କେଦାରନାଥରେ ଭୂସ୍ଖଳନ, ୬,୫୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର, ୧୫/୯: କେଦାରନାଥରେ ଭୂସ୍ଖଳନ। ଲଗାତାର ବର୍ଷା ହେଉଥିବାରୁ ଚିରବାସା ହେଲିପ୍ୟାଡ୍‌ ନିକଟରେ ପଥର ଓ ମାଟି ଖସି ଥିଲା। ଫଳରେ ଚିରବାସା ହେଲିପ୍ୟାଡ୍‌ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ରାସ୍ତାର କିଛି ଅଂଶ କ୍ଷତିଗ୍ରସ୍ତ ହେବା ଯୋଗୁଁ ବହୁ ତୀର୍ଥଯାତ୍ରୀ ଆଗକୁ ଯାଇପାରିନଥିଲେ। ଖବର ପାଇବା ପରେ SDRF କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ସୋନପ୍ରୟାଗରୁ ସବ୍‌-ଇନ୍ସପେକ୍ଟର ଆଶିଷ ଡିମ୍ରିଙ୍କ ନେତୃତ୍ୱରେ SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। SDRF ଟିମ୍‌ ପୁଲିସ, DDRF ଓ ସ୍ଥାନୀୟ ପ୍ରଶାସନ ସହ ମିଶି ଉଦ୍ଧାର କାମ ଆରମ୍ଭ କରିଥିଲା। ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାର କରାଯାଉଛି।

SDRF ଅନୁସାରେ, ଏପର୍ଯ୍ୟନ୍ତ ୬,୫୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହା ସହ ପ୍ରାୟ ୬୦୦ରୁ ୭୦୦ ଘୋଡ଼ା ଓ ଖଚରଙ୍କୁ ମଧ୍ୟ ରାସ୍ତା ପାର କରାଯାଇଛି।

କେଦାରନାଥ ଯାଉଥିବା ଯାତ୍ରୀମାନଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି। ସେହିପରି ଫେରୁଥିବା ଯାତ୍ରୀଙ୍କୁ ଜଙ୍ଗଲ ଚଟ୍ଟିରେ ରୋକାଯାଇଛି। ରୁଦ୍ରପ୍ରୟାଗ ସହର ଓ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଅଲକନନ୍ଦା ଓ ମନ୍ଦାକିନୀ ନଦୀର ଜଳସ୍ତର ମଧ୍ୟ ବଢ଼ିଛି।

ଅନ୍ୟପଟେ, ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ରାସ୍ତାକୁ ଖାଲଖମା ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଅକ୍ଟୋବର ୧୫ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ରାସ୍ତା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧାଜନକ ହେବ।

Leave a Reply

Your email address will not be published. Required fields are marked *