ପଞ୍ଚାୟତ ଓ ପୌର ନିର୍ବାଚନ: ୨୬ରୁ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱତନ୍ତ୍ର ଟିମ୍ 

ଭୁବନେଶ୍ୱର , ୧୨/୯: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୂତନ ଭୋଟର୍‌ ତାଲିକା, ପରିଚାଳନା ଓ ସଂଶୋଧନ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମର ଆୟୁକ୍ତ ତଥା ପୌରପାଳିକା ଏବଂ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିଧିବଦ୍ଧ ଚିଠି ଜାରି କରାଯାଇ ନିର୍ଦେଶ ଦିଆଯାଇଛି। ଏନେଇ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ମାଷ୍ଟର୍ ଟ୍ରେନର୍‌ମାନଙ୍କୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟର୍‌ରେ ଆୟୋଜନ ହେବ ଏହି ପ୍ରଶିକ୍ଷଣ ସଭା ।

ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିମ୍ ଘରକୁ ଘର ବୁଲି ସର୍ଭେ କରିବେ। ନୂତନ ଭୋଟର ସାମିଲ ପାଇଁ କଟ୍-ଅଫ୍ ତାରିଖ ୨୦୨୭ ଜାନୁଆରୀ ୧, ଚିଠା ଭୋଟର ତାଲିକା ପ୍ରକାଶନ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ୨୦୨୭ ଫେବୃଆରୀ ୧୦ରେ ହେବ।

ଗୃହ ଓ ନଗର ଉନ୍ନୟନ ବିଭାଗର ଉପ-ସଚିବ ସମସ୍ତ ପୌରାଞ୍ଚଳ ଆୟୁକ୍ତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ସର୍ଭେ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘରକୁଘର ବୁଲି ସର୍ଭେ ସାରିବାକୁ କୁହାଯାଇଛି। ଏଥିସହ ସର୍ଭେ ଟିମ୍‌କୁ ସମସ୍ତ ପ୍ରକାର ଆବଶ୍ୟକ ସହଯୋଗ ଏବଂ ସମର୍ଥନ ଯୋଗାଇଦେବାକୁ ବିଭାଗ ପକ୍ଷରୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *