advertisement

ବହୁ ଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୁଞ୍ଜିଲାଲ ମେହେର ମୁଖ୍ୟ ଅଭିଯୁକ୍ତ

ପ୍ରେମ ଯୋଗୁଁ ନୁହେଁ ବରଂ ପୂର୍ବ ବିବାଦ ନେଇ ପାର୍ସଲ ବୋମା ର ଯୋଜନା ତିଆରି ହୋଇଥିଲା

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି ପୂର୍ବାହ୍ନରେ ୬ଦିନିଆ ରିମାଣ୍ଡରେ ନେଇଛି। କଡ଼ା ସୁରକ୍ଷା ବଳୟ ଭିତରେ ପାଟଣାଗଡ଼ ଜେଲରୁ ବଲାଙ୍ଗୀର ସର୍କିଟ ହାଉସକୁ ଅଣାଯାଇଛି। ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି। ତେବେ ଅପ୍ରେଲ ମାସ ଚବିଶ ତାରିଖରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା ଓ ପଚିଶ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା।

ଘଟଣାକ୍ରମେ ପ୍ରାୟ ୨ମାସ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି ବୋଲି କହିଛି କ୍ରାଇମବ୍ରାଞ୍ଚ ବିଭାଗ। ଭଇଁଷା ଜ୍ୟୋତି ବିକାଶ କଲେଜର ଇଂଲିଶ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ ମେହେର ଏହି ହତ୍ୟାକାଣ୍ଡର ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିଛି। ଭଇଁଷା କଲେଜର ଅଧ୍ୟକ୍ଷ ଚୌକି ପାଇଁ ପୁଞ୍ଜିଲାଲ କିଭଳି ମୃତ ସୌମ୍ୟ ଶେଖର ସାହୁଙ୍କ ମା’ତଥା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପ୍ରତି ପ୍ରତିଶୋଧ ପରାୟଣ ପାଇଁ ପାର୍ସଲ ବୋମା ପଠାଇ ଥିଲେ ସେ ନେଇ କ୍ରାଇମବ୍ରାଞ୍ଚ ବୁଧବାର ଖବରଦାତା ସମ୍ମିଳନୀରେ ବିସ୍ତୃତ ବିବରଣୀ ରଖିଥିଲା। ଅଧ୍ୟକ୍ଷ ଚୌକିରୁ ଅପସାରଣ ପରେ ଅପମାନିତ ପୁଞ୍ଜିଲାଲ ପ୍ରତିଶୋଧ ପରାୟଣ ହୋଇପଡିଥିଲେ। ସେ ନବ ନିଯୁକ୍ତ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପରିବାରକୁ ଏକାଥରରେ ଧ୍ୱଂସ କରିବା ପାଇଁ ନିଜେ ଏକାକୀ ଯୋଜନା ପ୍ରସ୍ତୁତ କରିବା ସହ ତାକୁ କାର୍ଯ୍ୟକାରୀ କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି। ଏହି ଘଟଣା ଓଡିଶା ଆପରାଧିକ ଇତିହାସରେ ଏକ ବିରଳ ଓ ଜଘନ୍ୟ ହତ୍ୟାକାଣ୍ଡ ବୋଲି ଆଇଜି ଅରୁଣ ବୋଥ୍ରା କହିଛନ୍ତି।

ତେବେ ଏହି ବିବାଦ କିଛି ନୂଆ ନୁହେଁ ଏହା ପ୍ରାୟ ୩ ବର୍ଷର ବିବାଦ। ଭଇଁଷା ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ପଦକୁ ନେଇ ପୁଞ୍ଜିଲାଲ ମେହେର ଓ ମୃତ ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ମଧ୍ୟରେ ବିବାଦ ହୋଇଥିଲା। ବରିଷ୍ଠତା ଭିତ୍ତିରେ ସଂଯୁକ୍ତା ଅଧ୍ୟକ୍ଷ ହେବାର ନିୟମ ରହିଥିଲେ ମଧ୍ୟ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ରାଜି ହେଉ ନ ଥିଲେ। ତେବେ ସରକାରୀ ନିର୍ଦ୍ଦେଶନାମା ହେବା ପରେ ପୁଞ୍ଜିଲାଲ ୨୦୧୭ ମସିହା ମେ’ ମାସ ରେ ଅଧ୍ୟକ୍ଷ ଦାୟିତ୍ୱ ଛାଡ଼ିଥିଲେ ଏବଂ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସଂଯୁକ୍ତା ଗ୍ରହଣ କରିଥିଲେ। ଏହି କଥାକୁ ପୁଞ୍ଜିଲାଲ ସହଜରେ ଗ୍ରହଣ କରିପାରି ନ ଥିଲେ। ଅଧ୍ୟକ୍ଷ ଚୌକିରୁ ସିଧାସଳଖ ଅଧ୍ୟାପକ କମନ୍‌ ରୁମ୍‌କୁ ଆସି ସହକର୍ମୀଙ୍କ ସହ ବସିବା ତାଙ୍କ ପାଇଁ ଅସହ୍ୟ ହୋଇଥିଲା। ପଦବୀ ଚାଲିଯିବା ପରେ ସହକର୍ମୀ ଅଧ୍ୟାପକ ଓ ଭଇଁଷା ଗ୍ରାମର କିଛି ଲୋକ ତାଙ୍କୁ କମେଣ୍ଟ ମଧ୍ୟ କରିଥିଲେ। ଫଳରେ ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ତାଙ୍କୁ ସବୁଦିନ ପାଇଁ ହଟାଇ ଦେବାକୁ ସାଂଘାତିକ ଯୋଜନା କରିଥିଲେ ପୁଞ୍ଜିଲାଲ। ତାଙ୍କ ସମସ୍ତ ଯୋଜନା ପ୍ରଘଟ ହୋଇ ଯିବା ଭୟରେ ସେ ଏଥିରେ ଅନ୍ୟ କାହାକୁ ସାମିଲ କରି ନ ଥିଲେ। ଅର୍ଥାତ୍‌ ସମ୍ପୂର୍ଣ ଘଟଣାକୁ ଅତ୍ୟନ୍ତ ଗୋପନର ସହ ଯୋଜନା ପ୍ରସ୍ତୁତ କରିଥିଲେ ପୁଞ୍ଜିଲାଲ।

ତେବେ ଏହି ଯୋଜନା ପାଇଁ ପୁଞ୍ଜିଲାଲ ୟୁଟ୍ୟୁବ୍‌ର ସହାୟତା ନେଇଥିଲେ। ସଂଯୁକ୍ତାଙ୍କ ଘରକୁ ବୋମା ପଠାଇ ତାଙ୍କ ଘରର ସମସ୍ତ ସଦସ୍ୟଙ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାର ଯୋଜନା କରିଥିଲେ ପୁଞ୍ଜିଲାଲ। ଇଣ୍ଟରନେଟ୍‌ ଦ୍ୱାରା ୟୁଟ୍ୟୁବ୍‌ରୁ ବୋମା ତିଆରି କୌଶଳ ଡାଉନ୍‌ଲୋଡ କରି ସେ ପାଟଣାଗଡ ମେହେରପଡାସ୍ଥିତ ନିଜ ଘରେ ବୋମା ତିଆରି ଶିଖିଥିଲେ। ଗତ ଦୀପାବଳି ସମୟରେ ପୁଞ୍ଜିଲାଲ ବଲାଙ୍ଗୀର ସହରକୁ ଆସି ପ୍ରାୟ ୧୦ଟି ଦୋକାନରୁ ବହୁ ପରିମାଣର ବାଣ କିଣି ନେଇଥିଲେ। ବାଣ ଭିତରୁ ପ୍ରାୟ ୨ କେଜି ଓଜନର ବାରୁଦ ବାହାର କରି ୨ଟି ବାକ୍ସରେ ସଂଗ୍ରହ କରି ରଖିଥିଲେ। ଏହାପରେ ବ୍ୟାଟେରି ଓ ଲିଚୁ ବଲ୍‌ବରେ ଏକ ଡିଟୋନେଟର ତିଆରି କରି ଉକ୍ତ ବାରୁଦ୍‌କୁ ବୋମାରେ ରୂପାନ୍ତରିତ କରିଥିଲେ। ଏଥି ପାଇଁ ପ୍ରାୟ ୭/୮ ମାସ ସମୟ ଲାଗିଥିଲା।

ବୋମା ଉପରେ ଚିକ୍‌ଚିକ୍‌ କରୁଥିବା ଜରି ଦେଇ ଉପହାର ପ୍ୟାକେଟ୍‌ ଭଳି ପ୍ରସ୍ତୁତ କରିଥିଲେ ଯାହାଦ୍ୱାରା ଲୋକେ ଯେମିତି ସହଜରେ ସନ୍ଦେହ କରିବେ ନାହିଁ। ଗତ ଫେବୃୟାରୀ ମାସ ୧୫ ତାରିଖ ଦିନ ପୁଞ୍ଜିଲାଲ ପ୍ରଥମେ ଭଇଁଷା କଲେଜ ଯାଇ ଗୋଟିଏ କ୍ଳାସ୍‌ ନେଇଥିଲେ। ତା’ପରେ ଏକ ଜ୍ୟାକେଟ୍‌ ଓ ଟୋପି ପିନ୍ଧି ପାଟଣାଗଡରୁ ଉକ୍ତ ବୋମା ପାର୍ସଲକୁ ଧରି ନିଜ ବାଇକରେ କଣ୍ଟାବାଞ୍ଜି ରେଲୱେ ଷ୍ଟେଶନକୁ ଯାଇ ସେଠାରୁ ବିନା ଟିକେଟ୍‌ରେ ରାୟପୁର ଯାତ୍ରା କରିଥିଲେ। ରାୟପୁର ପହଞ୍ଚିବା ପରେ ଏକ ରିକ୍ସାରେ ପ୍ରଥମେ ଡିଟିଟିସି କୋରିୟର ପାଖକୁ ଯାଇଥିଲେ। ରିକ୍ସାଚାଳକକୁ ଉକ୍ତ ପାର୍ସଲ କୋରିୟର ସଂସ୍ଥାରେ ଦେଇ ସୌମ୍ୟଶେଖର ସାହୁଙ୍କ ଠିକଣାରେ ପଠାଇ ଦେବାକୁ କହିଥିଲେ। ତେବେ କୋରିୟର ସଂସ୍ଥା ପକ୍ଷରୁ ଉକ୍ତ ପାର୍ସଲରେ କ’ଣ ଅଛି ବୋଲି ପଚରାଯିବାରୁ ରିକ୍ସାରେ ବସିଥିବା ପୁଞ୍ଜିଲାଲ ସାଙ୍ଗେ ସାଙ୍ଗେ ଦୌଡିଯାଇ ଉକ୍ତ ପାର୍ସଲକୁ ସେଠାରୁ ନେଇ ଆସିଥିଲେ। ଏହାପରେ ଏକ ଅଟୋରିକ୍ସା ଭଡା କରି ସେଥିରେ ସ୍କାଏକିଙ୍ଗ କୋରିୟର ପାଖକୁ ଯାଇଥିଲେ। ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେଉଥିବା କହି ଅଟୋରିକ୍ସା ଚାଳକକୁ ଉକ୍ତ ପାର୍ସଲକୁ କୋରିଅର ସଂସ୍ଥାରେ ଦେଇ ଦେବାକୁ କହିଥିଲେ। ଏହାପରେ ପୁଣି ବିନା ଟିକଟରେ ଟ୍ରେନ୍‌ ଯୋଗେ କଣ୍ଟାବାଞ୍ଜି ଆସି ପାଟଣାଗଡ ଫେରିଥିଲେ।

ଫେବୃୟାରୀ ୨୦ ତାରିଖରେ ସୌମ୍ୟଶେଖର ସାହୁଙ୍କ ବିବାହ ରିସେପ୍‌ସନ୍‌ ଥିଲା। ପୁଞ୍ଜିଲାଲ ପୂର୍ବ ଯୋଜନା ମୁତାବକ ସେହି ରିସେପ୍‌ଶନକୁ ଆସି ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଭୋଜି ଖାଇ ଘରକୁ ଫେରିଥିଲେ। ଫେବୃୟାରୀ ୨୩ ତାରିଖ ଦିନ କୋରିୟର ସଂସ୍ଥା ସୌମ୍ୟଶେଖରଙ୍କୁ ପାର୍ସଲ ଡେଲିଭରି କରିଥିଲା। ହେଲେ ସେହି ପାର୍ସଲ ଖୋଲିବା ବେଳେ ଘଟିଥିଲା ବିସ୍ଫୋରଣ। ଯେଉଁଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣ ଘଟଣା ପଛରେ ପ୍ରେମ ଲିଙ୍କ ରହିଥିବା ସନ୍ଦେହ କରି ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତରୁ ବିଶେଷ କିଛି ସଫଳତା ନ ମିଳିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ବିସ୍ଫୋରଣ ପଛରେ ଭଇଁଷା କଲେଜ ଅଧ୍ୟକ୍ଷ ବିବାଦ ଚର୍ଚ୍ଚା ହେଉଥିବାରୁ ପୁଞ୍ଜିଲାଲ ମେହେରଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏନେଇ ଆଲୋଚନା ହୋଇଥିଲା। ଏହି ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଏହା ପୁଞ୍ଜିଲାଲ ଜାଣିବା ପରେ ପୋଲିସ ତଦନ୍ତକୁ ବିପରୀତମୁଖୀ (ଡାଇଭର୍ଟ) କରିବା ଉଦ୍ଦେଶ୍ୟରେ ତାଙ୍କ ଲାପଟପରେ ଏକ ଚିଠି ଟାଇପ୍‌ କରି ଅନ୍ୟ ଏକ ସ୍ଥାନରୁ ଚିଠିର ପ୍ରିଣ୍ଟଆଉଟ୍‌ କାଢ଼ି ଏପ୍ରିଲ ପ୍ରଥମ ସପ୍ତାହରେ ବଲାଙ୍ଗୀର ଏସ୍‌ପିଙ୍କ ପାଖକୁ ପଠାଇଥିଲେ। ଉକ୍ତ ଚିଠିରେ ବିସ୍ଫୋରଣ ପଛରେ ପ୍ରେମଲିଙ୍କ ଥିବା ଦର୍ଶାଇଥିଲେ। ଉକ୍ତ ଚିଠିରେ ଏସ.କେ. ସିହ୍ନା ନାମକ ଜଣେ ବ୍ୟକ୍ତି ହିଁ ପାର୍ସଲ ପଠାଇଥିବା ଉଲ୍ଲେଖ ଥିଲା । ଏହି ଚିଠି ପାଇଲା ପରେ ବଲାଙ୍ଗୀର ଏସ୍‌ପି କେ. ଶିବା ସୁବ୍ରମଣି ସନ୍ଦେହ କରି କ୍ରାଇମବ୍ରାଞ୍ଚକୁ ଚିଠି ସମ୍ପର୍କରେ ଜଣାଇଥିଲେ। ଏହି ଚିଠିରୁ ହିଁ କ୍ରାଇମବ୍ରାଞ୍ଚ ସୁରାକ୍‌ ପାଇ ପୁଞ୍ଜିଲାଲକୁ ସନ୍ଦେହ କରି ଜେରା କରିଥିଲେ। ଜେରା ସମୟରେ ପୁଞ୍ଜିଲାଲ ବଲାଙ୍ଗୀର ଆସି ଡାକ ଯୋଗେ ଉକ୍ତ ଚିଠିକୁ ଏସ୍‌ପିଙ୍କ ଠିକଣାରେ ପଠାଇଥିବା ମାନିବା ସହ ବୋମା ବିସ୍ଫୋରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ବୋଲି କ୍ରାଇମବ୍ରାଞ୍ଚ ଆଇଜି ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Tag : Parcel Bomb case in balangir odisha, prime suspect Punjilal Meher, the accused and a colleague of the deceased groom’s mother, was arrested by the Crime Branch last night, Director General of Police RP Sharma told reporters at Cuttack.