ଭୁବନେଶ୍ୱର/ନୂଆଦିଲ୍ଲୀ, ୧/୧୦: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମହାନଦୀ ବିବାଦ ନେଇ ବୈଠକ ହେବ | ଏହି ବୈଠକରେ ଓଡ଼ିଶା CM ମୋହନ ମାଝୀ, ଛତିଶଗଡ଼ CM ବିଷ୍ଣୁଦେଓ ସାଏ, ଜଳଶକ୍ତି ମନ୍ତ୍ରୀ CR ପାଟିଲ, ମୁଖ୍ୟ ଶାସନ ସଚିବ ଓ CWC ଅଧିକାରୀ ଉପସ୍ଥିତ ରହିବେ |
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବଣ୍ଟନ ବିବାଦର ଅନ୍ତ ଘଟିପାରେ ବୋଲି କୁହାଯାଉଛି। ଆଜି ସକାଳୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ବିବାଦର ସମାଧାନ ନେଇ ସେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ, ବୈଠକରେ ଯେଉଁ ନିଷ୍ପତ୍ତି ନିଆଯିବ, ଆମେ ତାହାକୁ ମାନିବୁ..।
ଏପଟେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତାଙ୍କ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ଯାଇଥିବା ସୂଚନା ମିଳିଛି। ତେବେ ଏହି ବୈଠକ ଉପରେ ବିରୋଧୀ ଦଳ ନେତାମାନେ ନଜର ରଖିଛି।
ନଦୀର ଉପରମୁଣ୍ଡରେ ନିର୍ମାଣ କାର୍ଯ୍ୟ ଏବଂ ଜଳ ନିୟନ୍ତ୍ରଣକୁ ନେଇ ମହାନଦୀ ଜଳ ବିବାଦ ଉଭୟ ପଡ଼ୋଶୀ ରାଜ୍ୟ ମଧ୍ୟରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଆସିଛି।
ମହାନଦୀ ଜଳ ବିବାଦର ସମାଧାନ ନେଇ ଆଲୋଚନା କରିବା ପାଇଁ କିଛି ଦିନ ପୂର୍ବେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଉଭୟ ରାଜ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସେମାନଙ୍କର ଇଚ୍ଛାକୃତ ମନୋଭାବ ଟ୍ରିବ୍ୟୁନାଲଙ୍କୁ ଜଣାଇଛନ୍ତି। କେନ୍ଦ୍ର ଜଳ ଆୟୋଗ (CWC) ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଷୟଗୁଡ଼ିକୁ ଯାଞ୍ଚ କରିବାକୁ ଏବଂ ଟ୍ରିବ୍ୟୁନାଲଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପୂର୍ବରୁ ସେଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହି ବିଷୟରେ କାର୍ଯ୍ୟ ଜାରି ରହିଛି। ତଥାପି, ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ବୈଠକ ଉଭୟ ରାଜ୍ୟ ମଧ୍ୟରେ ଥିବା ସମସ୍ୟାର ସମାଧାନରେ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି।













Leave a Reply