ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୩/୧୦: ଓଡ଼ିଶା ସମେତ ୬ ରାଜ୍ୟରେ ରାଜ୍ୟପାଳ ଅଦଳବଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ନିଯୁକ୍ତି ଘୋଷଣା କରିଛନ୍ତି | ଓଡ଼ିଶାର ବର୍ତମାନର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କ ସ୍ଥାନରେ ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା କିଛି ଦିନରେ ରାଜଭବନରେ ଶପଥ ନେବେ।
ସୂଚନା ଅନୁଯାୟୀ, ସିକ୍କିମର ବର୍ତ୍ତମାନ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ସେହିପରି ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଧଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ରହିଛି ।
ଏହି ନିଯୁକ୍ତି ତାଲିକାରେ ଓଡ଼ିଶା ପାଇଁ ବ୍ରଜ ମୋହନ ରାମଙ୍କ ନାମ ରହିଛି । ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପରେ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ଥିବା ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜ ମୋହନ ରାମ ଦାୟିତ୍ୱ ଗ୍ରହଣ କରିବେ।
ବ୍ରଜ ମୋହନ ରାମ ଝାଡ଼ଖଣ୍ଡ ରାଜନୀତିର ଜଣେ ପରିଚିତ ଚେହେରା । ୧୯୫୮ ଜାନୁଆରୀ ୧ ତାରିଖରେ ଚାନ୍ଦୱାରେ ତାଙ୍କର ଜନ୍ମ। ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ରାଜନୀତି ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ସକ୍ରିୟ ରହିଆସିଛନ୍ତି । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ବିହାର ବିଧାନସଭାର ସଦସ୍ୟ ଥିଲେ । ଝାଡ଼ଖଣ୍ଡ ଅଲଗା ରାଜ୍ୟ ହେବା ପୂର୍ବରୁ ସେ ବିହାର ରାଜନୀତିରେ ସକ୍ରିୟ ଥିଲେ ।
ପରେ ବିଜେପି ଟିକେଟରେ ପଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲଗାତାର ତିନିଥର ସାଂସଦ ନିର୍ବାଚିତ ହୋଇଥିଲେ । ସଂସଦରେ ଥିବା ସମୟରେ ଶକ୍ତି, କୋଇଲା, ରେଳବାଇ ଏବଂ ଅନ୍ୟାନ୍ୟ ସଂସଦୀୟ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବ୍ରଜ ମୋହନ ରାମ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସହ ମଧ୍ୟ ଜଡ଼ିତ ଥିଲେ । ଝାଡ଼ଖଣ୍ଡରେ ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି ।
ବ୍ରଜ ମୋହନ ରାମ ହେବେ ଓଡ଼ିଶାର ୪୪ତମ ରାଜ୍ୟପାଳ | ଡ. କମ୍ଭମପତି ୩ ଜାନୁଆରୀ ୨୦୨୫ରେ ଦାୟିତ୍ୱ ନେଇଥିଲେ, ମାତ୍ର ୧ ବର୍ଷ ୯ ମାସ ଭିତରେ ବଦଳି ହୋଇଛି । ରାଷ୍ଟ୍ରପତି ଭବନ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ନିଜ ନିଜ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ନିଯୁକ୍ତି ଲାଗୁ ହେବ।
୨୦୨୪ ଡିସେମ୍ବର ୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରି ବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ହୋଇଥିଲା । ୩ ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ରାଜଭବନରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ତାଙ୍କୁ ଶପଥ ପାଠ କରାଇଥିଲେ । ସେ ରଘୁବର ଦାସଙ୍କ ସ୍ଥାନ ନେଇଥିଲେ । ରାଜ୍ୟପାଳ ଭାବେ ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ସେ କୁଳପତି ନିଯୁକ୍ତି, ଖାଲି ଅଧ୍ୟାପକ ପଦ ପୂରଣ ଏବଂ ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୨୦୨୬ରେ ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନଭେମ୍ବର ଶେଷ ସୁଦ୍ଧା ଖାଲି ଶିକ୍ଷକ ପଦ ପୂରଣ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ ।
ନିକଟରେ ୯ ଅକ୍ଟୋବର ୨୦୨୬ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟର ବିକାଶ, ଜନକଲ୍ୟାଣ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରଜ ମୋହନ ରାମଙ୍କ ନିଯୁକ୍ତି ଘୋଷଣା ହୋଇଛି । ନୂଆ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ହରି ବାବୁ କମ୍ଭମପାଟିଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ନୂଆ ଦାୟିତ୍ୱ ଘୋଷଣା କରାଯାଇନାହିଁ ।













Leave a Reply