ଗାନ୍ଧୀ ଜୟନ୍ତୀ ଅବସରରେ ଓଜେସିରେ ଆଲୋଚନାଚକ୍ର

ଭୁବନେଶ୍ୱର,୩/୧୦ : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । “ଗାନ୍ଧୀ ବିଚାରଧାରାର ପ୍ରାସଙ୍ଗିକତା- ସେବେ ଓ ଏବେ” ଶୀର୍ଷକ ବିଷୟ ବସ୍ତୁରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଏହି ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ ।

ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ, ବିଶିଷ୍ଟ ପରିବେଶବିତ୍ ତଥା ମହିଳା ଆତ୍ମନିର୍ଭର ଅଭିଯାନର ଅଧ୍ୟକ୍ଷା ଡଃ. ରିନା ରାଉତରାୟ ବକ୍ତାଭାବେ ଯୋଗ ଦେଇଥିଲେ । ଓଜେସି ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ କହିଥିଲେ ଯେ, ଗାନ୍ଧୀ ବିଚାରଧାରାର ଆବଶ୍ୟକତା ଓ ପ୍ରାସଙ୍ଗିକତା ସବୁ ସମୟରେ ରହିଛି । ଦେଶକୁ ଏକ ସୁସ୍ଥ ଗଣତନ୍ତ୍ର ଓ ସନ୍ତୁଳିତ ସାମାଜିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ଗାନ୍ଧୀ ଦର୍ଶନ ଏକମାତ୍ର ପନ୍ଥା । କିନ୍ତୁ ସଂପୂର୍ଣ୍ଣ ବିଶ୍ୱରେ ଗାନ୍ଧୀ ବିଚାରଧାରାର ପ୍ରୟୋଗ ହେଉଥିବାସ୍ଥଳେ ଭାରତବର୍ଷରେ ଗାନ୍ଧୀଙ୍କର ନୀତି ଆଦର୍ଶ ସଂପର୍କରେ କିଛି ଗୋଷ୍ଠୀ ପ୍ରଶ୍ନ କରୁଛନ୍ତି । ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଥିଲେ । ଲାଲ୍ ବାହାଦୂର ଶାସ୍ତ୍ରୀଙ୍କର ଜୀବନ ଏକ ଆଦର୍ଶମୟ ଦର୍ଶନଶାସ୍ତ୍ର ଭଳି ପ୍ରତୀୟମାନ ହୁଏ । ଆଜି ସମୟରେ ସମସ୍ତ ରାଜନେତା ଶାସ୍ତ୍ରୀଙ୍କର ରାଜନୈତିକ ମୂଲ୍ୟବୋଧକୁ ଅନୁକରଣ କରିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ ।

ଅନ୍ୟ ଦୁଇ ପ୍ରମୁଖ ବକ୍ତା ଗାନ୍ଧୀ ଓ ଶାସ୍ତ୍ରୀଙ୍କର ବିଚାରଧାରା ଭାରତବର୍ଷକୁ ଏକ ସମୃଦ୍ଧ ଦେଶ ଓ ସଦଭାବନାପୂର୍ଣ୍ଣ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ବଦ୍ରି ନାରାୟଣ ମହାନ୍ତି, ପ୍ରଦୀପ ପ୍ରଧାନ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, କୃଷକ ନେତା ଶେଷଦେବ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ନିଜର ମନ୍ତବ୍ୟ ରଖିଥିଲେ । ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *