advertisement

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ସାଧାରଣ ବର୍ଗର ଲୋକେ ପ୍ରଭାବିତ

ସାଧାରଣ ଲୋକଙ୍କୁ ଏବେ ପେଟ୍ରୋଲ ଡର ସେପଟେ ରାଜନ୍ୟତିକ ମହଲରେ ଦୋଷ ଲଦାଲଦି

ଭୁବନେଶ୍ୱର : ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ବର୍ଗର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କରିସାରିଲାଣି। ଏପରି ଦର ବୃଦ୍ଧି ଯୋଗୁଁ ବିଭିନ୍ନ ରାଜନ୍ୟତିକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏଥିରେ ସରକାରୀ ଦଳର ନିଘା ନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ ଆଦାୟ କରୁଥିବା ଟ୍ୟାକ୍ସ ହାର ରୁ ଯଦି  କିଛି ପରିମାଣରେ କମାଇବେ ତେବେ ଡର ଅନେକ ମାତ୍ରାରେ ହ୍ରାସ ପାଇବ ବୋଲି ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏବେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ଛୁଇଁଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଏଭଳି କ୍ଷେତ୍ରରେ ବୋଝକୁ ସାମାନ୍ୟ ଲାଘବ କରିବା ପାଇଁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ନିମନ୍ତେ ସରକାରଙ୍କ ଉପରେ ବିଭିନ୍ନ ମହଲରୁ ଚାପ ପଡୁଛି। କିନ୍ତୁ ଏହାକୁ ଗୁରୁତ୍ୱ ଦେଉନାହାନ୍ତି କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର। ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍‌ ରହିଥିଲା ସେହି ସମୟରେ ସରକାର ୯ ଥର ଉତ୍ପାଦନ ଶୁଳ୍କ ବଢ଼ାଇ ରାଜସ୍ବ ବୃଦ୍ଧି କରିଥିଲେ। ସେହି ଉତ୍ପାଦନ ଶୁଳ୍କ ଏବେ ଲୋକଙ୍କ ଉପରେ ବୋଝ ହୋଇଛି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୭୩.୨୬ ଡଲାର ଛୁଇଁଛି, ଯାହାର ପ୍ରଭାବରେ ଘରୋଇ ବଜାରରେ ଦରବୃଦ୍ଧି ହେଉଛି। ଏଭଳି କ୍ଷେତ୍ରରେ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ସରକାର ତତ୍ପରତା ଦେଖାଉନାହାନ୍ତି। ଅନ୍ୟପକ୍ଷରେ, ପେଟ୍ରୋଲିୟମ୍‌ ସାମଗ୍ରୀକୁ ଜିଏସ୍‌ଟି ପରିସରକୁ ଆଣିଲେ ଦର କମିବ ବୋଲି ବାହାନା ଦେଖାଉଛନ୍ତି । ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ଥିବା ସମୟରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରୁଥିବାବେଳେ ଉଚ୍ଚ ସ୍ତରରେ ଥିବାବେଳେ ଶୁଳ୍କ ହ୍ରାସ ପାଇଁ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି ସେ ନେଇ ସର୍ବସାଧାରଣରେ ପ୍ରଶ୍ନ ଉପୁଜିଛି।
ସୂଚନାଯୋଗ୍ୟ, ୨୦୧୪ ନଭେମ୍ବରରୁ ୨୦୧୬ ଜାନୁୟାରୀ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଉଭୟ ଇନ୍ଧନର ଉତ୍ପାଦନ ଶୁଳ୍କରେ ୯ ଥର ବୃଦ୍ଧି ଘଟାଇଥିଲେ। ଉକ୍ତ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍‌ ଥିଲା। ତେଣୁ ଏହାର ଲାଭ ଉଠାଇ କିଛି ରାଜସ୍ବ ଯୋଡିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଅକ୍ଟୋବରରେ ଯେତେବେଳେ ଲିଟର ପିଛା ପେଟ୍ରୋଲ ଦର ୭୦.୮୮ ଟଙ୍କା ଏବଂ ଡିଜେଲ ଦର ୫୯.୧୪ ଟଙ୍କା ଛୁଇଁଲା ସେତେବେଳେ ବିରୋଧୀଙ୍କ ଚାପରେ ଉଭୟ ଇନ୍ଧନର ଉତ୍ପାଦନ ଶୁଳ୍କରେ ଥରେ ମାତ୍ର ୨ ଟଙ୍କା ହ୍ରାସ ଘଟାଇଥିଲେ ସରକାର। ସେବେଠାରୁ ବର୍ତ୍ତମାନ ଯାଏ ଆଉ ଶୁଳ୍କ ହ୍ରାସ କରାଯାଇନାହିଁ। ଦର ନିୟନ୍ତ୍ରଣ ଲାଗି ଉତ୍ପାଦନ ଶୁଳ୍କରେ ହ୍ରାସ କରିବା ପାଇଁ ଚଳିତବର୍ଷ ପ୍ରଥମାର୍ଦ୍ଧରେ ତୈଳ ମନ୍ତ୍ରଣାଳୟ ସରକାରଙ୍କୁ ଅନୁରୋଧ କରିଥିଲା। କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଫେବୃୟାରୀ ୧ ବଜେଟ୍‌ରେ ଏହାକୁ ଏଡାଇ ଦେଇଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରବିବାର ଲିଟର ପିଛା ପେଟ୍ରୋଲ ଦର ୭୩ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ୪୦ ପଇସା ହୋଇଛି। ଶନିବାର ତୁଳନାରେ ଉଭୟ ଇନ୍ଧନ ଦରରେ ଯଥାକ୍ରମେ ୧୯ ଏବଂ ୨୧ ପଇସା ବୃଦ୍ଧି ଘଟିଛି।

Tag : Life of common people got affected by these recent price hike in fuel petrol and diesel. Bus fair got hiked. There may be the transported materials price will be hiked soon.

Loading...
Facebook Messenger for Wordpress