MMDR ଆଇନ ସଂଶୋଧନକୁ ନେଇ ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ଵର, ୨୯/୮ : MMDR ଆଇନ ସଂଶୋଧନକୁ ନେଇ ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି । ଓଡ଼ିଶାର ସବୁ ବିଜେପି ସାଂସଦମାନଙ୍କୁ ଚିଠି ଲେଖି ଆହ୍ଵାନ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଛଡ଼ାଇ ନିଆଯାଇଛି । ଅଗଷ୍ଟ ୧୩ରେ ଲୋକସଭାରେ MMDR ସଂଶୋଧନ ବିଲ୍ ପାସ୍ ହେବା ଓଡ଼ିଶା ପାଇଁ କଳା ଦିନ । ଏହି ଆକ୍ଟ ଦ୍ଵାରା ଓଡ଼ିଶାର ବାର୍ଷିକ ୧୨ ହଜାର କୋଟିରୁ ଅଧିକ କ୍ଷତି ହେବ ।

ସେପଟେ ନବୀନଙ୍କ ଚିଠିକୁ ନେଇ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପାଇଁ ପ୍ରଥମେ ଦେଶ, ପରେ ପାର୍ଟି ଶେଷରେ ବ୍ୟକ୍ତି । ଯେତେବେଳେ ମାଟିର କଥା ଆସେ ସେତେବେଳେ ଭାରତୀୟ ଜନତା ପାର୍ଟି ବୁଝିବିଚାରି କାର୍ଯ୍ୟ କରେ । ଏଥିପାଇଁ ନବୀନ ବାବୁଙ୍କ ଉପଦେଶ ଦରକାର ନାହିଁ । ରାଜ୍ୟର ସ୍ବାର୍ଥ ବଳି ପଡୁଛି କି ନାହିଁ ପ୍ରଥମେ ପଢନ୍ତୁ ପରେ ମତାମତ ରଖନ୍ତୁ । ରାଜ୍ୟର କୌଣସି କ୍ଷତି ହେବ ନାହିଁ । ୨୦୧୪ ମସିହାରେ କୌଣସି କ୍ଷତି ହେଉନଥିଲା ଏବେ ରାଜ୍ୟର ୫୦ ହଜାର କୋଟି ଟଙ୍କା ଲାଭ ହେଉଛି । ଗୋଟିଏ ଦେଶରେ ଗୋଟିଏ ଆଇନ ରହିବ ଏଥିରେ କ୍ଷତି ନୁହେଁ ଲାଭ ହେବ । ଏହି ଆକ୍ଟରେ ପ୍ରଡକ୍ସନ, ପ୍ରଡକ୍ଟିଭିଟି ଏବଂ ମାର୍କେଟିଂ କମିବ ନାହିଁ । ଏମଏମଡିଆର ଆକ୍ଟକୁ ଭଲ ଭାବେ ଅଧ୍ୟୟନ କରନ୍ତୁ ନବୀନ ବାବୁ । ବିରୋଧୀ ଦଳ ତାଙ୍କ କାର୍ଯ୍ୟ କରିବେ ସେମାନେ ବିରୋଧ କରିବେ । ରାଜ୍ୟ ଆଗକୁ ଯିବା ସହ ଦେଶ ଆଗକୁ ଯିବ । ଦୁଇଟି ଯାକକୁ ଦେଖି ଏହି ଆକ୍ଟ ହୋଇଛି । ଏଥିରେ ରାଜ୍ୟ ଏବଂ ଦେଶର ସ୍ବାର୍ଥ ରହିଛି, ଉଭୟକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *