୮୧ତମ ରାଜ୍ୟ ପୋଲିସ ଫୁଟବଲ୍ ଚାମ୍ପିୟନସିପ–୨୦୨୬

ଭୁବନେଶ୍ବର,୨/୯ : କନ୍ଧମାଳସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ବୁଧବାର ୮୧ତମ ରାଜ୍ୟ ପୋଲିସ ଫୁଟବଲ୍ ଚାମ୍ପିୟନସିପ–୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ହୋଇଥିବା ଓଏସଏପି ପଞ୍ଚମ ବାଟାଲିୟନ ବାରିପଦା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ରନର୍ସ ଅପ୍ ହୋଇଥିବା ସମ୍ବଲପୁର ପୋଲିସ ଜିଲ୍ଲା ଟିମକୁ ସେ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଖେଳାଳୀମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଆୟୋଜକଗଣ ଏହି ପୋଲିସ ଫୁଟବଲ ଚାମ୍ପିୟନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ଆଜି ଅପରାହ୍ନ ସମୟରେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦା ଓ ସମ୍ବଲପୁର ଜିଲ୍ଲା ପୋଲିସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦା ଦଳ ୧-୦ଗୋଲରେ ସମ୍ବଲପୁର ପୋଲିସ ଜିଲ୍ଲାକୁ ପରାସ୍ତ କରି ବିଜେତା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଚାମ୍ପିୟନସିପ ୨୦ଅଗଷ୍ଟରୁ ୨ସେପ୍ଟେମ୍ବର ୨୦୨୬ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା, ବାଟାଲିୟନ୍‌ ଓ ପୋଲିସ ପ୍ରତିଷ୍ଠାନରୁ ମୋଟ ୪୮ଟି ଦଳ ଭାଗ ନେଇଥିବା ବେଳେ ୬୪ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୪ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦାର କାରୁ ହାଁସଦା, ଶ୍ରେଷ୍ଠ ଗୋଲ କିପର ଭାବେ ସମ୍ବଲପୁର ଜିଲ୍ଲାର ପରେଶ ରାଉତ, ଶ୍ରେଷ୍ଠ ଡିଫେଣ୍ଡର ଭାବେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦାର ମନୋଜ ଟୁଡୁ, ଶ୍ରେଷ୍ଠ ମିଡ୍‌ଫିଲ୍ଡର ଭାବେ ଓଏସଏପି ଦ୍ଵିତୀୟ ବାଟାଲିୟନ ଝାରସୁଗୁଡାର ରବି କୁମାର ଶ୍ରେଷ୍ଠ, ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ ସୁନ୍ଦରଗଡ଼ର ଆଲିଷ୍ଟର ବ୍ୟାଙ୍କର, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସମ୍ବଲପୁର ପୋଲିସ ଜିଲ୍ଲାର ଶ୍ରୀକାନ୍ତ ଭୋଇ, ଏବଂ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ କନ୍ଧମାଳ ପୋଲିସ ଜିଲ୍ଲାକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ (କନ୍ଧମାଳ) ବେଦଭୂଷଣ, ଏସପି (କନ୍ଧମାଳ) ରାମେନ୍ଦ୍ର ପ୍ରସାଦ, ଏସପି ବୌଦ୍ଧ, କୁଲଦୀପ ମୀନା, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *