ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ମଧ୍ୟ ଆମେରିକାର ପାନାମାରେ ପୁଣି ଭୟଙ୍କର ଭୂମିକମ୍ପ। ସୋମବାର ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ବୋଲି EMSC ପକ୍ଷରୁ ସୂଚନା ଦିଆଯାଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୩୫ କି.ମି. ଗଭୀରରେ ଥିଲା। ନିରନ୍ତର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ହଠାତ୍ ଏହି ଭୂମିକମ୍ପ ଯୋଗୁଁ କୋଠାଗୁଡ଼ିକ ଥରି ଉଠିଥିଲା, ଲୋକ ପୁରା ଭୟଭୀତ ହୋଇ ସେମାନଙ୍କ ଘର, କାର୍ଯ୍ୟାଳୟ ଏବଂ ଦୋକାନରୁ ଖୋଲା ରାସ୍ତାରେ ବାହାରକୁ ଦୌଡ଼ି ଆସିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର (୧୦ ଅକ୍ଟୋବର) ପାନାମାରେ ୭.୭ ତୀବ୍ରତାର ବଡ ଭୂମିକମ୍ପ ହୋଇଥିଲା। ସେବେଠୁ ୩୦୦ରୁ ଅଧିକ ଆଫ୍ଟରସକ୍ ରେକର୍ଡ ହୋଇଛି। ସରକାର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଦୂରଦୂରାନ୍ତ ଏବଂ ଗ୍ରାମାଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ତେଣୁ କ୍ଷୟକ୍ଷତି ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।
ଶୁକ୍ରବାର ଭୂମିକମ୍ପରେ ୨୭ ଜଣ ଆହତ ଓ ପ୍ରାୟ ୯୦୦ ଘର କ୍ଷତିଗ୍ରସ୍ତ ହୋଇଛି। ଲସ୍ ସାଣ୍ଟୋସ, କୋକ୍ଲେ, ଭେରାଗୁଆସ୍ ଓ ହେରେରା ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ। ସୋମବାର ଭୂମିକମ୍ପରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସୂଚନା ଆସିନାହିଁ।













Leave a Reply