ନୀତା ଅମ୍ବାନୀଙ୍କ ଦ୍ୱାରା “ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ”ର ଭୂମିପୂଜନ, ୫,୦୦୦ରୁ ଅଧିକ ନିଃସହାୟଙ୍କୁ ମିଳିବ ନିଜସ୍ୱ ଘର

ମୁମ୍ବାଇ,୩/୧୧ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ରବିବାର ମହାରାଷ୍ଟ୍ରର କର୍ଜାତଠାରେ “ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ”ର ଭୂମିପୂଜନ କରିଛନ୍ତି । ପ୍ରାୟ ୧୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପରିସରରେ ୫,୦୦୦ରୁ ଅଧିକ ଅନାଥ ଶିଶୁ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘର ଓ ପରିବାର ଭଳି ପରିବେଶ ସହ ଯତ୍ନ ଓ ସେବା ଯୋଗାଇ ଦିଆଯିବ। ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଈଶା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ରିଲାଏନ୍ସ ଫାଉଣ୍ଡେସନର ଏହି ପଦକ୍ଷେପକୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ପର୍ଯ୍ୟୟକ୍ରମେ ବିକଶିତ କରାଯିବ।

ଭୂମିପୂଜନ ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ, ଅନନ୍ତ ଆଶ୍ରୟ ତାଙ୍କ ଓ ତାଙ୍କ ପରିବାରର ହୃଦୟର ଅତି ନିକଟତର। ସେ କହିଥିଲେ, “ଜଣେ ମା’ ଭାବେ ମୋର ସବୁଠାରୁ ବଡ଼ ଆଶା ହେଉଛି, ଯେଉଁ ମାତାପିତା ଜୀବନସାରା ଏହି ଚିନ୍ତାରେ ରହିଥାନ୍ତି ଯେ, ସେମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ପିଲାଙ୍କ ଯତ୍ନ କିଏ ନେବ, ସେମାନଙ୍କୁ ଏହି ବିଶ୍ୱାସ ମିଳୁ ଯେ, ସେମାନଙ୍କ ପିଲାଙ୍କର ସବୁଦିନ ପାଇଁ ନିଜସ୍ୱ ଘର ଓ ପରିବାର ରହିବ।” ଏଠାରେ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ ସମ୍ମାନର ସହ ଜୀବନ ବିତାଇବା ଏବଂ ପ୍ରତ୍ୟେକ ନୂଆ ଦିନକୁ ଆଶା ଓ ଆତ୍ମବିଶ୍ୱାସର ସହ ସ୍ୱାଗତ କରିବାର ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅନନ୍ତ ଆଶ୍ରୟକୁ କେବଳ ଏକ ଆଶ୍ରୟସ୍ଥଳୀ ଭାବେ ନୁହେଁ, ବରଂ ଏଭଳି ଏକ ସମୁଦାୟ ଭାବେ ପରିକଳ୍ପନା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଓ ଅତ୍ମୀୟତା ମିଳିବ। ଏହି ପରିସରରେ ପରିବାର ଭଳି ଛୋଟ ଛୋଟ ଘର ରହିବ ଏବଂ ସେଠାରେ ସ୍ୱତନ୍ତ୍ର ଭାବେ ନିଯୁକ୍ତ କର୍ମଚାରୀମାନେ ଯତ୍ନ ନେବେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବ୍ୟକ୍ତିଗତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏଠାରେ ରହୁଥିବା ଲୋକ, ଡାକ୍ତରୀ ବିଶେଷଜ୍ଞ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ମିଶାଇ ପ୍ରାୟ ୧୫ ହଜାର ଲୋକଙ୍କର ଏକ ସମୁଦାୟ ଗଢ଼ି ଉଠିବାର ଆଶା ରହିଛି। ପ୍ରସ୍ତାବିତ ଏହି ପରିସରରେ ଏକ ସ୍ୱତନ୍ତ୍ର ହସ୍ପିଟାଲ, ପୁନର୍ବାସ କେନ୍ଦ୍ର, ଫିଜିଓଥେରାପି ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ରହିବ। ଏହା ସହିତ ଶିକ୍ଷା, କ୍ରୀଡ଼ା, ସଙ୍ଗୀତ ଓ କଳା କ୍ଷେତ୍ରରେ ମଧ୍ୟ ବିଭିନ୍ନ ସୁଯୋଗ ମିଳିବ। ବେକେରି, କାଫେ ଓ ହସ୍ତଶିଳ୍ପ କେନ୍ଦ୍ର ମାଧ୍ୟମରେ ରୋଜଗାର ଓ ଦକ୍ଷତା ବିକାଶର ବ୍ୟବସ୍ଥା କରାଯିବ। ପରିସରରେ ମନ୍ଦିର, ଉଦ୍ୟାନ ସହିତ ବନତାରାର ସହଯୋଗରେ ପଶୁମାନଙ୍କ ସହ ଯୋଡ଼ି ହେବା ପାଇଁ ଏକ ଫାର୍ମ ମଧ୍ୟ ପ୍ରସ୍ତାବିତ ରହିଛି। ଏହା ସହିତ ଆଖପାଖ ଗ୍ରାମର ଲୋକମାନେ ମଧ୍ୟ ଏଠାକାର କେତେକ ସୁବିଧାର ଲାଭ ଉଠାଇପାରିବେ।

ଉଲ୍ଲେଖନୀୟ ଯେ, ନୀତା ଅମ୍ବାନୀ ନିଜ ଜନ୍ମଦିନ ଅବସରରେ ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପର ମୂଳଦୁଆ ପକାଇଛନ୍ତି। ନିଜ ଅଭିଭାଷଣରେ ସେ ଏହାକୁ ଭାରତମାତାଙ୍କ ଚରଣରେ ଜଣେ ମା’ଙ୍କ ପକ୍ଷରୁ ଏକ ଛୋଟିଆ ଉପହାର ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *