ଭୁବନେଶ୍ବର,୨୪/୯ : ଓଲିଉଡ଼ର ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ‘ରାବଣ‘ ରିଲିଜ ହେବାକୁ ଯାଉଛି । ଆସନ୍ତା ଦୂର୍ଗାପୂଜା ଅବସରରେ ଏହି ସିନେମା ବଡ଼ ପରଦାରେ ଆସିବାକୁ ପ୍ରସ୍ତୁତ ହେଉଛି । ମାତ୍ର ଏହା ପୂର୍ବରୁ ଅଭିନେତା ଅନୁଭବ ମହାନ୍ତିଙ୍କ ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଏକ କାର୍ଯ୍ୟକ୍ରମ ଅବସରରେ ସେ ଏ ନେଇ ଘୋଷଣା କରିଛନ୍ତି। କହିଛନ୍ତି ‘ରାବଣ ୨’ ଆସିବ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।
ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଘଟଣା ଉପରେ, ‘ରାବଣ’ ଆସିବାକୁ ବାକି ଅଛି। ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ଏବେ ବି ଜାରି ରହିଛି । କିନ୍ତୁ ଏହାରି ଭିତରେ ଆସିଗଲା ଆଉ ଏକ ବଡ଼ ଖବର ‘ରାବଣ ୨’ । ହଁ, ଆପଣ ଠିକ୍ ଶୁଣୁଛନ୍ତି । ପ୍ରଥମ ଭାଗ ପରଦାକୁ ଆସିବା ପୂର୍ବରୁ ଦ୍ୱିତୀୟ ଭାଗକୁ ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ଓଲିଉଡରେ ଚର୍ଚ୍ଚା ଜୋର ଧରିଛି । ସବୁକିଛି ଆରମ୍ଭ ହୋଇଥିଲା ‘ଛକିଶୂନ’ ରିଲିଜ୍ ସମୟରୁ । ସେହି ସମୟରେ ଅନୁଭବ ମହାନ୍ତି ‘ରାବଣ’ର ଟିଜର୍ ଦେଖାଇ ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଆଗ୍ରହ ସୃଷ୍ଟି କରିଥିଲେ । ଏହାପରେ ‘ରାବଣ’କୁ ନେଇ ଲଗାତାର ଚର୍ଚ୍ଚା ଚାଲିଥିଲା ।
କିନ୍ତୁ ଏବେ ଅସଲ ପ୍ରଶ୍ନ ଉଠୁଛି ପ୍ରଥମ ‘ରାବଣ’ ଦର୍ଶକଙ୍କ ସାମ୍ନାକୁ ଆସିବା ପୂର୍ବରୁ ‘ରାବଣ ୨’ କାହିଁକି ? ଏହା କ’ଣ ପୂର୍ବରୁ ପ୍ଲାନ୍ ହୋଇଥିବା ଏକ ବଡ଼ ସିନେମାଟିକ୍ ପ୍ରୋଜେକ୍ଟ ? ନା ପ୍ରଥମ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇବା ପାଇଁ ଏହି ଘୋଷଣା ? ଏହି ପ୍ରଶ୍ନ ଏବେ ସାଧାରଣ ଦର୍ଶକଙ୍କଠାରୁ ଆରମ୍ଭ କରି ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସାଧାରଣତଃ ଗୋଟିଏ ଫିଲ୍ମର ପ୍ରଥମ ଭାଗ ଦର୍ଶକଙ୍କ ପାଖରେ କିଭଳି ଗ୍ରହଣୀୟ ହେଉଛି, ତାହା ଜଣାପଡ଼ିବା ପରେ ଏହାର ସିକ୍ୱେଲ୍କୁ ନେଇ ଘୋଷଣା କରାଯାଏ। କିନ୍ତୁ ଏଠାରେ ଚିତ୍ରଟି ଟିକେ ଭିନ୍ନ। ‘ରାବଣ’ ଏବେ ବି ରିଲିଜ୍ ଅପେକ୍ଷାରେ । ଦର୍ଶକ ଫିଲ୍ମର କାହାଣୀ କ’ଣ, ଅନୁଭବଙ୍କ ଚରିତ୍ର କିଭଳି ହେବ, ଫିଲ୍ମଟି କେମିତି ପ୍ରତିକ୍ରିୟା ପାଇବ ଏ ସବୁ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ‘ରାବଣ ୨’ ନାଁ ଆସିବା ନିଶ୍ଚିତ ଭାବେ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି । ତେବେ ଏଠାରେ ଆଉ ଏକ ପ୍ରଶ୍ନ ‘ରାବଣ ୨’ର ଘୋଷଣା କ’ଣ ପ୍ରଥମ ଭାଗର କାହାଣୀ ସହ ଜଡ଼ିତ କୌଣସି ବଡ଼ ରହସ୍ୟର ସଙ୍କେତ ?
ପ୍ରଥମ ଭାଗର ଶେଷରେ ଏମିତି କିଛି ଟ୍ୱିଷ୍ଟ ରହିଛି କି, ଯାହାକୁ ନେଇ ଦ୍ୱିତୀୟ ଭାଗର କାହାଣୀ ଆଗକୁ ବଢ଼ିବ ? ନା ‘ରାବଣ’କୁ ଦୁଇଟି ଭାଗରେ ନେବା ନେଇ ନିର୍ମାତାଙ୍କର ପ୍ଲାନ୍ ପୂର୍ବରୁ ହିଁ ଥିଲା ? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ସ୍ପଷ୍ଟ ନୁହେଁ । ଆଉ ଏପଟେ ଏହି ଘୋଷଣାକୁ ନେଇ ଆଉ ଏକ ଚର୍ଚ୍ଚା ପ୍ରଚାରର ଏହା କ’ଣ ଏକ ନୂଆ ଷ୍ଟ୍ରାଟେଜି ? ପ୍ରଥମ ଫିଲ୍ମ ରିଲିଜ୍ ପୂର୍ବରୁ ଦ୍ୱିତୀୟ ଭାଗର ନାଁ ଘୋଷଣା କରିଦେଲେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଲୋଚନା ଆହୁରି ବଢ଼ିପାରେ । ଏବେ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଘୋଷଣାକୁ ନେଇ ପ୍ରଶ୍ନ ଉଠୁଛି । ଏବେ ଅପେକ୍ଷା କେବଳ ‘ରାବଣ’ ରିଲିଜକୁ । କାରଣ ‘ରାବଣ’ ଆସିବା ପରେ ହିଁ ଜଣାପଡ଼ିବ ‘ରାବଣ ୨’ର ଘୋଷଣା କେବଳ ଏକ ଚର୍ଚ୍ଚା ସୃଷ୍ଟି କରିବାର ଉପାୟ ଥିଲା, ନା ଏହା ପଛରେ ରହିଛି ଏକ ବଡ଼ ସିନେମାଟିକ୍ ପ୍ଲାନ୍ । ତେବେ ଗୋଟିଏ କଥା ନିଶ୍ଚିତ ‘ରାବଣ’ ପରଦାକୁ ଆସିବା ପୂର୍ବରୁ ‘ରାବଣ ୨’ ନାଁ ଆସିଯିବା ଓଲିଉଡରେ ଏବେ ନୂଆ ଚର୍ଚ୍ଚାର ଖୋରାକ୍ ଯୋଗାଇଛି।













Leave a Reply