ଭୁବନେଶ୍ବର,୨/୬ : ବିଏସଏନଏଲ୍ ବାଲିଅନ୍ତା ଟେଲିଫୋନ ଏକ୍ସଚେଞ୍ଜର ଚୋରୀ ସାମଗ୍ରୀ ଜବତ । ବାଲିଅନ୍ତା ଥାନା ପୋଲିସ ଚୋରୀ ହୋଇଥିବା ସାମଗ୍ରୀକୁ ଜବତ କରିବା ସହ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି । ଅଭିଯୋଗକାରୀ ଜଗନ୍ନାଥ ପଣ୍ଡା, ଏସ୍.ଡି.ଓ.ଟି., ଭୁବନେଶ୍ୱର ବିଜେବି ନଗର ଏକ୍ସଚେଞ୍ଜଙ୍କ ଲିଖିତ ରିପୋର୍ଟ ଆଧାରରେ ବାଲିଅନ୍ତା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ ଯେ, ସାଇଫୋନ୍ ଛକ ନିକଟସ୍ଥ ବିଏସଏନଏଲ୍ ବାଲିଅନ୍ତା ଟେଲିଫୋନ ଏକ୍ସଚେଞ୍ଜରେ ବାରମ୍ବାର ଚୋରି ଘଟଣା ଘଟିବା ଫଳରେ ଟେଲିକମ୍ ସେବା ବ୍ୟାହତ ହେବା ସହ ସରକାରୀ ସମ୍ପତ୍ତିର କ୍ଷତି ଘଟୁଥିଲା। ତା. ୨୬.୦୫.୨୦୨୬ ରିଖରେ ଦୁର୍ବୃତ୍ତମାନେ ଏକ ଏଲ୍ଜି ଡୁଆଲ୍ ଇନଭର୍ଟର ସ୍ପ୍ଲିଟ୍ ଏସି (ଇନଡୋର ଓ ଆଉଟଡୋର ୟୁନିଟ୍ ସହିତ), ୮ଟି ୪୦୦ ଏଏଚଭିଆରଏଲଏ ବ୍ୟାଟେରୀ ସେଲ୍, ଦୁଇଟି ୱିଣ୍ଡୋ ଏସିର କମ୍ପ୍ରେସର ଏବଂ ଦୁଇଟି ପାୱାର ପ୍ଲାଣ୍ଟ ମଡ୍ୟୁଲ ଚୋରି କରିନେଇଥିଲେ। ପରଦିନ ଅର୍ଥାତ୍ ତା. ୨୭.୦୫.୨୦୨୬ ରିଖରେ ପୁଣିଥରେ ସେହି ଏକ୍ସଚେଞ୍ଜକୁ ଟାର୍ଗେଟ କରି ଆଉ ଏକ ଏଲ୍ଜି ଡୁଆଲ୍ ଇନଭର୍ଟର ସ୍ପ୍ଲିଟ୍ ଏସିସହିତ ଏହାର ଆନୁଷଙ୍ଗିକ ସାମଗ୍ରୀ, ଏମଡିଏଫ୍ସହ ସଂଯୁକ୍ତ ତମ୍ବା ତାର ଏବଂ ୟୁପିଏସ୍ସିଷ୍ଟମ ସହ ସଂଯୁକ୍ତ ଦୁଇଟି ୨୦୦ ଏଏଚ ଭିଆରଏଲଏବ୍ୟାଟେରୀ ଚୋରି କରିଥିଲେ।
ତଦନ୍ତ ସମୟରେ ଅଭିଯୁକ୍ତ ସାଗର କୁମାର ଭୋଇ ଓ ରଞ୍ଜିତ କୁମାର ଭୋଇଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଚୋରି ହୋଇଥିବା ଟେଲିକମ୍ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରାଯାଇ ଉଦ୍ଧାର କରାଯାଇଥିଲା। ତଦନ୍ତରୁ ଆହୁରି ଜଣାପଡ଼ିଥିଲା ଯେ, ଚୋରି ସାମଗ୍ରୀଗୁଡ଼ିକୁ ମଦନ ଗୁପ୍ତା ଓ ସୁବଳ ପ୍ରଧାନଙ୍କ ମାଧ୍ୟମରେ ବିକ୍ରି କରାଯାଇଥିଲା ଏବଂ ସେମାନେ ଚୋରି ସାମଗ୍ରୀ ବୋଲି ଜାଣିଶୁଣି ସେଗୁଡ଼ିକୁ ଗ୍ରହଣ ଓ କାରବାର କରିଥିଲେ।
ଚୋରି ହୋଇଥିବା ଟେଲିକମ୍ ଉପକରଣ, ବ୍ୟାଟେରୀ, ତମ୍ବା ତାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଉଦ୍ଧାର ହୋଇଥିବା ସାମଗ୍ରୀ ଏବଂ ସଂଗୃହୀତ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା।
ତଦନ୍ତରେ ଅଭିଯୁକ୍ତ ସାଗର କୁମାର ଭୋଇ, ରଞ୍ଜିତ କୁମାର ଭୋଇ, ମଦନ ଗୁପ୍ତା ଓ ସୁବଳ ପ୍ରଧାନଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ସମସ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।















Leave a Reply