ଭୁବନେଶ୍ବର,୨୪/୮ : ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ ର ବିଚାରପତି ଇତିଶ୍ରୀ ମହାପାତ୍ର, ଗତ ୨୦୨୫ ମସିହା ମଇ ମାସରେ ଖଣ୍ଡଗିରୀ ଥାନା ଅଞ୍ଚଳରେ ହୋଇଥିବା ଏକ ମୋଟରସାଇକେଲ ଚୋରୀ ମାମଲାରେ ଅଭିଯୁକ୍ତ ଦୀପକ କୁମାର ସାହୁ ଓରଫ ଦୀପୁକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି । ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡିକୁ ତନ୍ନତନ୍ନ କରି ବିଶ୍ଳେଷଣ କରିବା ସହ ଅଭିଯୁକ୍ତ ଦୀପକ କୁମାର ସାହୁ ଓରଫ ଦୀପୁ ବିରୋଧରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ସେ ତାଙ୍କ ରାୟରେ ଅଭିଯୁକ୍ତ ଦୀପକ କୁମାର ସାହୁଙ୍କୁ ବାଇକ୍ ଚୋରୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ବିଏନଏସର ଧାରା-୩୦୩ (୨) ଅନୁଯାଇ ୧୧ ମାସର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ରାଜଲକ୍ଷ୍ମୀ ନାୟକ ସଫଳତାର ସହ ପରିଚାଳନା କରିଥିଲେ ।
ସୂଚନା ଅନୁସାରେ, ଅଭିଯୋଗକାରୀ ବାବୁରାମ ବେହେରା ଖଣ୍ଡଗିରୀ ଜାଗମରା ଅନ୍ତର୍ଗତ ଜଗମୋହନ ନଗର ନିକଟରେ ରୁହନ୍ତି । ଗତ ୧୧.୦୫.୨୦୨୫ ମଧ୍ୟାହ୍ନ ପ୍ରାୟ ୨.୫୦ ସମୟରେ ନିଜ ପଲସର ମୋଟରସାଇକେଲକୁ ଘର ସମୁଖରେ ସଠିକ ଭାବେ ତାଲା ପକାଇ ଘର ଭିତରକୁ ଖାଇବା ଲାଗି ଯାଇଥିଲେ। କିଛି ସମୟର ବ୍ୟବଧାନ ପରେ ସେ ଅପରାହ୍ନ ପ୍ରାୟ ୪.୧୫ ସମୟରେ ମୋଟରସାଇକେଲ ନିକଟକୁ ଫେରି ଦେଖିବା ବେଳକୁ, ମୋଟରସାଇକେଲ ଆଉ ସେଠାରେ ନ ଥିଲା । ଆଖପାଖରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେହିଦିନ ରାତି ପ୍ରାୟ ୧୦.୫୫ ସମୟରେ ଅଭିଯୋଗକାରୀ ବାବୁରାମ ବେହେରା ମୋଟରସାଇକେଲ ଚୋରୀ ନେଇ ଖଣ୍ଡଗିରି ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।
ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରୀ ଥାନା କେସ ନମ୍ବର-୩୦୪/୨୦୨୫, ବିଏନଏସ ର ଧାରା ୩୦୩ (୨) ରେ ମାମଲା ରୁଜୁ କରାଯାଇ ସବ୍-ଇନ୍ସପେକ୍ଟର ଅଜୟ କୁମାର ବିଶ୍ବାଳଙ୍କ ଉପରେ ଏହାର ତଦନ୍ତ ଭାର ନ୍ୟସ୍ତ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ଶ୍ରୀ ବିଶ୍ବାଳ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ଦୀପକ କୁମାର ସାହୁ ଓରଫ୍ ଦୀପୁକୁ ଚିହ୍ନଟ ଓ ଗିରଫ କରିବା ସହ ତାଙ୍କ ବିରୋଧରେ ମାନ୍ୟବର ଅଦାଲତଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଥିଲେ।














Leave a Reply