ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ଗିରଫ

ଭୁବନେଶ୍ଵର, ୨୦/୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନଙ୍କୁ ଗିରଫ କଲା ପୋଲିସ । ସେପ୍ଟେମ୍ବର ୨୭ ତାରିଖରେ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଦଳର ବଡ଼ ବିରୋଧ ପ୍ରଦର୍ଶନ କରିବ । ତେବେ ଏହାର ଠିକ୍ ପୂର୍ବରୁ ପୋଲିସ ଅଲିମା ଖାନଙ୍କୁ ଲାହୋରସ୍ଥିତ ତାଙ୍କ ବାସଭବନରୁ ଗିରଫ କରି ନେଇଛି । ଏନେଇ ପାକିସ୍ତାନ ତେହରିକ-ଏ-ଇନସାଫ (PTI) ର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ, ପିଟିଆଇ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ସାରା ଦେଶରେ ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ଚଳାଇଛି । ଇମ୍ରାନ ଖାନ ଦଳର ପ୍ରତିଷ୍ଠାତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ସେ ଅଗଷ୍ଟ ୨୦୨୩ ରୁ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଦଳ ଦାବି କରୁଛି।

ପୁଲିସର କହିବା ଅନୁସାରେ, ପ୍ରଦର୍ଶନ ପୂର୍ବରୁ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ହାଜତକୁ ନିଆଯାଇଛି । ଏହା ପୂର୍ବରୁ ମଧ୍ୟ ପିଟିଆଇର ଚାରିଜଣ କର୍ମୀଙ୍କୁ ଅଟକ ରଖାଯାଇ ସାରିଛି । ଦଳ ଅଭିଯୋଗ କରିଛି ଯେ ସରକାର ପ୍ରଦର୍ଶନକୁ ଦୁର୍ବଳ କରିବା ପାଇଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବରୁ ହିଁ ଉଠାଇ ନେଉଛନ୍ତି ।

ଇସଲାମାବାଦ ପୁଲିସ ରାଜଧାନୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡ଼ାକଡ଼ି କରି ଦେଇଛି । ‘ଡନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ପୁଲିସ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ସୁରକ୍ଷା ସ୍ଥିତିର ପୂରା ସମୀକ୍ଷା କରାଯାଇ ଥିଲା ଏବଂ କୌଣସି ବି ହିଂସା କିମ୍ବା ଅଶାନ୍ତିକୁ ରୋକିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପୁଲିସ ବର୍ତ୍ତମାନ କେବଳ ରାସ୍ତାଘାଟରେ ନୁହେଁ, ବରଂ ପଛପଟେ ଚାଲିଥିବା ପ୍ରସ୍ତୁତି ଉପରେ ମଧ୍ୟ ନଜର ରଖୁଛି । ଦଳର ପ୍ରସ୍ତୁତି, ନେତାଙ୍କ ଗତିବିଧି ଏବଂ କାର୍ଯ୍ୟକର୍ତ୍ତାଙ୍କ ଗତିବିଧି ବିଷୟରେ ପୁଲିସ ତଥ୍ୟ ସଂଗ୍ରହ କରୁଛି ।

ସୁରକ୍ଷା ଦୃଷ୍ଟିରୁ ପୁଲିସ ଗେଷ୍ଟ ହାଉସ, ଧର୍ମଶାଳା ଏବଂ ବସ୍ ଟର୍ମିନାଲ ଗୁଡ଼ିକରେ ତଦାରଖକୁ ବଢ଼ାଇ ଦେଇଛି । ଗୁପ୍ତଚର ତଥ୍ୟ ମଧ୍ୟ ଦ୍ରୁତ ଗତିରେ ସଂଗ୍ରହ କରାଯାଉଛି । ପ୍ରଦର୍ଶନକାରୀଙ୍କ ପାଇଁ ଖାଦ୍ୟ, ପାଣି, ରହିବା ସ୍ଥାନ କିମ୍ବା ଗାଡ଼ିର ବ୍ୟବସ୍ଥା କରୁଥିବା ଲୋକଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି ।

Leave a Reply

Your email address will not be published. Required fields are marked *