ପଶ୍ଚାତାପ

ଶଣ ରାଗିଣୀ କିଛି ନ ବୁଝି, ନ ଜାଣି ଏପରି ନିଷ୍ପତି ନେବା ଠିକ୍ ନୁହେଁ।ସବୁବେଳେ ତୋର ଜିଦ୍ ପାଇଁ ତୁ ହଇରାଣ ହେଉଛୁ,ଏବେ ପୁନର୍ବାର ସେହି ଭୁଲ୍ କରିବାକୁ ଯାଉଛୁ । ହେଲେ ଏବେ ତୁ ପିଲା ହୋଇ ରହିନୁ,ଗୋଟିଏ ପିଲାର ମା ହୋଇ ସାରିଛୁ,ଯାହା ନିଷ୍ପତ୍ତି ନେବୁ ଟିକେ ଭାବିକରି ନେବୁ।

– ନାଇଁ ମା ଆଜି କୌଣସି କଥା ମୁଁ ତୁମର ଶୁଣିବିନି ।ତୁମେ ସବୁବେଳେ ନିଜ ଝିଅକୁ ଭୁଲ୍ ପ୍ରମାଣ କରି ରୋହନଙ୍କୁ ସପୋର୍ଟ କରି ଆସୁଛ,ଆଜି କିନ୍ତୁ ନୁହେଁ।

– ତୁ ଭୁଲ୍ କହିଲୁ, ଆଜି ପର୍ଯ୍ୟନ୍ତ କୌଣସି କଥା ତୁ ମୋର ଶୁଣିନୁ । ତଥାପି ମୁଁ ତୋତେ ସତକୁ ସାମ୍ନା କରିବାକୁ କହିଥାଏ, କିନ୍ତୁ ତୁ ତା ବଦଳରେ ଅର୍ଥ କୁ ଅନର୍ଥ କରିଥାଉ।

– ହଁ,ହଁ ମୁଁ ତୁମ ପାଇଁ ସବୁଠାରୁ ଖରାପ ଝିଅ।

ରାଗରେ ସୋଫା ଉପରେ ବ୍ୟାଗଟିକୁ ଫୋପାଡ଼ି ଦେଇ ରାଗିଣୀ ନିଜ ରୁମ୍ ଭିତରକୁ ଚାଲି ଯାଇଥିଲା। ଯେମିତି ଘରେ ସେଦିନ ଗୋଟେ ଅଦିନ ଝଡ଼ ବହିବାକୁ ଲାଗିଲା। ମିନତି ଦେବୀ ଦେଢ଼ ବର୍ଷର ନାତୁଣୀକୁ କୋଳରେ ଧରି ମନ କଷ୍ଟ କରି ବସି ରହିଥାଆନ୍ତି। କଣ ହେବ ଏ ଛୁଆଟିର ଭବିଷ୍ୟତ? ରାଗିଣୀ ଆଉ କେବେ ହେଲେ ପରିବର୍ତ୍ତନ ହେବନି? ଏପରି ଅନେକ ପ୍ରଶ୍ନ ସହିତ ମନର ଯନ୍ତ୍ରଣାକୁ ନେଇ ବସିଥିବା ସମୟରେ ପରେଶ ବାବୁ ଆସି ଘରେ ପହଞ୍ଚିଥିଲେ।

– କଣ ହୋଇଛି ମିନତୀ ? କାନ୍ଦୁଛ କାହିଁକି ?

– କଣ ଆଉ କରିବି, ଏ ଭଳି ଝିଅ ଜନ୍ମ ହେଲେ କାନ୍ଦିବାକୁ ତ ପଡିବ ।

– ମାନେ !,ଏମିତି କାହିଁକି କହୁଛ ମିନତୀ,ତାକୁ ପାଇବା ପାଇଁ ତୁମେ କେତେ ଯେ ପୁଜାବ୍ରତ କରିଛ ,ମୋତେ କଣ ମନେପକାଇ ଦେବାକୁ ପଡ଼ିବ?

– ନା , ମୋର ସବୁ ମନେ ଅଛି। ପିଲା ଦିନରୁ ତାର ଏ ଜିଦଖୋର୍ ମନୋବୃତ୍ତି ପାଇଁ ସେ ହଇରାଣ ହେଉଛି, ତା ସହ ଆମକୁ ବି ।ଆଜି ନିଜେ ମା ହୋଇ ସାରିଲା ପରେ ବି କୌଣସି ପରିବର୍ତ୍ତନ ତାର ନାହିଁ, ରୋହନଙ୍କୁ କୁଆଡ଼େ ସେ ଡିଭର୍ସ ଦେବ।

– କଣ ! ଡିଭୋର୍ସ ? କଣ ପାଇଁ ଏମିତି ତାର ନିଷ୍ପତ୍ତି,କିଛି ତୁମକୁ କହିଛି ?

– କଣ ପାଇଁ , ଯାହା ତୁମେ ସବୁବେଳେ ଶୁଣି ଆସୁଛ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ନା ।

– ଠିକ୍ ଅଛି, ଆଜି ବହୁତ ରାତି ହୋଇଗଲାଣି , ତାକୁ ଟିକେ ଶାନ୍ତ ହେବାକୁ ଦିଅ , ସକାଳ ହେଲେ ମୁଁ ତା ସହ କଥା ହେବି ।

ସକାଳ ହେବା କ୍ଷଣି ରାଗିଣୀ କଥା ହେବା ତ ଦୂରର କଥା , କାହାକୁ କିଛି ନକହି ସମୟ ପୂର୍ବରୁ ଅଫିସ୍ ଚାଲି ଯାଇଥିଲା। ପରେଶ ବାବୁଙ୍କର ଅପେକ୍ଷା ଥିଲା ରାଗିଣୀ ର ଫେରିବା ବାଟକୁ ।ସେଦିନ ସତରେ ଯେମିତି ଘଣ୍ଟା କଣ୍ଟା ଟି ଚାଲିବାରେ ବିଳମ୍ବ ହେଲା ଭଳି ମା ବାପା ଦୁହିଁ ଙ୍କୁ ଲାଗୁଥିଲା ।

ସନ୍ଧ୍ୟା ପ୍ରାୟ ସାତଟା ବାଜିବାକୁ ଯାଉଥାଏ ।ରାଗିଣୀ ଘରେ ଆସି ପହଞ୍ଚି ଥିଲା ଏବଂ ଫ୍ରେସ୍ ହୋଇ ଆସିବା ପରେ, ପରେଶ ବାବୁ ନିଜେ ଯାଇ ଦୁଇ କପ୍ ଚା ଆଣି ଝିଅର ପାଖରେ ବସିଥିଲେ । କିଛି ସମୟ ପରେ, ପରେଶ ବାବୁ ପଚାରି ଥିଲେ — ” ଆରେ ମା ,ଆଜି ସକାଳେ କିଛି ନକହି ଚାଲି ଗଲୁଯେ?

— ମା କଣ ଆପଣଙ୍କୁ କିଛି ଜଣାଇ ନାହାଁନ୍ତି?

— ହଁ, ଜଣାଇଛି ,ହେଲେ ମୁଁ ତୋ ମୁହଁରୁ ଶୁଣିବାକୁ ଚାହେଁ ।

— ଯଦି ଏମିତି କଥା, ତେବେ ଶୁଣନ୍ତୁ, ରୋହନ୍ ଙ୍କୁ ମୁଁ ଡିଭର୍ସ ଦେବାକୁ ଯାଉଛି ।ସେଥିପାଇଁ ଓକିଲ ପରାମର୍ଶ କରିବାକୁ ଜଲଦି ଚାଲି ଯାଇଥିଲି ।

କଣ ପାଇଁ କହିଲୁ ?

— ଆପଣ ଠିକ୍ ଜାଣିଛନ୍ତି ବାବା , ନଜାଣିବାର ଅଭିନୟ କରନ୍ତୁନି। ପ୍ରତି ମୁହୂର୍ତ୍ତରେ ମରିବା ଅପେକ୍ଷା ଏକୁଟିଆ ରହିବାକୁ ମୁଁ ଅଧିକ ପସନ୍ଦ କରେ । ସେ କେବେବି ପାୟଲକୁ ଛାଡି ପାରିବେ ନାହିଁ, ମୁଁ ଅଫିସରେ, ବାହାରେ ଆଉ ଲଜ୍ଜିତ ହୋଇ ପାରିବି ନାହିଁ। ଆଉ ତୁମେମାନେ ମଧ୍ୟ ମୋ ଅପେକ୍ଷା ପାୟଲକୁ ଅଧିକ ପସନ୍ଦ କର । ତୁମମାନଙ୍କ ପାଇଁ ମୁଁ ବହୁତ୍ ଖରାପ୍, ସେ ପାୟଲ ମହାନ୍ ।

— ତୋର କଣ ଏଇଟା ଶେଷ ନିଷ୍ପତ୍ତି ।ଏବେବି କହୁଛି ,ଅନ୍ୟକୁ ଦେଖିବା ଶୁଣିବା ଅପେକ୍ଷା ସତ୍ୟକୁ ଖୋଜିବା ଆବଶ୍ୟକ। ବେଳେବେଳେ ଭୁଲ୍ ବୁଝାମଣା କାରଣରୁ ଏମିତି ଅଘଟଣ ଘଟିଥାଏ ,ପରେ ପଶ୍ଚାତାପ କରିବା ବେଳକୁ ଯେମିତି ସମୟ ବହୁ ଦୂରକୁ ଚାଲି ଯାଇଥାଏ ।

— କାହା ପାଇଁ ? ପାୟଲ ପାଇଁ , ନା ରୋହନଙ୍କ ପାଇଁ ,

କେବେବି ସେ ସମୟ ଆସିବନି । ଆଜି ପର୍ଯ୍ୟନ୍ତ ସେ ମୋତେ ଟିକେ ଶାନ୍ତିରେ ବଞ୍ଚିବାକୁ ଦେଲାନି, କେବଳ ମୋ ଠାରୁ ଛଡ଼ାଇ ନେବାଟା ଜାଣିଛି।

ଚୁପ୍ ହୋଇ ରହି ପାରି ନଥିଲେ ମିନତୀ ଦେବୀ ।

— ବାସ୍ ରାଗିଣୀ ,ତୁ ଆଜି ପର୍ଯ୍ୟନ୍ତ ବହୁତ୍ କିଛି କହି ଆସିଛୁ,ଆମେ ଶୁଣି ଆସୁଛ। ଅଧିକ କିଛି ନକହି ଚୁପ୍ ରହିଯା । ନଚେତ୍ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେବି ।

ଅସମ୍ଭାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଝିଅର ଜିଦ୍ ପାଇଁ ତାର ସଂସାର ଭାଙ୍ଗିଯିବ ,ସେଥିପାଇଁ ପରେଶ ବାବୁ ସବୁ ରାଣ, ନିୟମର ଉଲଂଘନ କରି ସତ କହିବାକୁ ନିଷ୍ପତ୍ତି ନେଇଥିଲେ ।

— ଶୁଣ ରାଗିଣୀ, ପିଲାଟି ଦିନରୁ ଆଜି ଯାଏଁ ତୋର ସବୁ ଜିଦ୍ ମୁଁ ପୂରଣ କରି ଆସିଛି , କିନ୍ତୁ ଆଜି ନୁହେଁ , ଯଦି ଆଜି ମୁଁ ସବୁ ସତ ନକୁହେ ,ବୋଧେ ଭଗବାନ ମୋତେ କ୍ଷମା କରିବେ ନାହିଁ । ତେଣୁ ଧୈର୍ଯ୍ୟ ର ସହ ଶୁଣିବାକୁ ଚେଷ୍ଟା କରିବୁ।

ତୁ ଭଲ ଭାବରେ ଜାଣୁ, ଶୁଭେନ୍ଦୁ ବାବୁ ମୋର ଜଣେ ଭଲ ସହକର୍ମୀ ଥିଲେ, ଖାଲି ଭଲ ନୁହେଁ , ସବୁ ଠାରୁ ଭଲ । ତାଙ୍କ ପରିବାର ଓ ଆମ ପରିବାର ଭିତରେ କୌଣସି ପ୍ରଭେଦ ନଥିଲା । ତୁ ଯେମିତି ମୋର ଗୋଟିଏ ଝିଅ ,ପିଲାବେଳେ ପାୟଲକୁ ମଧ୍ୟ ମୁଁ ଆଉ ଏକ ଝିଅ ବୋଲି ଭାବୁଥିଲି ।କୌଣସି ପ୍ରଭେଦ ତୁମ ଦୁହିଁଙ୍କ ଭିତରେ ଆମ ଦୁଇ ପରିବାର ଭିତରେ ନଥିଲା । ହେଲେ ତୋର ବୟସ ବଢ଼ିବା ସହ ପାୟଲ ପାଇଁ ବ୍ୟବହାର ବି ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା ।ଯେମିତି ସେ ତୋର ଏକ କମ୍ପିଟେଟର ହୋଇଗଲା । ଏ ସବୁ ସତ୍ତ୍ୱେ ବି ପାୟଲ କିମ୍ବା ତାର ପରିବାର କେବେ କୌଣସି ଅଭିଯୋଗ ତୋତେ ନେଇ କରିନଥିଲେ । ତୋ ମାଆର ମନାକରିବା ପରେ ବି ତୋ ସବୁ ଜିଦ୍ ମୁଁ ପୂରଣ କରି ଆସିଛି। ଏମିତି କି ଯେଉଁ ରୋହନ କୁ ତୁ ବିବାହ କରିଛୁ ,ଭଲ ଭାବରେ ଜାଣୁ ସେ ପାୟଲକୁ କେତେ ଭଲ ପାଉଥିଲେ ।କଲେଜ ସମୟରେ ତୋର ପାଗଳାମୀ ପାଇଁ ପାୟଲକୁ ବୁଝାଇ ,ସେ ରୋହନ କୁ ଭଲ ନପାଇବାର ଅଭିନୟ କରି ତୋତେ ସମର୍ପି ଦେଇଥିଲା । କିନ୍ତୁ ଆଜି ନୁହେଁ ରାଗିଣୀ , ତୁ ଯାହା କହିବୁ ମୁଁ ଶୁଣିବି ହୋଇପାରିବନି ।ଆଉ ରହିଲା ରୋହନ ଏବଂ ପାୟଲ ର ସମ୍ପର୍କ,ଅତି ପବିତ୍ର ଅଟେ ।

— ଆଚ୍ଛା, ଏକ ବିବାହିତ ପୁରୁଷ ଅନ୍ୟ ଏକ ନାରୀ ପାଖକୁ ଯିବା ପବିତ୍ର ଅଟେ ବାବା ? ମୁଁ ତ କାହିଁ ଏ ବିଷୟରେ ଜାଣିନି ?

ମିନତୀ ଦେବୀ କହି ଉଠିଥିଲେ — ତୁ କେବେ ହେଲେ ଭଲ ଚିନ୍ତା କରୁ ?

— ଟିକେ ଚୁପ୍ ରହିବ କି ମିନତୀ।

— ହଁ , ମୁଁ ତ ଆଜି ପର୍ଯ୍ୟନ୍ତ ଚୁପ୍ ହିଁ ରହିଛି ।

ପରେଶ ବାବୁ ପୁନର୍ବାର ରାଗିଣୀ କୁ ବୁଝାଇ ଥିଲେ — ଦେଖ ମାଆ,କୋଭିଡ ରେ ମାଆ,ବାପା ଦୁହେଁ ଚାଲି ଗଲା ପରେ ,ତାର ଆଉ କିଏ ଅଛି, ସବୁ ସେହି ଦୂର ସମ୍ପର୍କ ,ମୋର ତ ବହୁତ୍ ଇଛା ଥିଲା ପାୟଲ କୁ ନିଜ ପାଖରେ ରଖିବାକୁ କିନ୍ତୁ ତୋ ପାଇଁ ……….

— ରଖନ୍ତୁ ନା ,କିଏ ମନା କରୁଛି, ନିଜ ଝିଅ ପାଇଁ ସଉତୁଣୀ କରି ନେଇ ଆସନ୍ତୁ ।

ପାୟଲ ପ୍ରତି ଏଭଳି ଅପଶବ୍ଦକୁ ସମ୍ଭାଳି ନପାରି ପରେଶ ବାବୁ ଝିଅ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରି କହିଲେ — ଏଇଟା ବହୁତ୍ ଆଗରୁ ତୋତେ ଦରକାର ଥିଲା ରାଗିଣୀ , ମୁଁ ଡେରି କରିଦେଲି ,ନଚେତ୍ ତୁ ଏତେ ମାତ୍ରାରେ ସଂସ୍କାର ହିନ ହୋଇ ନଥାନ୍ତୁ।

ପୁରା ଘର ଯେମିତି ନିଃଶବ୍ଦ ହୋଇ ଯାଇଥିଲା ।

ପରେଶ ବାବୁ ଚିତ୍କାର କରି କହି ଉଠିଥିଲେ — ଯେଉଁ ପାୟଲ ପ୍ରତି ତୋର ଏତେ ଘୃଣା , ତୁ ଜାଣୁ ,ତୋ ସ୍ୱାମୀକୁ ସେ ନୂଆ ଜୀବନ ଦେଇଛି ।ସେଦିନ ଯେତେବେଳେ ଜଣା ପଡ଼ିଥିଲା ,ରୋହନ କିଡନୀ ରୋଗରେ ପୀଡ଼ିତ ଏବଂ ଗୋଟିଏ କିଡନୀ ପ୍ରତିରୋପଣ ଆବଶ୍ୟକ,ଅନେକ ଲୋକଙ୍କ ସହ ଯୋଗାଯୋଗ କରିଥିଲି ,ନିରାଶ ହୋଇ ଫେରିବା ବେଳେ ପାୟଲ ମୋତେ ଡାକିଥିଲା ,ଆଉ କହିଲା — ଅଙ୍କଲ ,ମୋ ବ୍ଲଡ ଗ୍ରୁପ ଏବଂ ରୋହନ ଙ୍କ ବ୍ଲଡ ଗ୍ରୁପ ସମାନ ,ତେଣୁ ମୁଁ ଡୋନେଟ୍ କରିବାକୁ ଚାହୁଁଛି ।ମୋ ଆଖି ସାମ୍ନାରେ ରୋହନ କଷ୍ଟ ପାଇବେ, ମୁଁ ଦେଖି ପାରିବିନି । ଆଉ ଯଦି ରୋହନ ଙ୍କର କିଛି ହୋଇଯାଏ ରାଗିଣୀ ନିଜକୁ ସମ୍ଭାଳି ପାରିବ ନାହିଁ ।ତେଣୁ ଏସବୁ ଆଗରୁ ଆପଣଙ୍କୁ ଅନୁରୋଧ କରୁଛି, ମୋ ରାଣ ,କାହାକୁ କିଛି ନକହି ଶୀଘ୍ର ସବୁ ବ୍ୟବସ୍ଥା କରନ୍ତୁ।

ଆଉ ମୁଁ ଏତେ ସ୍ୱାର୍ଥପର ଯେ ନିଜ ଝିଅ ପାଇଁ ଅନ୍ୟ ଏକ ଝିଅକୁ ମାରିଦେଲି । ଆଉ ତୁ …….., ଛି

ତାର ରାଣ ନିୟମ ରେ ବାନ୍ଧି ହୋଇ ଆଜି ପର୍ଯ୍ୟନ୍ତ କିଛି ତୋତେ କହି ନଥିଲି କିନ୍ତୁ ଭାଗ୍ୟର ବିଡମ୍ବନା,ଯିଏ ଅନ୍ୟର ମଙ୍ଗଳ କାମନା କଲା ,ସେ ଆଜି ମରଣ ସହ ସଂଘର୍ଷ କରୁଛି ।

— ମାନେ !

କିଛି ମାସ ପରେ ହଠାତ୍ ପାୟଲ ଅସୁସ୍ଥ ଅନୁଭବ କରିବାରୁ,ଡାକ୍ତରଙ୍କ ପାଖକୁ ନେଇ ସବୁ ଟେଷ୍ଟ କଲାପରେ ଜଣା ପଡି ଥିଲା ,ସେ ବ୍ଲଡ କ୍ୟାନ୍ସର ରେ ପୀଡ଼ିତ । ବାପାମାଆ ଚାଲିଗଲା ପରେ ତାର ଦେଖାଶୁଣା କରିବାକୁ କିଏ ଅଛି। ସେଥିପାଇଁ ଶେଷ ସମୟରେ ତାର ଟିକେ କାଳେ ଋଣସୁଝି ପାରିବି ରୋହନ ଙ୍କୁ ନିବେଦନ କରିଥିଲି ତାର ସାଙ୍ଗରେ ରହି ଦେଖାଶୁଣା କରିବା ପାଇଁ,ହେଲେ ତୁ ……

ଚୁପ୍ ହୋଇ କାନ୍ଦିବାରେ ଲାଗିଥିଲା ରାଗିଣୀ । ସତେ ଯେପରି ତାପାଇଁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ।ଯେତେବେଳେ ଜାଣିବାକୁ ପାଇଲା ମାଆ ବି ସବୁ ଜାଣିଥିଲେ,ତାକୁ ଜଣାଇ ନ ଥିଲେ,ଆହୁରି କଷ୍ଟ ଅନୁଭବ କରିଥିଲା । ଶେଷରେ —

” ଆଇ ଆମ୍ ସରି ବାବା ” । ମୁଁ ଆଜି ଯାଏଁ ଯାହା ଭୁଲ୍ କରିଛି ତା ପାଇଁ କ୍ଷମା ନାହିଁ, ତଥାପି ହସ୍ପିଟାଲ ଯାଇ ପାୟଲ କୁ କ୍ଷମା ମାଗି ସେସବୁର ସମାଧାନ କରିବାକୁ ଚାହେଁ। ତାର ପାଦତଳେ ପଡ଼ି ତାକୁ ଭୁଲ୍ ମାଗିବାକୁ ଚାହେଁ । ମୋତେ ଟିକେ ନେଇ ଚାଲ,ପ୍ଲିଜ୍ ବାବା , ପ୍ଲିଜ୍ ମାଆ। ବହୁତ୍ ନେହୁରା ହୋଇଥିଲା ରାଗିଣୀ ।

ସବୁମିଶି ବାହାରିବା ବେଳେ ପରେଶ ବାବୁଙ୍କ ଫୋନ୍ ଟି ବାଜି ଉଠିଥିଲା , ଆଉ ଜାଣିବାକୁ ପାଇଥିଲେ ପାୟଲ ଇଜ୍ ନୋ ମୋର। ଏହା ଜାଣିବା ପରେ କେବଳ ପ୍ରାୟଶ୍ଚିତ ର ନିଆଁରେ ଜଳି ଜଳି ସବୁଦିନ ପାଇଁ ରହିଥିଲା ରାଗିଣୀl

*ସଂଯୁକ୍ତା ଦାଶ*

*କଳିଙ୍ଗ ବିହାର, ଭୁବନେଶ୍ୱର*

Leave a Reply

Your email address will not be published. Required fields are marked *