advertisement

ଦାମଙ୍କ ସ୍ଥାନରେ ଏବେ ରଘୁ ମହାନ୍ତି ବିଜେଡ଼ି ଉପସଭାପତି

ଭୁବନେଶ୍ୱର : ନିକଟ ଅତୀତରେ ବିଜେଡ଼ି ଦଳ ଉପସଭାପତି ପଦରୁ ବିଧାୟକ ଶ୍ରୀ ଦାମୋଦର ରାଉତଙ୍କୁ ଦଳର ସଭାପତି  କାଢ଼ି ଦେଇଥିବା କଥା ତ ଆମେ ସମସ୍ତେ ଜଣିଛୁ କିନ୍ତୁ ଏବେ ଦୀର୍ଘଦିନ ଧରି ଦଳୀୟ ଦାୟିତ୍ୱରୁ ଦୂରେଇ ଦିଆଯାଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଛନ୍ତି। ତାଙ୍କୁ ଦଳର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଢେଙ୍କାନାଳ ଜିଲାର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ମିଳିଛି। ଏନେଇ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି।

ବିଗତ ଦିନରେ ଦଳର ପାଓ୍ବାରଫୁଲ୍‌ ନେତା ଭାବେ ପରିଚିତି ପାଇଥିବା ରଘୁ ତାଙ୍କ ବୋହୂ ବର୍ଷାସୋନୀ ଚୌଧୁରୀଙ୍କ ଯୌତୁକ ମାମଲାରେ ଛନ୍ଦିହୋଇ ଦଳରୁ ବିଦା ହୋଇଥିଲେ। ପରବର୍ତ୍ତୀ ସମୟରେ ବୋହୂଙ୍କ ସହ ପରିବାରର ବୁଝାମଣା ପରେ ସବୁ ସମସ୍ୟାର ସମାଧାନ ହୋଇଥିଲା। ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଭେଟଘାଟକୁ ନେଇ ସେ ରାଜ୍ୟ ସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ମାତ୍ର ବିଜେଡି ସଭାପତି ରଘୁନାଥଙ୍କୁ ଦଳୀୟ ଦାୟିତ୍ୱ ଦେଇଛନ୍ତି। ଦାମୋଦର ରାଉତ୍‌ଙ୍କୁ ଉପସଭାପତି ଓ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଯିବା ପରେ ଖାଲି ପଡିଥିବା ଏହି ସ୍ଥାନରେ ରଘୁଙ୍କୁ ସୁଯୋଗ ମିଳିଛି। ରଘୁନାଥ ମହାନ୍ତି ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରୁ ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଲଗାତର ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୨ରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ଏହାପରେ ୨୦୧୪ରେ ବସ୍ତା ନିର୍ବାଚନମଣ୍ଡଳୀରେ ତାଙ୍କୁ ବାଦ୍‌ ଦିଆଯାଇ ନିତ୍ୟାନନ୍ଦ ସାହୁଙ୍କୁ ଦଳ ଟିକେଟ୍‌ ଦେଇଥିଲା। ମାତ୍ର ବାଲେଶ୍ୱର ଜିଲାରେ ବିଜେଡିକୁ ସୁଦୃଢ କରିବା ପାଇଁ ପୁଣି ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଇଛି। ଶୁକ୍ରବାର ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର ଜେନା ଏବଂ ରଘୁ ମହାନ୍ତି ନବୀନ ନିବାସ ଠାରେ ପହଞ୍ଚିଥିଲେ। ଦୁହିଁଙ୍କ ସହ ମୁଖ୍ୟମନ୍ତ୍ରୀ କିଛି ସମୟ ଆଲୋଚନା କରିଥିଲେ। ଯାହାକୁ ନେଇ ବାଲେଶ୍ୱର ଜିଲାର ରାଜନୈତିକ ସମୀକରଣ ବଦଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

Leave a Comment