ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୬ : ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଆଜି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ ‘ଜିନତ’ ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଛି। ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ନୁହେଁ, ବରଂ ଜୈବ ବିବିଧତାର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ଓ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ଆମ ପ୍ରଶାସନିକ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ।

ମା’ ଓ ଶାବକମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେମାନଙ୍କ ଗତିବିଧି ଉପରେ କ୍ରମାଗତ ନଜର ରଖାଯାଇଛି। ଆମ ବନ କର୍ମଚାରୀଙ୍କ ନିଷ୍ଠାପର ତଦାରଖ ଓ କାର୍ଯ୍ୟକ୍ଷମ ସଂରକ୍ଷଣ ନୀତି ଯୋଗୁଁ ଆଜି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଶିମିଳିପାଳର ଏହି ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *