ବାରିପଦା,୨/୭ : ସାରା ରାଜ୍ୟରେ ଚାଲିଛି ଡାକ୍ତରଙ୍କ ଧର୍ମଘଟ । ଏହି ଧର୍ମଘଟ ଫଳରେ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହେଉଥିବାବେଳେ କପ୍ତିପଦା ଉପଖଣ୍ଡ ଉଦଳା ଡାକ୍ତରଖାନା ମେଡିକାଲରୁ ଆସିଛି ଆନ୍ଦୋଳନର ଏକ ଦାରୁଣ ଚିତ୍ର । ଶବ ବ୍ୟବଚ୍ଛେଦ ହୋଇ ନ ପାରି ମେଡିକାଲରେ ପଡି ରହିଲା ୧୦ଘଣ୍ଟାରୁ ଊର୍ଦ୍ଧ୍ୱ, ଶେଷରେ ରୋଗୀ ନୁହେଁ ବରଂ ଶବ ହେଲା ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ।
କପ୍ତିପଦା ଥାନା ବଡାମପଦା ଗ୍ରାମର ଭବେଶ ବିନ୍ଧାଣୀ କୌଣସି କାରଣରୁ ବୁଧବାର ରାତ୍ର ସମୟରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିପାରି ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମିନିଟ୍ ସମୟରେ ଚିକିତ୍ସାଧିନ ଅବସ୍ଥାରେ ଭବେଶଙ୍କର ମୃତ୍ୟୁ ହୋଇଥିଲା । ଯାହାର ଖବରପାଇ କପ୍ତିପଦା ପୋଲିସ୍ ମେଡ଼ିକାଲରେ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଗୁରୁବାର ବ୍ୟବଚ୍ଛେଦ ନିମନ୍ତେ ରଖିଥିଲେ । ଗୁରୁବାର ସକାଳ ୮ ଘଟିକା ସମୟରେ ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତର କହିଥିବା ବେଳେ ଅଚାନକ ଡାକ୍ତର ବ୍ୟବଚ୍ଛେଦ କରିପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ଫଳରେ ନାଚାର ହୋଇଯାଇଥିଲେ ଉଭୟ ପୋଲିସ୍ ଏବଂ ମୃତକଙ୍କ ପରିବାର ଲୋକେ ।
ଏଭଳି କ୍ଷେତ୍ରରେ ଡାକ୍ତର ମୃତଦେହକୁ ବାରିପଦା ସ୍ଥାନାନ୍ତର କରି ସେଠାରେ ବ୍ୟବଚ୍ଛେଦ କରାଇବାକୁ କହିଥିଲେ । ୧୦ଘଣ୍ଟାରୁ ଅଧିକ ସମୟ ମୃତଦେହ ବ୍ୟବଚ୍ଛେଦ ଗୃହରେ ପଡି ରହିବା ପରେ ଦିନ ୧୨ଟା ସମୟରେ ପୋଲିସ୍ ଏକ ଘରୋଇ ଆମ୍ବୁଲାନ୍ସ ସହାୟତାରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପରିବାର ଲୋକେ ନେଇଥିଲେ । ହେଲେ ସେପଟେ ପୁଅର ମୃତ୍ୟୁରେ ମର୍ମାହତ ହୋଇ ରହିଥିବା ବାପାମାଆ କିଭଳି ମୃତଦେହକୁ ନେଇ ୫୦କିଲୋମିଟର ଯିବେ ଏବଂ କେତେ ଘଣ୍ଟାର ଅପେକ୍ଷା ପରେ ବ୍ୟବଚ୍ଛେଦ ହେବ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ମୃତକଙ୍କ ବଡବାପା ରଘୁନାଥ ବିନ୍ଧାଣୀ । ସେପଟେ ଯଦି ଚିକିତ୍ସାଧୀନ ଅବସ୍ଥାରେ ଭଣଜା ଭବେଶଙ୍କୁ ସଠିକ୍ ଚିକିତ୍ସା ମିଳିଥାନ୍ତା ତେବେ ତାହାର ମୃତ୍ୟୁ ହୋଇ ନ ଥାନ୍ତା ବୋଲି କହିଛନ୍ତି ମୃତକଙ୍କ ମାଇଁ ସବିତା ବିନ୍ଧାଣୀ । ତେବେ ଗୋଟିଏପଟେ ଡାକ୍ତରଙ୍କ ଧର୍ମଘଟ, ଅନ୍ୟପଟେ ରୋଗୀସେବାର ଏ ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।













Leave a Reply