ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଓଡ଼ିଶା ସହ ଜଡିତ ୬ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ । ୪ ମାଓବାଦୀ ମାଓ ସଙ୍ଗଠନରେ PPCM କ୍ୟାଡ଼ର ଭାବେ କାର୍ଯ୍ୟ କରୁଥିଲେ |

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ – ରାନୀ ସୋଢ଼ି ଓରଫ ସନ୍ଧ୍ୟା (୮ ଲକ୍ଷ), ପାଣ୍ଡୋ ପଡିୟମ ଓରଫ ଶସ୍ମିତା (୮ ଲକ୍ଷ), ସନ୍ତୋଷ କୁଡିୟମ (୮ ଲକ୍ଷ), କୋସା ମାଡଭି ଓରଫ ସତୀଶ (୮ ଲକ୍ଷ), ଦେବେ ମାଡକମ ଓରଫ ଜାନି (୨ ଲକ୍ଷ) ଏବଂ ଲାଲୁ ତାତି (୧ ଲକ୍ଷ)। ସେଥିମଧ୍ୟରୁ ୪ ଜଣ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ।

ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ସକ୍ରିୟ ରହି ଅନେକ ହିଂସାକାଣ୍ଡ ଘଟେଇ ଆସୁଥିଲେ । ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଛତିଶଗଡ଼ ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି । DRG ବିଜାପୁର ଏବଂ CRPF ୧୭୦ ବାଟାଲିୟନର ମିଳିତ ପ୍ରୟାସରେ ଏହି ଆତ୍ମସମର୍ପଣ ସମ୍ଭବ ହୋଇଛି।

Leave a Reply

Your email address will not be published. Required fields are marked *