ପାର୍ବଣ ପୂର୍ବରୁ ବିଭିନ୍ନ ସ୍ଥାନରେ ଫାୟାର ସେଫ୍ଟି ବ୍ୟବସ୍ଥା ସହ ସୁରକ୍ଷା ସାର୍ଟିଫିକେଟ୍ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ

ଭୁବନେଶ୍ୱର, ୧୫/୯: ଆଗକୁ ଆସୁଛି ପାର୍ବଣ । ଆକ୍ସନ ମୋଡ୍ ରେ ଓଡ଼ିଶା ଅଗ୍ନିଶମ ବିଭାଗ। ଦିଲ୍ଲୀର ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ଅଧିକ ସତର୍କ ହୋଇପଡିଛି । ପାର୍ବଣ ସମୟରେ ଜନଗହଳି ବଢ଼ୁଥିବାରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ବିଭିନ୍ନ ହୋଟେଲ, ମଲ୍, ମେଡିକାଲ ଏବଂ ମଲ୍ଟିପ୍ଲେକ୍ସରେ ଫାୟାର ସେଫ୍ଟି ବ୍ୟବସ୍ଥା ସହ ସୁରକ୍ଷା ସାର୍ଟିଫିକେଟ୍ ଯାଞ୍ଚ କରୁଛି ବିଭାଗ। ଲୋକେ ଯାଉଥିବା ବଡ଼ ବଡ଼ ଅଟ୍ଟାଳିକା କେତେ ସୁରକ୍ଷିତ ଏବଂ ସେଠାରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ, ତାହା ତନ୍ତନ୍ କରି ଯାଞ୍ଚ କରୁଛନ୍ତି ଅଗ୍ନିଶମ ଅଧିକାରୀ। ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛି।

ଯାଞ୍ଚ ସମୟରେ ସ୍ପ୍ରିଙ୍କଲର୍, ଫାୟାର ମୋଟର, ପାଇପ୍, ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ? ତାହା ପରୀକ୍ଷା କରାଯାଉଛି। ଏଥିସହ ଜରୁରୀକାଳୀନ ଦ୍ୱାର ଏବଂ ଅନ୍ୟାନ୍ୟ ଆପତ୍କାଳୀନ ବ୍ୟବସ୍ଥାର ମଧ୍ୟ ତଦାରଖ କରାଯାଉଛି।ଆଗାମୀ ଦିନରେ ରାଜଧାନୀର ଅନ୍ୟାନ୍ୟ ସଂସ୍ଥା ଓ ଅନୁଷ୍ଠାନରେ ମଧ୍ୟ ଏଭଳି ଯାଞ୍ଚ ଓ ଚଢ଼ାଉ କରାଯିବ। ବିଭିନ୍ନ ଅନୁଷ୍ଠାନର ଫାୟାର ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ମାନଦଣ୍ଡ ଯାଞ୍ଚ କରିବେ ଅଗ୍ନିଶମ ବିଭାଗର ଅଧିକାରୀ।

Leave a Reply

Your email address will not be published. Required fields are marked *