ଭୁବନେଶ୍ବର,୨/୬ : ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ଅବସରରେ ଅଗ୍ନି ନିରାପତ୍ତା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୁରୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଅଗ୍ନିକାଣ୍ଡ ପ୍ରତିରୋଧ, ଅଗ୍ନି ନିର୍ବାପଣ, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ବଡଦାଣ୍ଡ, ଶ୍ରୀମନ୍ଦିର ପରିସର, ପାର୍କିଂ ସ୍ଥଳ, ଅସ୍ଥାୟୀ ଶିବିର ଓ ଅଧିକ ଜନସମାଗମ ହେଉଥିବା ସ୍ଥାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ନିୟମିତ ମକ୍ ଡ୍ରିଲ୍, ତ୍ୱରିତ ପ୍ରତିକ୍ରିୟା ଦଳ (QRT) ଗଠନ, ଜରୁରୀକାଳୀନ ନିର୍ଗମନ ଯୋଜନା ଏବଂ ୨୪×୭ ନଜରଦାରୀ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜ଼ିଲ୍ଲାପାଳ, ପୁରୀ ମହାନଗର ନିଗମର କମିଶନର, ମୁଖ୍ୟ ଅଗ୍ନି ନିର୍ବାପକ ଅଧିକାରୀ, ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ), ଅତିରିକ୍ତ ଜ଼ିଲ୍ଲାପାଳ (ପ୍ରଶାସନ) ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।














Leave a Reply