ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଦରମା

ନୂଆଦିଲ୍ଲୀ,୧୦/୯: ଅଙ୍ଗନୱାଡ଼ି ଙ୍କ ପାଇଁ ଖୁସି ଖବର । ବଢିଛି ମାସିକ ପାରିଶ୍ରମିକ । ଯାହାକୁ ୮ ହଜାରରୁ ବୃଦ୍ଧି କରାଯାଇ ୧୨ ହଜାର ଟଙ୍କା ଏବଂ ସହାୟିକାମାନଙ୍କର ୪ ହଜାରରୁ ବୃଦ୍ଧି କରାଯାଇ ୬ ହଜାର ଟଙ୍କା କରାଯିବ। ଉତ୍ତର ପ୍ରଦେଶ ସରକାର ଏନେଇ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନେ ଉପକୃତ ହୋଇପାରିବେ ।

ଏହା ସହିତ କର୍ମୀ, ସହାୟିକା ତଥା ସେମାନଙ୍କ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ ଚିକିତ୍ସା ସୁବିଧା ମିଳିବ। ଏବେ ସେମାନଙ୍କୁ ଦୁଇଟି ବଦଳରେ ତିନୋଟି ଶାଢ଼ୀ ମିଳିବ। ମୁଖ୍ୟମନ୍ତ୍ରୀ ସ୍ମାର୍ଟଫୋନ ଏବଂ ରିଅଲ-ଟାଇମ ଡାଟା ବ୍ୟବହାର କରି ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସ୍ମାର୍ଟ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟା ଧାମରେ ICDS ଅଧୀନରେ ଆୟୋଜିତ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ସମ୍ମାନ ସମାରୋହକୁ ସମ୍ୱୋଧିତ କରୁଥିଲେ। ଅଯୋଧ୍ୟାରେ ପ୍ରାୟ ୧୨ ହଜାର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ, ଅନ୍ୟପକ୍ଷରେ ସମସ୍ତ ୭୫ଟି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଯୋଡ଼ି ହୋଇଥିଲେ। ବୁଧବାରରୁ ଆରମ୍ଭ ହେଉଥିବା ପୋଷଣ ମାସ ପୂର୍ୱରୁ ମୁଖ୍ୟମନ୍ତ୍ରୀ ଯୋଗୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ପାରିଶ୍ରମିକ ବୃଦ୍ଧି, କ୍ୟାସଲେସ ସୱାସ୍ଥ୍ୟ ସୁବିଧା, ଅତିରିକ୍ତ ଶାଢ଼ୀ ଏବଂ ସ୍ମାର୍ଟଫୋନ ଭଳି ଚାରୋଟି ପ୍ରମୁଖ ଉପହାର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହାରେ ସରକାର ଗଠନ ସମୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମାତ୍ର ୩,୦୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ସରକାର ଏହାକୁ କାର୍ଯ୍ୟଦକ୍ଷତା-ଆଧାରିତ (ପରଫରମାନ୍ସ-ବେସ୍ଡ) ବ୍ୟବସ୍ଥା ସହିତ ଯୋଡ଼ି ୮,୦୦୦ ଟଙ୍କା କରିଥିଲେ। ଏବେ ଏହାକୁ ବୃଦ୍ଧି କରି ୧୨,୦୦୦ ଟଙ୍କା କରାଯିବ। ସହାୟିକାମାନଙ୍କର ପାରିଶ୍ରମିକ ମଧ୍ୟ ୧,୫୦୦ ଟଙ୍କାରୁ ବୃଦ୍ଧି କରାଯାଇ ପ୍ରଥମେ ୪,୦୦୦ ଏବଂ ଏବେ ୬,୦୦୦ ଟଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *