ସମାଜସେବୀ ରୂପଶ୍ରୀ ସାହୁ ଏବଂ ସ୍ନିଗ୍ଧା ମହାନ୍ତିଙ୍କ ମହାନତା

ଭୁବନେଶ୍ବର,୧୦/୮ : ଭୁବନେଶ୍ୱରରେ ରହୁଥିବା ସମାଜସେବୀ ରୂପଶ୍ରୀ ସାହୁ କ୍ୟାପିଟାଲ ପୋଲିସ ଷ୍ଟେସନରେ ଲିଗାଲ ଆଡ଼ଭାଇଜର ଭାବରେ କାର୍ଯ୍ୟ କରନ୍ତି । ଗୁରୁବାର କାର୍ଯ୍ୟରତ ସମୟରେ ତାଙ୍କ ନଜରରେ ଜନୈକ ନିରାଶ୍ରୟା ବୃଦ୍ଧା ଆସିଥିଲେ । ଯାହାଙ୍କ ପରିଚୟ ହେଲା ସୁଲୋଚନା ଦାସ(୬୫) । ବୃଦ୍ଧା ଜଣକ ଦୀର୍ଘ ୫ବର୍ଷ ହେବ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନଠାରେ ବହୁ କଷ୍ଟରେ ଭିକ୍ଷା ବୃତ୍ତି କରି ରହିଆସୁଥିଲେ ।
କିଛିଦିନ ପୂର୍ବରୁ ତାଙ୍କ ବାମ ପାଦ ବୁଢ଼ା ଆଙ୍ଗୁଠିରେ ଏକ କ୍ଷତ ହେଇଥିଲା । ସେ ଜଣେ ମଧୁମେହ ରୋଗୀ ହୋଇଥିବାରୁ କ୍ଷତଟି ବଢି ଯାଇ ସମ୍ପୂର୍ଣ୍ଣ ଆଙ୍ଗୁଠି ଟି ନଷ୍ଟ ହେବାକୁ ଯାଉଥିବାରୁ ବୃଦ୍ଧା ଜଣଙ୍କ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନାକୁ ଦେଖାଇବାକୁ ଯାଇଥିଲେ । କିନ୍ତୁ ଅହେତୁକ ଭିଡ ଭିତରେ ତାଙ୍କର ଚିକିତ୍ସା ହେବା ସମ୍ଭବ ନ ହେବାରୁ ନିରାଶ ହୋଇ ବୃଦ୍ଧା ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ସମାଜସେବୀ ରୂପଶ୍ରୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେତେବେଳକୁ ଘା' ଟି ପଚି ଯାଇ ଦୁର୍ଗନ୍ଧ ହେଉଥିଲା । ତତକ୍ଷଣାତ୍ ଡେରି ନ କରି ପିସିଆର ଭ୍ୟାନ ଯୋଗେ ରୂପଶ୍ରୀ ତାଙ୍କ ସମାଜସେବୀ ଭଉଣୀ ସ୍ନିଗ୍ଧା ମହାନ୍ତିଙ୍କ ସହଯୋଗରେ କ୍ୟାପିଟାଲ ଡାକ୍ତରଖାନାରେ ପୁନଃ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ବୃଦ୍ଧା ମାଉସୀଙ୍କ ପାଇଁ ରହିବା ଓ କୌଣସି ସେବାର ବ୍ୟବସ୍ଥା ନ ଥିବାରୁ କେବଳ ଘା' କୁ ଡ୍ରେସିଂ କରାଇ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ନିଗ୍ଧା ଓ ରୂପଶ୍ରୀ ଦୁଇ ଜଣ କଟକ ଏସସିବିର ନିରାଶ୍ରୟ ରୋଗୀ କକ୍ଷ ବିଭାଗରେ ନେଇ ଭର୍ତ୍ତି କରାଇଥିଲେ ।
ପରେ ଡାକ୍ତରଙ୍କ ସହ ଉଭୟେ ଆଲୋଚନା କରିଥିଲେ କିପରି ଅସହାୟ ବୃଦ୍ଧା ସୁଲୋଚନା ଭଲ ସେବା ପାଇପାରିବେ । କିନ୍ତୁ ଡାକ୍ତର କହିଥିଲେ ତାଙ୍କର ଆଙ୍ଗୁଠି ଟି ସମ୍ପୂର୍ଣ୍ଣ କାଟିବାକୁ ପଡ଼ିବ ଆଉ କିଛି ଦିନ ପରେ ଅପରେସନ କରାଯିବ । ସେ ପର୍ଯ୍ୟନ୍ତ ରୂପଶ୍ରୀ ବୃଦ୍ଧାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏବଂ ଡାକ୍ତରଙ୍କ ଯୋଗାଯୋଗରେ ରହିବେ ।