ଖରିଫ୍ ଧାନ ବିକ୍ରି ଚାଷୀ ପଞ୍ଜିକରଣ ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ : କଂଗ୍ରେସ

ଭୁବନେଶ୍ୱର,୩୦/୮ : ୨୦୨୬ ଖରିଫ୍ ଧାନ ବିକ୍ରୟ ପାଇଁ ସରକାର ଚାଷୀ ନାମ ପଞ୍ଜିକରଣ ପାଇଁ ଯେଉଁ ତୃଟିପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଏହା ଦ୍ୱାରା ଅନେକ ଚାଷୀ ଓ ଭାଗଚାଷୀ ଧାନ ବିକ୍ରି କ୍ଷେତ୍ରରୁ ବଞ୍ଚିତ ହେବାର ବହୁ ସମ୍ଭାବନା ରହିଛି । ସରକାରଙ୍କ ଜଟିଳ ବ୍ୟବସ୍ଥା ଫଳରେ ଚାଷୀ ଏ ପର୍ଯ୍ୟନ୍ତ ଗତ ବର୍ଷ ଅପେକ୍ଷା ଆଶାନୁରୂପକ ଭାବେ ସେମାନଙ୍କ ନାମ ପଞ୍ଜିକରଣ କରି ପାରୁନାହାନ୍ତି । ଚାଷୀ ପ୍ରତ୍ୟେକ ପ୍ୟାକ୍ସ, ଲ୍ୟାମ୍ପ୍ସରେ ଲାଇନରେ ରହି ଫେରୁଥିବା ଦେଖା ଦେଉଛି ।

ଗତ ଅଗଷ୍ଟ ୬ରୁ ଚାଷୀ ନାମ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରାଯାଇ ଚଳିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଏହି ସମୟସୀମା ମଧ୍ୟରେ କେଉଁଠି ଇଣ୍ଟରନେଟ୍ ଧୀମା ରହୁଛି ତ ଆଉ କେଉଁଠି ବିଜୁଳି ନାହିଁ । ଚାଷୀମାନେ ଆର.ଆଇ ଅଫିସ୍‌, ତହସିଲ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଟ ଜମିଜମାରେ ନୀତିଗତ ନିଷ୍ପତ୍ତି ନିଆଯାଇ ନ ଥିବା ହେତୁ ବହୁ ଚାଷୀ ପଞ୍ଜିକରଣରୁ ବାଦ୍ ପଡ଼ୁଛନ୍ତି । ଏଗ୍ରିଷ୍ଟାକ୍ ସହିତ ଅନ୍ୟାନ୍ୟ ନିୟମାବଳୀରେ ଅନେକାଂଶରେ ତୃଟି ରହିଛି । ଚାଷୀ ଏହାର ସଂଶୋଧନ ପାଇଁ ବାରମ୍ବାର ଦାବୀ କରୁଥିଲେ ମଧ୍ୟ ଏହାର ସରଳୀକରଣ କରାଗଲାନାହିଁ । ବର୍ତ୍ତମାନ ନିୟମ ପ୍ରକାରେ ବହୁ ଭାଗଚାଷୀ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି ।

ଜମି ମାଲିକ ସମ୍ମତ୍ତିଠାରୁ ଆରମ୍ଭ କରି ଆଇ ସ୍କାନ ନ ହେଲେ ଭାଗଚାଷୀ ନାମ ପଞ୍ଜିକରଣ କରିବା କାଠିକର ପାଠ୍ ହେଉଛି ବୋଲି ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ ପକ୍ଷରୁ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପିସିସି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏପରି ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଏବେ ସରକାର ଚାଷୀଙ୍କ ହିତ ଦୃଷ୍ଟିରୁ କାଳ ବିଳମ୍ବ ନ କରି ଚଳିତ ମାସ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଖରିଫ୍ ଧାନ ବିକ୍ରି ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି । ଯଦି ଏହି ଦିଗରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଲାଗି କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ଓ ଚାଷୀନେତା ବୃନ୍ଦାବନ ଖଟେଇ, କେ. ଶ୍ୟାମ ସୁନ୍ଦର ଦୋରା, ପି. ଦେବେନ୍ଦ୍ର କୁମାର ରାଓ, ସନରାଜ ଗଣ୍ଡ, ଦାଶରଥି ସାହୁ, ସାନନ୍ଦ ମିଶ୍ର, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଗୁଣମଣି ସାହୁ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *