ପବିତ୍ର ରଥଯାତ୍ରାରେ ଜୀ ସାର୍ଥକର ଅଭିନବ ପ୍ରୟାସ ‘ଆସ୍ଥାର ଯାତ୍ରା’

ଭୁବନେଶ୍ବର,୧୨/୭ : ଜୀ ସାର୍ଥକ ଓଡ଼ିଶାର ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଭାବରେ ଓଡ଼ିଆ କଳା, ସଂସ୍କୃତି ଏବଂ ପର୍ବପର୍ବାଣୀର ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ରଥଯାତ୍ରା, ରଜ ଏବଂ ନୂଆଖାଇ ଭଳି ମହାନ ପାରମ୍ପରିକ ପର୍ବଗୁଡ଼ିକୁ ଆଧାର କରି ଏହା ସ୍ୱତନ୍ତ୍ର ଧାରାବାହିକ, କାର୍ଯ୍ୟକ୍ରମ ତଥା ରିଆଲିଟି ସୋ’ ପ୍ରସାରଣ କରି ଦର୍ଶକଙ୍କୁ ନିଜ ମାଟି ସହ ଯୋଡି ରଖିଛି। ସମ୍ପ୍ରତି ପବିତ୍ର ରଥଯାତ୍ରା ଅବସରରେ “ଆସ୍ଥାର ଯାତ୍ରା” ଭଳି ଏକ ଅଭିନବ ଅଭିଯାନ ମାଧ୍ୟମରେ ଓଡ଼ିଶାର କୋଟି କୋଟି ଭକ୍ତମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିବା ସହିତ ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ଏକ ସଫଳ ପ୍ରୟାସ ଆରମ୍ଭ କରିଛି । ସମସ୍ତଙ୍କ ପାଇଁ ପୁରୀ ଯାଇ ରଥଯାତ୍ରାରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ, କିନ୍ତୁ ସେଠାରେ ଆପଣଙ୍କର ଭକ୍ତି ବିଶ୍ୱାସ ଓ ଶ୍ରଦ୍ଧା ମହାପ୍ରଭୁଙ୍କ ପାଖରେ ପହଞ୍ଚେଇବା ନିଶ୍ଚିତ ଭାବରେ ସମ୍ଭବ। ଜୀ ସାର୍ଥକର ଆସ୍ଥାର ଯାତ୍ରାରେ ଯୋଗଦାନ କରନ୍ତୁ ଏବଂ ଆପଣଙ୍କର ନଡ଼ିଆ ମହାବାହୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରନ୍ତୁ। ଆପଣଙ୍କ ଆସ୍ଥା ଓ ଭକ୍ତିକୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜୀ ସାର୍ଥକ ଏକ ମାଧ୍ୟମ ସାଜିଛି।

ଏହି କ୍ୟାମ୍ପେନର ମୁଖ୍ୟ ଆକର୍ଷଣ ହେଉଛି ଏହାର ଭାବପୂର୍ଣ୍ଣ ବାର୍ତ୍ତା: “ଶ୍ରଦ୍ଧାରେ ବଢ଼େଇ ଦେଲି ନଡ଼ିଆ, ଭୁଜ ବଢ଼େଇ ନେବ କାଳିଆ”। ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଜୀ ସାର୍ଥକର ଏକ ସ୍ୱତନ୍ତ୍ର ‘ରଥଯାତ୍ରା ଭ୍ୟାନ୍’ ଓଡ଼ିଶାର ବିଭିନ୍ନ ସହର ଓ ଗାଁକୁ ଗସ୍ତ କରିବ ଓ ଏହି ଭ୍ୟାନ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଆସ୍ଥାର ପ୍ରତୀକ ସ୍ୱରୂପ ‘ନଡ଼ିଆ’ ସଂଗ୍ରହ କରାଯିବ। ସଂଗୃହିତ ସମସ୍ତ ନଡ଼ିଆ ଏବଂ ଭକ୍ତଙ୍କ ପ୍ରାର୍ଥନାକୁ ପୁରୀ ନିଆଯାଇ ମହାପ୍ରଭୁଙ୍କ ନିକଟରେ ଭକ୍ତିର ସହ ସମର୍ପଣ କରାଯିବ। ସାଧାରଣ ଜନତାଙ୍କ ସହ ଓଲିଉଡ ଏବଂ ଟେଲିଭିଜନ ଜଗତର ବହୁ ଜଣାଶୁଣା କଳାକାର ଏହି ପବିତ୍ର ଅଭିଯାନରେ ସାମିଲ ହୋଇ ନିଜ ଶ୍ରଦ୍ଧାର ନଡ଼ିଆ ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଲିପି, ମଣ୍ଟୁ, ସତ୍ୟଜିତ୍, ସୁଜିତ୍, ଅନିଷା, ସ୍ମୃତିରେଖା, ରଞ୍ଜନ, ସମ୍ଭବ ଓ ଅଙ୍କିତା ।

ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ୍ ରାଓ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରି କହିଛନ୍ତି, ଆପଣମାନେ ମଧ୍ୟ ଏହି ପବିତ୍ର ‘ଆସ୍ଥାର ଯାତ୍ରା’ର ଏକ ଅଂଶ ହୁଅନ୍ତୁ। ନିଜ ଆଖପାଖରେ ଆସୁଥିବା ଜୀ ସାର୍ଥକର ‘ରଥଯାତ୍ରା ଭ୍ୟାନ୍’କୁ ନିଜ ଭକ୍ତିର ନଡ଼ିଆ ପ୍ରଦାନ କରନ୍ତୁ। ଜୀ ସାର୍ଥକ ଆପଣଙ୍କ ଇଚ୍ଛା ଓ ଆଶାକୁ ମହାପ୍ରଭୁଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଉଛି।

Leave a Reply

Your email address will not be published. Required fields are marked *