ଭୁବନେଶ୍ୱର, ୭/୯ : ମେଧାକୁ ସମ୍ମାନ, ପ୍ରତିଭାକୁ ପ୍ରୋତ୍ସାହନ ଏବଂ ଶିକ୍ଷାର ପଥରେ ଆଗେଇବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାର ମହତ୍ ଉଦ୍ଦେଶ୍ୟ ନେଇ ପ୍ରଦାନ କରାଯାଇଛି ‘ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଥିବା ଦୁଇ ମେଧାବୀ ଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କେସି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଏବଂ ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପାର୍ଥସାରଥି ମହନ୍ତ ଉଭୟ ନିଜ ମେଧା ଓ ପରିଶ୍ରମ ବଳରେ ମାଟ୍ରିକ ପରୀକ୍ଷାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଉଭୟ କୃତୀ ଛାତ୍ରଙ୍କୁ ସମ୍ମାନିତ କରାଯିବା ସହ ପୁରସ୍କାର ସ୍ୱରୂପ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ନୈତିକ ପ୍ରୋତ୍ସାହନ ଯୋଗାଇବା ଏହି ମେଧାବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ। ସିଙ୍ଗାପୁରରେ ରହୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁରର ନିବାସୀ ସତ୍ୟ ସୁତାର ଏହି ମେଧାବୃତ୍ତି ପ୍ରଦାନ କରି ଆସୁଛନ୍ତି । ନିଜ ଜନ୍ମମାଟି ଓ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ଏବଂ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଏହି ଉଦ୍ୟମ ଜାରି ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସହଦେବ ସାହୁ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ କରେ ନାହିଁ, ଏହା ସମଗ୍ର ସମାଜର ଚିନ୍ତାଧାରା ଓ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିଥାଏ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ଦେଇ ଶିକ୍ଷାର ବିକାଶରେ ସତ୍ୟ ସୁତାର ଯେଉଁ ମହତ୍ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସନୀୟ ବୋଲି ଶ୍ରୀ ସାହୁ କହିଥିଲେ। ଏଭଳି ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ସମାଜ ପାଇଁ କିଛି କରିବାକୁ ପ୍ରେରଣା ଦେବ ବୋଲି ସେ ମତ ପ୍ରକାଶ କରିଥିଲେ।
ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନମ୍ରତା ଚଢା, ଲେଖିକା ଓ ସ୍ତମ୍ଭକାର ଶ୍ରୀମତୀ ଶ୍ରୁତକୀର୍ତ୍ତି ତ୍ରିପାଠୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଏବଂ ଆର୍ଯ୍ୟ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କମ୍ପ୍ୟୁଟର ସାଇନ୍ସର ପ୍ରିନ୍ସପାଲ ଡ. ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ ‘ଶିକ୍ଷା ହିଁ ସମାଧାନ’ ବିଷୟରେ ଆଲୋକପାତ କରିଥିଲେ।
ଅତିଥିମାନେ କହିଥିଲେ ଯେ, ଆଜିର ମେଧାବୀ ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ସମାଜର ଦାୟିତ୍ୱବାନ ନାଗରିକ । ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ସହ ତାହାର ବିକାଶ ପାଇଁ ସୁଯୋଗ ଦେବା ସମାଜର ଦାୟିତ୍ୱ । କେବଳ ପ୍ରତିଭା ଥିଲେ ହେବ ନାହିଁ, ତାହାକୁ ଠିକ୍ ଦିଗରେ ବିକଶିତ କରିବା ପାଇଁ ଆବଶ୍ୟକ ପରିବେଶ, ସହଯୋଗ ଓ ପ୍ରୋତ୍ସାହନ ମଧ୍ୟ ଦରକାର । ସେହିଭଳି ଆଜିର Gen-Z ପିଢ଼ି କେବଳ ଟେକ୍ନୋଲୋଜି ସହ ତାଳ ମିଳାଇ ଚାଲୁଥିବା ପିଢ଼ି ନୁହେଁ, ବରଂ ନୂଆ ଚିନ୍ତାଧାରା ଓ ସ୍ୱପ୍ନକୁ ବାସ୍ତବ ରୂପ ଦେବାର କ୍ଷମତା ରଖୁଥିବା ପିଢ଼ି ବୋଲି ଅତିଥିମାନେ ମତ ଦେଇଥିଲେ।
ସତ୍ୟ ସୁତାରଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଅନେକ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେମାନେ କହିଥିଲେ। ଜଣେ ଛାତ୍ରଙ୍କ ସଫଳତା କେବଳ ତାଙ୍କ ପରିବାରର ଗୌରବ ନୁହେଁ ବରଂ ତାଙ୍କ ବିଦ୍ୟାଳୟ, ଅଞ୍ଚଳ ଓ ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମକୁ ଡ. ତ୍ରିଲୋଚନ ନାୟକ ପରିଚାଳନା କରିଥିଲେ। ଶେଷରେ ସେ ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ, ଅଭିଭାବକ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗତ ୬ ବର୍ଷ ଧରି ରାଜ୍ୟର ମାଟ୍ରିକ ଟପ୍ପରମାନଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି।
ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ‘ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’













Leave a Reply