ବି.ସିପୁର ଆଶ୍ରମ ସ୍କୁଲରେ ବିଭିନ୍ନ ଅବ୍ୟବସ୍ଥା; ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଗଲେ ଛାତ୍ରଛାତ୍ରୀ

ଖୁଣ୍ଟା, ୨୧/୯ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବି.ସି.ପୁର ଆଶ୍ରମ ବିଦ୍ୟାଳୟ ଅବ୍ୟବସ୍ଥାକୁ ନେଇ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ବାହାରି ଚ଼ାଲି ଚ଼ାଲି ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ  ଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣା ଆଶ୍ରମ ବିଦ୍ୟାଳୟ ର ତଦାରଖ ଦାଇତ୍ୱରେ ରହୁଥିବା କର୍ମଚାରୀମାନଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୂଚ଼ନା ଅନୁଯାୟୀ, କପ୍ତିପଦା ଉପଖଣ୍ଡ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ବି.ସି ପୁର ଆଶ୍ରମ ବିଦ୍ୟାଳୟର  ପ୍ରାୟ ଶହେରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସୋମବାର ସକାଳ ସମୟରେ ବିଦ୍ୟାଳୟରୁ ବାରି ଚ଼ାଲିଚାଲି ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କର ସମସ୍ୟା ସଂପର୍କରେ  ଅଭିଯୋଗ କରିବା ପାଇଁ ବାରିପଦା ଅଭିମୁଖେ ଯାଉଥିଲେ । ତେବେ ଘଟଣା ସଂପର୍କରେ ସୂଚ଼ନାପାଇ ପିଏ ଆଇଟଡ଼ିଏ ଆଶିଷ ମହାପାତ୍ର, ଖୁଣ୍ଟା ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଖୁଣ୍ଟା ବ୍ଲକ ସହକାରୀ ଯନ୍ତ୍ରୀ ବିନୋୟ ଜ୍ୟୋତି ଲେଙ୍କାଙ୍କ ସମେତ ବହୁ ପଦାଧିକାରୀ ଖୁଣ୍ଟା – ଉଦଳା ରାସ୍ତାର କଲେଜ ଛକ ନିକଟରେ ଉପସ୍ଥିତ ହୋଇ ଛାତ୍ରଙ୍କୁ ବିଦ୍ୟାଳୟ ଅଭିମୁଖେ ଫେରାଇ ନେବାକୁ ପ୍ରୟାସ କରିଥିଲେ ।ତେବେ କିଛି ଛାତ୍ରଙ୍କୁ ପ୍ରଶାସନ ଫେରାଇ ନେବାରେ ସଫଳ ହୋଇଥିବାବେଳେ ଆସୁଥିବା ଛାତ୍ରୀମାନେ  ରାସ୍ତାରେ ଥିବା ଅଧିକାରୀଙ୍କୁ ଚକମା ଦେଇ ବାରିପଦା ଅଭିମୁଖେ ବାହାରି ଯାଇଥିଲେ । ତେବେ ଛାତ୍ରଛାତ୍ରୀମାନଙ୍କୁ ଅଟକାଇ ବିଦ୍ୟାଳୟକୁ ଫେରାଇ ନେବା ପାଇଁ  ଅଧିକାରୀମାନଙ୍କୁ ତା’ଙ୍କ ପଛେପଛେ ଯିବା ପାଇଁ ପଡ଼ିଥିଲା । ଫଳରେ ଦୀର୍ଘ  ଘଣ୍ଟା ଧରି ପ୍ରଶାସନିକ ଅଧିକାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା ।

ପରବର୍ତ୍ତୀ ସମୟରେ ଖୁଣ୍ଟା ବଇପାସ ଛକରୁ କିଛି ଛାତ୍ରୀଙ୍କୁ ପ୍ରଶାସନିକ ଅଧିକାରୀମାନେ ଖୁଣ୍ଟା ବ୍ଲକ କାର୍ଯ୍ୟାଳୟକୁ ଆଣିଥିବାବେଳେ ଅନ୍ୟ କିଛି ଛାତ୍ରୀମାନଙ୍କୁ ବାରିପଦା ଅଭିମୁଖେ ଯାଉଥିବାବେଳେ ପ୍ରଶାସନ ସେମାନଙ୍କୁ ପ୍ରାୟ ୧୨ କିମି ଦୂରରୁ ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥ ର କେନାଲ ଛକ ଓ ଟିଟିଆ ଛକରୁ ବୁଝାସୁଝା କରି ବ୍ଲକ କୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ   ବ୍ଲକ ପରିସରରେ ଉପଜିଲ୍ଲାପାଳ ପ୍ରଣୟରଞ୍ଜନ ବେହେରା , ପିଏ ଆଟି ଡିଏ ଆଶିଷ ମହାପାତ୍ର, ବିଡ଼ିଓ ସତ୍ୟଜିତ ରାଉତ, ଡ଼ିଇଓ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବି ଉପରେ ଆଲୋଚ଼ନା କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ,ହଷ୍ଟେଲ ରେ ଗତ ଦୁଇ ମାସ ରୁ ଉର୍ଦ୍ଧ ସମୟ ଧରି ସେମାନେ ବିଦ୍ୟୁତ , ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ବୋଲି କହିଥିଲେ ।ଏପରିକି ଗତ ୨ ମାସ ଧରି ପୋକରା ଚାଉଳ ରେ ଭାତ ଖାଇବାକୁ ଦିଆଯାଉଛି । ଯାହା ଖାଦ୍ୟ ଅନୁପଯୋଗୀ  ଏହି ଚ଼ାଉଳର କିଛି ନମୁନା ହାତରେ ଧରି ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ପ୍ରଶାସନିକ ଅଧିକାରୀମାନଙ୍କୁ ଦେଖାଇଥିଲେ ।

ଏହି ସବୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ କି ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ତେବେ ନିମ୍ନମାନର ଖାଦ୍ୟ ପରିବେଷଣ ସଂପର୍କରେ ବାରମ୍ବାର ଦାୟିତ୍ଵରେ ମେଟ୍ରୋନ, ପ୍ରଧାନଶିକ୍ଷକ, ଡବ୍ଲୁଇଓଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ରଛାତ୍ରୀମାନେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ଏପରିକି ବିଦ୍ୟାୟର ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆଣିଲେ ଅନ୍ତେବାସୀମାନଙ୍କୁ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଏଭଳି ଏକ ସମ୍ବଦନଶୀଳ ଘଟଣାରେ ପ୍ରତିକ୍ରୀୟାଶୀଳ ହୋଇ ବିଦ୍ୟାଳୟ ରେ ଥିବା ଅନ୍ୟ କିଛି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖ ତଥା ଉଦଳା – ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ବି.ସି .ପୁର ଛକ ରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହି ପ୍ରତିବାଦ କରିବା ସହିତ ବ୍ଲକ କାର୍ଯ୍ୟାଳୟରେ ବସି ଏହାର ସମାଧାନ କରିବା ପରିବର୍ତ୍ତେ ଘଟଣାସ୍ଥଳରେ ଅଧିକାରୀମାନଙ୍କ ଉପସ୍ଥିତି ଦାବି କରିଥିଲେ । ଫଳରେ ରାଜପଥରେ ଯାନ ବାହାନ ଚଳାଚ଼ଳସଂପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଥିଲା ପରବର୍ତ୍ତୀ ସମୟରେ ରାସ୍ତା ଅବରୋଧ ହୋଇଥିବା ସ୍ଥାନରେ ଏଡିଏମ ଦୁଃଖବନ୍ଦୁ ନାୟକଙ୍କ ସମେତ ଅନ୍ୟ ପ୍ରଶାସନିକଅଧିକାରୀ ଏବଂ ରାସ୍ତାରୁ ଉଦ୍ଧାର ହୋଇ ବ୍ଲକ କାର୍ଯ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ମାନଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିବା ସହିତସେମାନଙ୍କ ଦାବି ସମ୍ପର୍କରେ ଆଲୋଚ଼ନା କରିଥିଲେ ! ଏବଂ ଅଭିଯୋଗ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂଆଶ୍ରମ ବିଦ୍ୟାଳୟର ପରିଚାଳନା ଦାଇତ୍ୱ ଉପଜିଲ୍ଲାପାଳ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ନେବେ ବୋଲି ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ରାସ୍ତା  ଅବରୋଧରୁ  ଓହରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *