ପୁରୀ, ୨୦/୯: ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ।ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମ ସାରି ରବିବାର ଅପରାହ୍ନରେ ସେ ପୁରୀରେ ପହଞ୍ଚିଥିଲେ। ନିଜ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସମେତ ରାୟପୁର ବିଧାୟକ, ଛତିଶଗଡ ବିଜେପି ନେତାଙ୍କ ସହ ଶ୍ରୀମନ୍ଦିର ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଅରୁଣସ୍ତମ୍ଭ ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଣିପାତ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ମା ବିମଳା, ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ଆନନ୍ଦ ବଜାର ଯାଇଥିଲେ।
ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କ ବହୁ ପ୍ରାଚୀନ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଭାବଗତ ସମ୍ପର୍କ ରହିଆସିଛି। ଛତିଶଗଡରେ ଅନେକ ଜଗନ୍ନାଥ ମନ୍ଦିର ରହିଛି। ତେବେ ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ଏହି ଜଳ ସମସ୍ୟାର ସମାଧାନ ହେବ। ଏଥିପାଇଁ ନିକଟରେ ନୂଆ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। କେନ୍ଦ୍ରୀୟ ଜଳ କମିଶନ ଉଭୟ ରାଜ୍ୟର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ଉଚିତ୍ ନିଷ୍ପତ୍ତି ନେଇ ଏହାର ସମାଧାନ ହେବ ।
ସୂଚନାଯୋଗ୍ୟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି।













Leave a Reply