨୦ ଶୃଙ୍ଖଳା ହାରିଥିବା ଆଫ୍ଗାନିସ୍ତାନ ଏହି ଶୃଙ୍ଖଳାରେ ବିଜୟ ଖାତା ଖୋଲିବାକୁ ଚାହିଁବ।
ଗତ ୨ଟି ଆଇପିଏଲ୍ରେ ମାତ୍ର ୧୦ଟି ଓ ୯ଟି ୱିକେଟ୍ ନେଇଥିବା ପୂର୍ବତନ ଆଫ୍ଗାନିସ୍ତାନ ଅଧିନାୟକ ରସିଦ୍ ଖାଁ ବୋଲିଂ ଫର୍ମ ଫେରି ପାଇଛନ୍ତି। ୨୦୨୬ ଆଇପିଏଲ୍ରେ ଲେଗ୍ସ୍ପିନର ରସିଦ୍ ଦିଲ୍ଲୀରେ ଗୋଟିଏ ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଛନ୍ତି। ତେଣୁ ସେ ଦଳର ବୋଲିଂ ଆକ୍ରମଣର ନେତୃତ୍ବ ନେବେ। ଭାରତୀୟ ଦଳକୁ ସଞ୍ଜୁ ସାମ୍ସନ ଫେରିଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଶ୍ରେୟସ ଆୟରଙ୍କ ପାଇଁ ଏକ ଆହ୍ବାନ ହେବ।୩ ଜଣ ଓପ୍ନର- ସାମ୍ସନ, ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରୁ ଭାରତକୁ ୨ ଓପ୍ନରଙ୍କୁ ବାଛିବାକୁ ପଡ଼ିବ। ଗତ ଟି୨୦ ବିଶ୍ବକପ୍ରେ ସଞ୍ଜୁ ସାମ୍ସନ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ସୂର୍ଯ୍ୟବଂଶୀ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ଅଭିଷେକ ନିୟମିତ ଭାବେ ଭାରତ ପାଇଁ ଟି୨୦ ଖେଳି ଆସୁଛନ୍ତି। ଯଦି ଆଫ୍ଗାନିସ୍ତାନ ପେସ୍ ବୋଲର ଭାବେ ନବୀନ-ଉଲ୍-ହକ୍ ଓ ଫଜଲହକ୍ ଫାରୁକି ଖେଳିଲେ ଆଫ୍ଗାନିସ୍ତାନକୁ ଦୁଇ ସ୍ପିନର ନୁର ଅହମ୍ମଦ ଓ ମୁଜିବ୍ ଉର୍ ରେହ୍ମାନଙ୍କ ମଧ୍ୟରୁ ଜଣେ ବସିବେ। ଅଜ୍ମତୁଲ୍ଲା ଓମରଜାଇ ପେସ୍ ବୋଲିଂ ଅଲ୍ରାଉଣ୍ଡର ଭାବେ ଖେଳିବା ନିଶ୍ଚିତ। ଅଧିନାୟକ ଇବ୍ରାହିମ୍ ଜାଦ୍ରାନ୍ ଓପନ୍ କରିବେ। ଭାରତ ପାଇଁ ଈଶାନ୍ କିଷନ ୩ନଂ ସ୍ଥାନରେ ଖେଳିବେ। ୩ଟି ଅଲ୍ରାଉଣ୍ଡର ସ୍ଥାନ ପାଇଁ ନୀତୀଶ କୁମାର ରେଡ୍ଡୀ, ଶିବମ୍ ଦୁବେ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣେ ଖେଳିବେ। ଦିଲ୍ଲୀରେ ଅଧିକ ରନ୍ ହେବାର ସମ୍ଭାବନା ଅଛି।













Leave a Reply