advertisement

ଖୁବ ଶୀଘ୍ର ବଦଳି ପାରନ୍ତି ଓଡ଼ିଶା ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକ ବଡ଼ ତଥା ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି।ସଙ୍ଗଠନ ସମ୍ପାଦକ ପରିବର୍ତ୍ତନରୁ ଏହାର ଆରମ୍ଭ ହୋଇ ସାରିଛି।ଏବଂ ଏହା ପରେ ରାଜ୍ୟ ସଭାପତି ପରିବର୍ତ୍ତନ।ଏହାକୁ ନେଇ ସଂଘ ଏବଂ ବିଜେପି ମଧ୍ୟରେ ବିଚାର ବିମର୍ଷ ସରିଛି।କେନ୍ଦ୍ରୀୟ ସଙ୍ଗଠନ ସମ୍ପାଦକ,ପ୍ରଭାରୀ ଭୁବନେଶ୍ୱର ଆସି ରାଜ୍ୟ ସଂଘ ପଦାଧିକାରୀ ଏବଂ ବିଜେପିର କିଛି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ ସାରି ଫେରିଛନ୍ତି।କିନ୍ତୁ ପରିବର୍ତ୍ତନ ଘୋଷଣା ବିଳମ୍ବ ହେଉଛି।

ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ତ’ ପ୍ରାୟ ନିଶ୍ଚିତ।ତେବେ ବିଳମ୍ବ କାହିଁକି ହେଉଛି ବୋଲି ପ୍ରଶ୍ନ ଉଠୁଛି।ରାଜ୍ୟ ବିଜେପି ଭିତରେ ଏନେଇ ଏକ ସନାଟା ଦେଖା ଯାଉଛି।ଅନେକ ଆଶା ଆଶଙ୍କାରେ ରହିଛନ୍ତି।ଅନେକ ତ’ ଏ କ’ଣ ଘଟୁଛି ବା କ’ଣ ଘଟିବାକୁ ଯାଉଛି ନେଇ ତଟସ୍ଥ ହୋଇ ଯାଇଛନ୍ତି।

ସଂଘ ଏବଂ ସଙ୍ଗଠନ ପ୍ରତାପ ଷଢଙ୍ଗୀଙ୍କ ପକ୍ଷରେ ରହିଛି।ଏହାକୁ ନେଇ ଅନେକ ବିଚଳିତ ହୋଇ ପଡିଛନ୍ତି।ବସନ୍ତ ପଣ୍ଡାଙ୍କ ପରେ ସମୀର ମହାନ୍ତିଙ୍କୁ ସଭାପତି କରାଇବା ଯୋଜନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏକ ଗୋଷ୍ଠି କିଛି ଦିନ ହେଲା ଉଦ୍ୟମ କରି ଆସୁଛନ୍ତି।କିନ୍ତୁ ସଂଘ ଏବଂ କେନ୍ଦ୍ର ସମୀରଙ୍କ ସପକ୍ଷରେ ନଥିବା ଜାଣିବା ପରେ ଏହି ଗୋଷ୍ଠି ଏବେ ରଣନୀତି ବଦଳେଇଛନ୍ତି।ଯେ କୌଣସି ପରିସ୍ଥିରେ ପ୍ରତାପ ଷଢଙ୍ଗୀଙ୍କୁ ସଭାପତି ନକରାଇ ଦେବାରେ ଯୋଜନାରେ ଅଛନ୍ତି ଏମାନେ।ଆବଶ୍ୟକ ପଡ଼ିଲେ ବରଂ କନକ ବର୍ଦ୍ଧନ ସିଂଦେଓଙ୍କୁ ସମର୍ଥନ କରିବା ନହେଲେ ବସନ୍ତ ପଣ୍ଡା ନିର୍ବାଚନ ଯାଏଁ ରୁହନ୍ତୁ ଯୋଜନାରେ ଲାଗିପଡିଛନ୍ତି ସେମାନେ।ଏନେଇ ସୁଚିନ୍ତିତ ଉପାୟରେ ରାଜ୍ୟର କିଛି ନେତା ଏବଂ ଗୋଷ୍ଠି ଦିଲ୍ଲୀରେ ଯାଇ ଡେରା ପକାଇ ଯୋଜନା କରୁଛନ୍ତି।

ଏହି ସବୁ ଘଟଣା ଭିତରେ ତଳ ସ୍ତରର ବିଜେପି ନେତା ଏବଂ କର୍ମୀଙ୍କ ଭିତରେ ନାନା ଆଲୋଚନା ଚାଲିଛି।ଏବଂ ଅନେକ ରାଜ୍ୟ ସ୍ତରୀୟ ନେତା ଆଶା ଆଶଙ୍କାରେ ରହିଛନ୍ତି।କେବଳ ଯେ କେତେ ଜଣଙ୍କର ପତିଆରା କମି ଯିବ ତାହା ନୁହେଁ, ଗତ ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନ,ବିଜେପୁର ନିର୍ବାଚନ ଆଦି ପରି ଅନେକ କାର୍ଯ୍ୟକର୍ମର ହିସାବ ପତ୍ର ମଧ୍ୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ।ବାସ୍ତବରେ ଅମିତ ଶାହାଙ୍କ ମିଶନ ୧୨୦ ଯୋଜନାରେ କାମ କରୁନି ରାଜ୍ୟ ବିଜେପି।ନିର୍ବାଚନ,ସଭା ସମିତି ଏପରିକି ବେଟି ପଢ଼ାଓ ବେଟି ବଚାଓ ଆଦି ପରି ଯୋଜନାରେ ଅର୍ଥର ବ୍ୟାପକ ହରିଲୁଟ ହୋଇଛି।ବିଜେପୁର ନିର୍ବାଚନରେ କଂଗ୍ରେସ ବିକ୍ରି ହେଲା।ତେବେ ବିଜେଡି ଯଦି ତାକୁ କିଣି ପାରିଲା,ବିଜେପି କାହିଁ ନୁହେଁ?ବିଜେପି ପାଖରେ ତ’ ଅର୍ଥର ଅଭାବ ନଥିଲା ବୋଲି ପ୍ରଶ୍ନ ଉଠୁଛି।ଏବଂ ଏସବୁ ଭିତରେ ସେହି ଗୋଷ୍ଠି ପ୍ରତାପ ଷଢ଼ଙ୍ଗୀଙ୍କୁ ସଭାପତି ନକରାଇ ଦେବାକୁ ପ୍ରାଣମୂର୍ଚ୍ଚା ଲାଗି ପଡିଛନ୍ତି।ତେବେ ନବୀନଙ୍କ ଇଶାରାରେ ଆଉ ବିଜେପି ସଭାପତି ସ୍ଥିର ହେଉ ନାହାଁନ୍ତି ବୋଲି ପ୍ରଶ୍ନ ଉଠୁଛି।ଯେପରି ଦିନେ କଂଗ୍ରେସ ସଭାପତି ଚୟନ ବିନା ନବୀନଙ୍କ ସହମତିରେ ହୁଏ ନାହିଁ ବୋଲି କଥା ଉଠିଥିଲା।ଏବଂ ସେଥିପାଇଁ କଂଗ୍ରେସର ତୃଣମୂଳ ସ୍ତରରେ ସଙ୍ଗଠନ ଲୁଲୁ ମହାପାତ୍ରଙ୍କୁ ଚାହୁଁଥିଲେ ମଧ୍ୟ ସେ ସଭାପତି ହୋଇ ପାରିଲେ ନାହିଁ।ଲୁଲୁଙ୍କୁ ନବୀନ ଏବଂ ନବୀନଙ୍କ ତତ୍କାଳୀନ ମାର୍ଗଦର୍ଶକ ପ୍ୟାରୀ ମହାପାତ୍ର ଚାହୁଁ ନଥିଲା ପରି ଏବେ ସେହିପରି ଆଉ ପ୍ରତାପଙ୍କୁ ନବୀନ ଏବଂ ଏବେକାର ମାର୍ଗଦର୍ଶକ ପାଣ୍ଡିଆନ ଚାହୁଁ ନାହାଁନ୍ତି କି ବୋଲି ଆଲୋଚନା ହେଉଛି।

କିନ୍ତୁ ଏସବୁ ବାଧାବିଘ୍ନ ଭିତରେ ସଭାପତି ପରିବର୍ତ୍ତନ ଏବଂ ପ୍ରତାପ ଷଢ଼ଙ୍ଗୀ ହିଁ ସଭାପତି ହେବା ଜଣା ପଡ଼ୁଛି।ଏବଂ ତାହା ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ୁଛି। ଆଗକୁ ମୁନିସପାଲିଟ ନିର୍ବାଚନ ଆସୁଛି ଏବଂ ଏବେଠୁ ସଙ୍ଗଠନ ନ ସମ୍ଭାଳିଲେ ବିଜେପୁର ପରି ସ୍ଥିତି ଉପୁଜି ପାରେ।ଏବଂ ଏହା ପରେ ପରିବର୍ତ୍ତନ କଲେ ନେଡି ଗୁଡ଼ କହୁଣୀ କୁ ବୋହି ସାରିଥିବ।କାରଣ ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ଶତପଥୀ ମଧ୍ୟ ଦକ୍ଷ ଥିଲେ।ସଭାପତି ବସନ୍ତ ପଣ୍ଡା ଏବଂ ସେ ମିଶି ସଙ୍ଗଠନ ଚଳାଇବା କଥା।କିନ୍ତୁ ବସନ୍ତଙ୍କ ଡୋରି ରହିଲା ଧର୍ମେନ୍ଦ୍ରଙ୍କ ହାତରେ।ଏବଂ ସେଥିପାଇଁ ହିଁ ବିଭ୍ରାଟ ହେଲା।ସଙ୍ଘ କେବେ ତାହାର ପୁନରାବୃର୍ତ୍ତି ହେବାକୁ ଚାହିଁବନି।ଏବଂ ସଭାପତି ଏବଂ ସଙ୍ଗଠନ ସମ୍ପାଦକ ମଧ୍ୟରେ ତାଳ ମେଳ ଚାହିଁବ।ନବ ନିଯୁକ୍ତ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ପ୍ରତାପ ଷଢ଼ଙ୍ଗୀ ଉଭୟ ସଂଘର ସ୍ୱୟଂ ସେବକ।ଏବଂ ଏହି ଯୋଡି ହିଁ ଓଡ଼ିଶାରେ ପରିବର୍ତ୍ତନର ସୂତ୍ରଧର ହେବେ।

Tag: Change in Odisha BJP President