advertisement

ରାଜଧାନୀ ରେ ଚହଳ ସ୍ପା ନାଁ ରେ ଚାଲୁଛି ଦେହ ବ୍ୟବସାୟ

ଭୁବନେଶ୍ୱର, ୩ ।୮: ବଦଳୁଛି ଯୁଗ । ବଦଳିବାରେ ଲାଗିଛି ଯୁବପିଢ଼ିଙ୍କ ଜୀବନଶୈଳୀ । ଆଧୁନିକତା ଆଡ଼କୁ ମୁହାଁଇଛନ୍ତି ବର୍ତମାନର ଯୁବପିଢ଼ି । ସେହି ଆରାମଦାୟକ ଜୀବନଶୈଳୀରେ ଯୋଡ଼ିହୋଇଛି ସ୍ପା ବା ମସାଜ୍ । ଟିକେ ହାଲକା ହେବା ପାଇଁ ଧାଉଁଛନ୍ତି ସ୍ପା ବା ମସାଜ୍ ସେଂଟରକୁ । ଶରୀରକୁ ଫିଟ୍ ଓ ସୁସ୍ଥ ରଖିବାକୁ ସ୍ପା ଆଉ ମସାଜ୍ର ଆବଶ୍ୟକତା ରହିଛି । କିନ୍ତୁ ଏବେ ଦେହ ଦଲାଲମାନଙ୍କ ଟାର୍ଗେଟ୍ରେ ଏହି ସବୁସ୍ଥାନ । ମସାଜ୍ ନାମରେ ଚଲାଉଛନ୍ତି ଦେହ ବେପାର । ପୂର୍ବରୁ ଅନେକ ବିୟୁଟିପାର୍ଲରରେ ଏହି କାର୍ଯ୍ୟ ଚାଲୁଥିଲା । ପୋଲିସ ଦ୍ୱାରା ବାରମ୍ବାର ଚଢ଼ଉ ହେବା ଯୋଗୁଁ ଦଲାଲମାନେ ଏବେ ସ୍ପା ଆଉ ମସାଜ ସେଂଟରରେ ଦେହକାରବାର ଚଳାଉଛନ୍ତି ।

ରାଜଧାନୀ ଭୁବନେଶ୍ୱରେ ଛତୁ ଫୁଟିଲା ଭଳି ଖୋଲିଛି ସ୍ପା ଓ ମସାଜ ସେଂଟର । ପ୍ରାୟ ୫୦ରୁ ଅଧିକ ଛୋଟବଡ଼ ସ୍ପା ସେଂଟର ଅଛି । କିନ୍ତୁ ଅନେକ ସ୍ଥାନରେ ମସାଜ୍ ନାରେ ଚାଲିଛି ଦେହ ବ୍ୟବସାୟ । କିଛିଦିନ ହେବ କମିଶନରେଟ୍ ପୋଲିସ ପକ୍ଷରୁ ଅନେକ ମସାଜ ସେଂଟରରେ ଚଢ଼ଉ କରି ଗ୍ରାହକ ସମେତ ଅନେକ ଦେହଜୀବୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅନେକ ବାହାର ରାଜ୍ୟ ଓ ଦେଶର । ବିଶେଷକରି ବଙ୍ଗୀୟ ଯୁବତୀ ଓ ବିଦେଶିନୀ । ଏବେ କିଛିଦିନ ତଳେ ବାପୁଜୀନଗରସ୍ଥିତ ଏକ ନାମୀ ସ୍ପା ସେଂଟରରେ ଚଢ଼ଉ କରିଥିଲା ପୋଲିସ । ସେଠାରୁ ୪ ଗ୍ରାହକଙ୍କ ସମେତ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ସେହିପରି ଅନ୍ୟ ଏକ ସ୍ପା’ରୁ କିଙ୍ଗ୍ପିନ୍ ମହିଳାଙ୍କ ସହ ଦୁଇ ଯୁବତୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାବେଳ ଧରିଥିଲା ପୋଲିସ । ବିଦେଶିନୀମାନେ କିପରି ଭିସା ପାଉଛନ୍ତି ଓ କେଉଁ ଭିସାରେ ଆସି ଏଠାରେ ଦେହ ବେପାରରେ ଲିପ୍ତ ରହୁଛନ୍ତି ତାହାର ମଧ୍ୟ ସଠିକ୍ ତଦନ୍ତ ହେବା ଦରକାର । ସେହିପରି ପୂର୍ବରୁ ବ୍ୟାଙ୍କକ୍ରୁ ଭୁବେନଶ୍ୱର ପାଇଁ ନୂଆଦିଲ୍ଲୀ ଦେଇ ଆସିବାକୁ ପଡ଼ୁଥିଲା । ଏବେ ବ୍ୟାଙ୍କକ୍ରୁ ଭୁବନେଶ୍ୱର ବିମାନସେବା ଆରମ୍ଭ ହେବା ପରେ ବିଦେଶିନୀମାନେ ସିଧା ଆସି ପହଂଚୁଛନ୍ତି ରାଜଧାନୀରେ । ଏହାଦ୍ୱାରା ଦଲାଲମାନେ ସିଧାସଳଖ ବିଦେଶିନୀମାନଙ୍କୁ ଆଣି ପାରୁଛନ୍ତି ।

ସେହିପରି ପୋଲିସ ରେକର୍ଡ ଅନୁସାରେ ଗତ ଦୁଇ ବର୍ଷ ଭିତରେ ଧରାଯାଇଥିବା ସେକ୍ସ ର୍ୟାକେଟ୍ ମଧ୍ୟରୁ ୬୦ ପ୍ରତିଶତ କେବଳ ସ୍ପା ଆଉ ମସାଜ ସେଂଟରରେ ଚାଲୁଥିଲା । ତେବେ ପୋଲିସ ପାଖରେ ରାଜଧାନୀରେ ଏବେ କେତେ ସ୍ପା ଓ ମସାଜ୍ ସେଂଟର ଅଛି ତା’ର ସଠିକ୍ ହିସାବ ନାହିଁ । କେଉଁଠି କେତେ ବିଦେଶିନୀ କାମ କରୁଛନ୍ତି ତା’ର ବି ହିସାବ ନାହିଁ । ସାଧରଣତଃ ମସାଜ ବା ସ୍ପା ସେଂଟର ଖୋଲିବାକୁ ସେମିତି କିଛି କଡ଼ାକଡ଼ି ଆଇନ ବା ଲାଇସେନ୍ସ ନାହିଁ । କେବଳ ବିଏମ୍ସି ଟ୍ରେଡ୍ ଲାଇସେନ୍ସରେ ଖୋଲା ଯାଉଛି । ଯାହା ଫଳରେ ଦଲାଲ ନିର୍ଭୟରେ ସେମାନଙ୍କ ବେପାର ଜମାଉଛନ୍ତି । ସେଥିପାଇଁ ଆଇନ କଡ଼ାକଡ଼ି ହେବା ସହ ସବୁବେଳେ ଏଗୁଡ଼ିକ ଯାଂଚ୍ କରିବା ଦାରକାର । କିନ୍ତୁ ସେପରି କିଛି କରାଯାଉନି । ଯାହା ଦେହ ଦଲାଲମାନଙ୍କୁ ସୁହାଇଲା ଭଳି ହେଉଛି । ସୂଚନାଯୋଗ୍ୟ, କିଛି ମାସ ତେଳେ ସହିଦ୍ ନଗର ରାସ୍ତା ପାଶ୍ୱର୍ରୁ ଜଣେ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିଲା କମିଶନରେଟ୍ ପୋଲିସ । ଯାଂଚ୍ ପରେ ଜଣାପଡ଼ିଥିଲା କି ଯୁବତୀ ଜଣଙ୍କ ବ୍ୟବସାୟିକ ଭିସାରେ ଆସି ଦେହ ବ୍ୟବସାୟରେ ଲିପ୍ତ ଥିଲେ । ପରେ ତାଙ୍କୁ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗ କରି ଛଡ଼ାଯାଇଥିଲା । ଏବେ ବି ଅନେକ ହୋଟେଲ୍ ଓ ଲଜ୍ ମାନଙ୍କରେ ଚାଲୁଛି ଦେହକାରବାର । କମିଶନରେଟ୍ ପୋଲିସ ଚଢ଼ଉ କରୁଥିବା ହୋଟେଲ ବା ଲଜ୍ ଗୁଡିକୁ ବେଶ୍ୟାଳୟ କରିବାକୁ ଘୋଷଣା କରିଛି । ସେହି ଭୟରେ ଏବେ ଦଲାଲମାନେ ସ୍ପା ଆଉ ମସାଜ୍ ସେଣ୍ଟରକୁ ଟାର୍ଗେଟ କରିଥିବା ଜଣାପଡ଼ିଛି । ସୋସିଆଲ ମିଡିଆ ଯୋଗୁଁ ଅନେକ କାର୍ଯ୍ୟ ସହଜ ହେଉଯାଉଛି । ଆଜିକାଲି ସବୁ ଯୁବକ ଯୁବତୀ ସୋସିଆଲ ମିଡିଆରେ ଜଡ଼ିତ । କିନ୍ତୁ ଏହାକୁ ଅପବ୍ୟବହାର କରୁଛନ୍ତି ଦେହଦଲାଲମାନେ । ଗ୍ରାହକ ଯୋଗାଡ଼କରିବାର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ଦଲାଲମାନେ ହ୍ୱାଟ୍ଆପ୍ ଏବଂ ଫେସବୁଜ ଜରିଆରେ ଗ୍ରାହକମାନଙ୍କୁ ଯୋଗାଡ଼ କରୁଛନ୍ତି । ହ୍ୱାଟ୍ଆପ୍ର ଦଲାଲମାନେ ଝିଅମାନଙ୍କ ଫଟୋ ପଠାଉଛନ୍ତି ଗ୍ରାହକଙ୍କୁ । ଆଉ ତା ସହ ଦାମ୍ ମଧ୍ୟ ଲେଖିଦିଆଯାଉଛି । ଦାମ ଛିଡ଼ିଲା ପରେ ରୁମଠୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁର ଠିକଣା ମିଳିଯାଉଛି । ତା ପରେ ମନମୁତାବକ ଯୁବତୀ ପହଂଚି ଯାଉଛନ୍ତି ଠିକଣାରେ । କହିବାକୁ ଗଲେ ଦଲାଲମାନଙ୍କୁ ବେଶ୍ ସୁହାଉଛି ସୋସିଆଲ ମିଡିଆ ।

Loading...
Facebook Messenger for Wordpress