ଭୁବନେଶ୍ୱର, ,୧୫/୯: ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ହୋଇପଡିଛି ସାରା ପଶ୍ଚିମ ଓଡ଼ିଶା । ଭିନ୍ନ ଭିନ୍ନ ବ୍ୟଞ୍ଜନ ରେ ମହକୁଛି ସାରା ପଶ୍ଚିମ ଓଡ଼ିଶାର ପ୍ରତେକ୍ ଘର ଆଉ କୋଣ । ନୂଆ ଧାନର ଚାଉଳ ସହ ବିଭିନ୍ନ ସାମଗ୍ରୀକୁ ନେଇ ମହିଳାମାନେ ପାରମ୍ପରିକ ପିଠାପଣା ତିଆରି କରିବାରେ ବ୍ୟସ୍ତ ରହିଛନ୍ତି ।
ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ପ୍ରସାଦ ସେବନ କରିବାର ପରମ୍ପରା ରହିଛି । ଏହି ଅବସରରେ ମହିଳାମାନେ ଘରେ ଘରେ ସ୍ୱାଦିଷ୍ଟ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି । ଏହି ପରମ୍ପରା ଦୃଢ଼ ଭାଇଚାରାର ବାର୍ତ୍ତା ବହନ କରୁଛି । ନୂଆଁଖାଇ ଭେଟଘାଟ ସହ ପିଠାପଣାର ଏହି ମହକ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ନୂଆ ଆନନ୍ଦ ଓ ଉତ୍ସାହ ଭରିଦେଇଛି ।
ନୂଆଁଖାଇ ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଗୁରୁଜନ, ମା’ ଭଉଣୀ ଦାଦା ଭାଇମାନଙ୍କୁ ମୋର ଅଭିନନ୍ଦନ। ସେ କହିଛନ୍ତି ଯେ, ନୂଆଁଖାଇ ହେଉଛି ଏକତା ସୌହାର୍ଦ୍ଦ୍ୟ ଓ ସଭାବନାର ପର୍ବ। ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ। ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି। ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ବରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳକାମନା କରୁଛି। ଜଗନ୍ନାଥଙ୍କ ପାଖରେ ମଧ୍ୟ କାହିଁ କେଉଁ କାଳରୁ ନବାନ୍ନ ଲାଗିହୁଏ। ସମଗ୍ର ସମାଜକୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥାଏ ଏହି ଗଣପର୍ବ। “ଜୟ ମା’ ସମଲେଶ୍ବରୀ, ଜୟ ଜଗନ୍ନାଥ।”













Leave a Reply